Home Infrastructure ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ

୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କରିଛନ୍ତି । ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ମଧ୍ୟ ରଖିଛନ୍ତି ।  ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଏ ସମସ୍ତ ବସ୍‌ଷ୍ଟାଣ୍ଡ ସଂପୂର୍ଣ୍ଣ ହେଲେ, ରାଜ୍ୟର ୨ କୋଟି ଲୋକ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ବସ୍‌ଷ୍ଟାଣ୍ଡ ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସ୍‌ଷ୍ଟାଣ୍ଡ। ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ଉପଲ୍‌ବଧ ଅଛି । ଏହାସହିତ ମୁଖ୍ୟମନ୍ତ୍ରୀ ମୋ ପରିବହନ ସେବା ଓ ମୋବାଇଲ ଆପ୍‌ ର ଶୁଭାରମ୍ଭ କରି କହିଥିଲେ ଯେ ଏହାଦ୍ବାରା ବିଭିନ୍ନ ପରିବହନ ସେବା ପାଇଁ  ଆଉ ସରକାରୀ ଅଫିସକୁ ଯିବା ଆବଶ୍ୟକତା ରହିବ ନାହିଁ ।

ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା କ୍ଷେତ୍ରରେ ଅଧିକ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁ-ବାହକ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ୫୦ ହଜାର ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଗଞ୍ଜାମର ପାଲୁର ଠାରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଉଦ୍‌ଘାଟନ କରିଥିଲେ ।  ସଡକ ଓ ସଡକ ବ୍ୟବହାରକରୀ ତଥା ଯାତ୍ରୀ ମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ମାର୍ଗ ପରିଷ୍କାର କରିଥାଏ । ବିଭିନ୍ନ ସଂସ୍ଥାଗତ ସେବା ତଥା ସ୍କୁଲ, କଲେଜ, ହସ୍‌ପିଟାଲ ଆଦିର ସୁବିଧା ସହଜରେ ଉପଲବ୍‌ଧ ହୋଇପାରେ। ଏକ ଗତିଶୀଳ ସାମାଜିକ ଓ ଅର୍ଥନୈତିକ ସମାଜ ଗଠନ ଦିଗରେ ଏହା ଏକ କାଟାଲିଷ୍ଟ ଭାବରେ କାମ କରିଥାଏ । ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗତ ୨୩ ବର୍ଷ ଧରି ରାଜ୍ୟରେ ସୁଶାସନର ଧାରା ଅବ୍ୟାହତ ରହିଛି । ଗମନାଗମନର ବିକାଶ ପାଇଁ ରାଜ୍ୟରେ ସଡକ ପରିବହନ ସହିତ ରେଳ ଓ ଆକାଶମାର୍ଗରେ ପରିବହନର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ ।

ପୁରୀ ଠାରେ ଇଲ୍‌କ୍ଟ୍ରୋନିକ୍‌ସ ଓ ଆଇଟି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ସୋନପୁର ଠାରେ ସଂସଦୀୟ ବ୍ୟାପାର ଓ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିବହନ ବ୍ୟବସ୍ଥା ଓ ବସ୍‌ଷ୍ଟାଣ୍ଡ ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା କରିଥିଲେ । 5T ସଚିବ  ଶ୍ରୀ  ଭି  କେ  ପାଣ୍ଡିଆନ୍  କାର୍ଯ୍ୟକ୍ରମ  ସଂଚାଳନା କରିଥିଲେ   ।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓ.ଏସ୍‌.ଆର.ଟି.ସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ  ଶାସନ ସଚିବ  ଶ୍ରୀ  ପ୍ରଦୀପ  ଜେନା  ଉନ୍ନୟନ  କମିଶନର  ଶ୍ରୀମତୀ  ଅନୁ  ଗର୍ଗ  ଓ  ବରିଷ୍ଠ  ଅଧିକାରୀମାନେ  ଉପସ୍ଥିତ  ଥିଲେ  ।