Home General ସହରାଞ୍ଚଳରେ ୬୩ହଜାରରୁ ଅଧିକ ପିଏମଏୱାଇ

ସହରାଞ୍ଚଳରେ ୬୩ହଜାରରୁ ଅଧିକ ପିଏମଏୱାଇ

ଭୁବନେଶ୍ୱର : ବିଗତ ତିନି ବର୍ଷ ଅର୍ଥାତ୍‍ ୨୦୨୦-୨୧ ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟର ସହରାଞ୍ଚଳରେ ୬୩ ହଜାରରୁ ଅଧିକ ଘର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି । ଏହା ଧାର୍ଯ୍ୟ ଲକ୍ଷ୍ୟର ୬୯ ପ୍ରତିଶତ ।

ସହରାଞ୍ଚଳରେ ଥିବା ଗରିବ ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ପିଏମଏୱାଇ-ୟୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ୨୦୨୦-୨୧ ବର୍ଷରେ ୨୧ହଜାର କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ୨୦୨୧-୨୨ ବର୍ଷରେ ଏହି ପରିମାଣ ୨୭,୦୨୩.୯୭ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ । ୨୦୨୨-୨୩ ବର୍ଷରେ କେନ୍ଦ୍ର ସରକାର ପିଏମଏୱାଇ ଯୋଜନା ପାଇ ୨୮ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି ତିନି ବର୍ଷ ମଧ୍ୟରେ ଓଡିଶାର ବିଭିନ୍ନ ସହରାଞ୍ଚଳରେ ମୋଟ୍‍ ୬୩,୮୫୩ଟି ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ତେବେ ଏହି ସମୟରେ ଗୋଆ, ଚଣ୍ଡିଗଡ ଓ ଦିଲ୍ଲୀ ଭଳି ସହରାଞ୍ଚଳରେ ପିଏମଏୱାଇ ଯୋଜନାରେ ଶତ ପ୍ରତିଶତ ଘର ନିର୍ମାଣ ହୋଇଥିବା ଜଣାଯାଇଛି । ସେହିଭଳି ତେଲେଙ୍ଗାନାରେ ୮୯%, ଗୁଜୁରାଟରେ ୮୩% ଘର ନିର୍ମାଣ ହୋଇଥିବାବେଳେ, ଉତ୍ତରପ୍ରଦେଶରେ ୭୬%, ଅରୁଣାଚଳପ୍ରଦେଶରେ ୭୫%, ହିମାଚଳପ୍ରଦେଶରେ ଏହା ୭୩%, ମଧ୍ୟପ୍ରଦେଶରେ ୭୨% ପ୍ରତିଶତ ଘର ନିର୍ମାଣ ହୋଇଛି ।

ମହାରାଷ୍ଟ୍ରରେ ୫,୨୬,୫୩୧ଟି ଘର ନିର୍ମାଣ ହୋଇଥିବାବେଳେ ପଡୋଶୀ ଆନ୍ଧ୍ରପ୍ରଦେଶରେ ତିନି ବର୍ଷ ମଧ୍ୟରେ ୪,୨୨,୩୫୫ଟି ପିଏମଏୱାଇ ଘର ନିର୍ମାଣ ହୋଇଥିବାବେଳେ ଗୁଜୁରାଟରେ ୪,୯୩,୧୩୬, କର୍ଣ୍ଣାଟକରେ ୧,୩୫,୮୫୧ଟ ଘର ର୍ନିମାଣ ସରିଛି । ସମଗ୍ର ଦେଶର ସହରାଞ୍ଚଳରେ ଏହି ସମୟରେ ୩୯,୬୩,୨୩୨ଟି ଘରର ନିର୍ମାଣ କାର୍ଯ୍ୟ ସରିଛି ।

ଉଲ୍ଲେଖନୀୟ ଯେ ସହରାଞ୍ଚଳରେ ପିଏମଏୱାଇ ଘର ନିର୍ମାଣ ପାଇଁ ସରକାର କୌଣସି ସମୟ ଧାର୍ଯ୍ୟ କରିନଥିବାବେଳେ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ସର୍ଭେ କରି ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଘର ଦେବାକୁ କହିଥାନ୍ତି । ତଦନୁଯାୟୀ ୧୧୨.୨୪ ଲକ୍ଷ ଘର ଯୋଗାଇ ଦେବାକୁ କୁହାଯାଇଥିଲା । ତେବେ କେନ୍ଦ୍ର ସରକାର ଏହାକୁ ବିଚାରକୁ ନେଇ ୧୧୮.୯୦ ଲକ୍ଷ ଘର ଚଳିତବର୍ଷ ଜୁଲାଇ ସୁଦ୍ଧା ମଞ୍ଜୁର କରିଛନ୍ତି । ଏଥି ମଧ୍ୟରେ ୭୫.୩୧ଲକ୍ଷ ଘରର ନିର୍ମାଣ ସରିବା ସହିତ ଏଥିରୁ କିଛି ପରିମାଣର ଘର ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଇଛି ।

ତେବେ କେନ୍ଦ୍ର ସରକାର ଏହି ଯୋଜନାରେ ଘର ତିଆରି ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଥିବାବେଳେ ସହରାଞ୍ଚଳର ଅନେକ ହିତାଧିକାରୀମାନଙ୍କ ନିକଟରେ ଜମି ନଥିବାରୁ ତାହା ନିର୍ମାଣ ହୋଇପାରୁ ନାହିଁ । ତେଣୁ ସହରାଞ୍ଚଳରେ ପୌର ପ୍ରଶାସନ ଏବେ ଘର ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇଦେବାକୁ ପ୍ରକ୍ରିୟା ଚଳାଇଥିବାରୁ ଆଗାମୀ ଦିନରେ ରାଜ୍ୟର ସହରଞ୍ଚଳରେ ଅଧିକରୁ ଅଧିକ ହିତାଧିକାରୀ ଏହି କେନ୍ଦ୍ରୀୟ ଯୋଜନାରେ ପକ୍କାଘର ପାଇବେ ବୋଲି ଆଶା କରାଯାଉଛି । (ତଥ୍ୟ)