ଭୁବନେଶ୍ୱର : ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ନୟାନ୍ତ ହେଉଥିବାବେଳେ ମଶାବଂଶ ବୃଦ୍ଧିରେ ସହାୟକ ହେଉଥିବା ମାଳ ମାଳ ଗାଈ ଗୁହାଳକୁ କିନ୍ତୁ ହଟାଇ ପାରୁନାହିଁ । ବର୍ଷ ବର୍ଷ ଧରି ଏମାନେ ସହରର ପ୍ରମୁଖ ସ୍ଥାନଗୁଡିକରେ ସରକାରୀ ଜମିରେ ଆସ୍ଥାନ ଜମାଇ ରହିଛନ୍ତି ।
ବିଏମ୍ସି ଅଞ୍ଚଳରେ ଗାଈ ରଖିବା ଉପରେ କଡା କଟକଣା ଥିବା ଏବଂ ରାସ୍ତା ଘାଟରେ ଗାଈଗୋରୁ ଦେଖିଲେ ତାହାକୁ ଉଠାଇ ନିଆଯାଇ ଆଉ ଫେରସ୍ତ ହେବନାହିଁ ବୋଲି ପ୍ରଶାସନ ନାଲିଆଖି ଦେଖାଉଥିବାବେଳେ ଏହି ଗୁହାଳ ଗୁଡିକ କିଭଳି ଅବାଧରେ ଚାଲିଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମାନେ ସହରତଳି ଅଞ୍ଚଳରେ ନୁହେଁ, ଖୋଦ ଲୋକସେବାଭବନ, ରାଜଭବନ ଆଖପାଖରେ ଶହ ଶହ ଗାଈଗୋରୁ ରଖିବା ସହିତ ଗୋବର ଗଦାକରି ପରିବେଶକୁ ଅତ୍ୟନ୍ତ ଅପରିଷ୍କାର କରୁଛନ୍ତି ଯାହା ବିଏମ୍ସି ଅଞ୍ଚଳରେ ମଶାବଂଶ ବୃଦ୍ଧିରେ ସହାୟକ ହେଉଛି ।
ବିଏମ୍ସି ଅଞ୍ଚଳରେ ରହୁଥିବା ସରକାରୀ କର୍ମଚାରୀମାନେ ଗାଈ ରଖିପାରିବେ ନାହିଁ ବୋଲି ସରକାରଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିବାବେଳେ ଘରୋଇ ଲୋକଙ୍କୁ ବି ସହର ମଝିରେ ଗାଈ ରଖିବାରୁ ବାରଣ କରାଯାଉଛି । କାରଣ ଗାଈଗୋରୁ ରଖିଲେ ଏମାନେ ଗୋବର ସମେତ ଅନ୍ୟାନ୍ୟ ଆବର୍ଜନା ପକାଇବାକୁ କୌଣସି ସ୍ଥାନ ନାହିଁ । ଅବଶ୍ୟ ସହରତଳି ଅଞ୍ଚଳରେ ଥିବା ଲୋକେ ଗାଈଗୋରୁ ରଖୁଛନ୍ତି ।
ହେଲେ ସହରର ପ୍ରମୁଖ ସ୍ଥାନ ବିଶେଷକରି ବିଭିନ୍ନ ୟୁନିଟ୍ରେ ଥିବା ଗାଈଗୁହାଳଗୁଡିକୁ ପ୍ରଶାସନ ସ୍ଥାନାନ୍ତର କରୁନାହିଁ । ଏମାନେ ବର୍ଷ ବର୍ଷ ଧରି ସରକାରୀ ଜମି ଜବରଦଖଲ କରି ଗୁହାଳ ପ୍ରତିଷ୍ଠା କରିଛନ୍ତି । ପ୍ରତିଦିନ ବାହାରୁ ଥିବା ଟ୍ରକ ଟ୍ରକ ଗୋବରକୁ ଗଦା କରିବା ସହିତ ତାହାକୁ ଘରୋଇ ଓ ସରକାରୀ ସଂସ୍ଥାକୁ ବିକ୍ରି କରୁଛନ୍ତି । ନବେ ଦଶକରେ ଗୋପାଳନମାନଙ୍କୁ ସହର ଉପକଣ୍ଠରେ ହୋଇଥିବା ଥଇଥାନ ଯୋଜନା ଏକ ପ୍ରକାର ନାଲିଫିତା ତଳେ ରହିଯାଇଛି ।
ପ୍ରଶାସନ ସରକାରୀ ଜମି ଉପରୁ ଜବରଦଖଲ ହଟାଉଥିବାବେଳେ ଏହି ବେଆଇନ୍ ଗୁହାଳ ଗୁଡିକରେ କିନ୍ତୁ ହାତ ମାରୁନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମଶାବଂଶ ବୃଦ୍ଧି ସହିତ ସହରକୁ ଅପରିଷ୍କାର କରୁଥିବା ଏହି ଗୁହାଳଗୁଡିକ ସମ୍ମୁଖରେ ରାତି ପାହିଲେ ଖାଣ୍ଟି କ୍ଷୀର ପାଇଁ ପ୍ରଶାସନର ବାବୁମାନେ ଧାଡି ଲଗାଉଛନ୍ତି ।
ବର୍ତ୍ତମାନ ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍ସି ବିଭିନ୍ନ ପନ୍ଥା ଆପଣେଇବା ସହିତ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରିବାରେ ଲାଗିଛି । ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ବି ଡେଙ୍ଗୁକୁ କାବୁ କରିବାପାଇଁ ଲୋକଙ୍କୁ ପରିବେଶ ଅନୁକୂଳ ମଶାବତୀ ଲଗାଇବା ସହିତ ଝରକା କବାଟ ଆଦି ସରୁ ଜାଲି ଖଞ୍ଜିବାପାଇଁ ପରାମର୍ଶ ଦେଉଛି । ହେଲେ ମଶାବଂଶର ଉତ୍ପତି ସ୍ଥଳକୁ କିଭଳି ସଫା କରାଯିବ ସେ ସଂକ୍ରାନ୍ତରେ କିଛି ପଦକ୍ଷେପ ନନେବା ଏବେ ରାଜଧାନୀଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି । (ତଥ୍ୟ)