ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା କାର୍ଯ୍ୟକାରୀ ସମୟରେ ଗ୍ରାମସଭା ଓ ପଞ୍ଚାୟତ ବ୍ୟବସ୍ଥାକୁ ସଂଶ୍ଳିଷ୍ଟ କରିାବକୁ ଓଡିଶା ହାଇକୋର୍ଟ କହିଛନ୍ତି । ଅଦାଲତଙ୍କ ରାୟ ପରେ ରାଜ୍ୟ ସରକାରଙ୍କ ଏହି ଯୋଜନା ଯେ ସମ୍ବିଧାନ ବିରୋଧି ଓ ପଂଚାୟତ ରାଜ ବ୍ୟବସ୍ଥା ପ୍ରତି ଉପହାସ ତାହା ପ୍ରମାଣିତ ହୋଇଛି ବୋଲି ରାଜୀବ ଗାନ୍ଧୀ ପଂଚାୟତ ରାଜ୍ୟ ସଂଗଠନର ରାଜ୍ୟ ଅଧ୍ୟକ୍ଷ ତଥା କଂଗ୍ରେସ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ପ୍ରକାଶ କରିଛନ୍ତି ।
ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକରେ ନାକରା ସରପଂଚ ଶ୍ରୀ ନଗେନ୍ଦ୍ର କୁମାର ସିଂ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଂଚାୟତ, ପଂଚାୟତ ପ୍ରତିନିଧି ଓ ଗ୍ରାମ ସଭାକୁ ଅଣଦେଖା କରାଯିବାକୁ ବିରୋଧ କରି ମାନ୍ୟବର ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ତାଙ୍କର ଯାଚିକାରେ ବସ୍ତା ବ୍ଲକରେ ୯ ଜଣ ସରପଂଚ ମଧ୍ୟ ଦସ୍ତଖତ କରିବା ସହିତ ସରପଂଚ ଓ ପଂଚାୟତ ପ୍ରତିନିଧି ତଥା ଗ୍ରାମ ସଭା ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆବେଦନ କରିଥିଲେ ।
ହାଇକୋର୍ଟର ମାନ୍ୟବର ନ୍ୟାୟଧିଶ ଶ୍ରୀଯୁକ୍ତ ବିଶ୍ୱନାଥ ରଥ ଏହାର ବିଚାର କରି ଗତ ୨୯ ତାରିଖରେ ଏହି ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଗ୍ରାମ ସଭା ଓ ପଂଚାୟତ ବ୍ୟବସ୍ଥାକୁ ସଂଶ୍ଳିଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର କୋର୍ଟ କହିଛନ୍ତି ପଂଚାୟତ ଓ ପଚାଂୟତର ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ଯୋଜନାର ରୂପାୟନରେ ପଂଚାୟତ ଓ ଗ୍ରାମ ସଭା ସକ୍ରିୟ ଭୂମିକା ନେବା ଉଚିତ ।
ପ୍ରକାଶଥାଉକି ରାଜୀବ ଗାନ୍ଧୀ ପଂଚାୟତିରାତ ସଂଗଠନ ପକ୍ଷରୁ ଏହି ଯୋଜନା ସମ୍ବିଧାନ ବିରୋଧି ଓ ପଂଚାୟତିରାଜ ବ୍ୟବସ୍ଥା ପ୍ରତି ଉପହାସ ବୋଲି କୁହାଯାଇ ଏହା ବିରୋଧରେ ରାଜ୍ୟ ତମାମା ବିରୋଧ କରିବା ଓ ନ୍ୟାୟିକ ଲଢ଼େଇ ପାଇଁ ଆହ୍ୱାନ ଦିଆଯାଇଥିଲା । ତଦନୁସାରେ ମାନ୍ୟବର ରାଜ୍ୟପାଳଙ୍କୁ ଏହା ଉପରେ ଦାବିପତ୍ର ୨୩ ତାରିଖରେ ଦିଆଯାଇଥିଲା । ଗତ ଅଗଷ୍ଟ ୨୯ ତାରିଖରେ ସବୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦାବିପତ୍ର ଦିଆଯାଇଥିଲା । ଆଇନଗତ ଲଢ଼େଇ ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ମଧ୍ୟ ଦିଆଯାଇଥିଲା । ସଂଗଠନର ଆହ୍ୱାନ ପରେ ହାଇକୋର୍ଟରେ ଉପରୋକ୍ତ ଆବେଦନ କରାଯାଇଥିଲା ଏବଂ ରାଜ୍ୟର ଆହୁରି ଅନେକ ସରପଂଚ/ ପଂଚାୟତ ପ୍ରତିନିଧି ମଧ୍ୟ ଏଥିରେ ସାମିଲ ହେବେ ।
ସମ୍ବିଧାନ ବିରୋଧି ଏହି ଯୋଜନା ବିରୁଦ୍ଧରେ ମାନ୍ୟବର ହାଇକୋର୍ଟରେ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ ମଧ୍ୟ ଏକ ଯାଚିକା ଦାୟର କରାଯାଇଛି । ନିର୍ବାଚନକୁ ଆଖି ଆଗରେ ରଖି ବିଜେଡ଼ି ସରକାର ଏହିଭଳି ଏକ ଯୋଜନା କରିଛନ୍ତି ଯାହା ବାସ୍ତବରେ ଲୋକଙ୍କ ସ୍ୱାର୍ଥରେ ଆସିବ ନାହିଁ । ଏଣୁ ଏହି ଯୋଜନା ବିରୁଦ୍ଧରେ ରାଜ୍ୟର ସମସ୍ତ ସରପଂଚ ସମିତି ସଭ୍ୟ ଓ ୱାର୍ଡ ସଭ୍ୟମାନେ ସ୍ୱର ଉତୋଳନ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ଅପନ୍ନାଧିର ସିଂ ପ୍ରମୁଖ ଯୋଗଦେଇଥିଲେ ।