Home General ସବୁଜ ବର୍ଜ୍ୟ ମାଗଣାରେ ଉଠିବ

ସବୁଜ ବର୍ଜ୍ୟ ମାଗଣାରେ ଉଠିବ

ଭୁବନେଶ୍ୱର : ସହରର ସ୍ୱଚ୍ଛତା ଅଭିଯାନକୁ ବ୍ୟାପକ କରିବା ଏବଂ ସହରବାସୀଙ୍କର ପରିମଳ ଜନିତ ସମସ୍ତ ସମସ୍ୟାର ସମାଧାନ ଗୋଟିଏ ବାଟରେ କରିବା ଏବଂ ସଫା ଭୁବନେଶ୍ୱର ଆପ ବ୍ୟବହାରକୁ ଉତ୍ସାହିତ କରିବା ଉଦେଶ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅଧିକାରୀମାନେ ସବୁଜ ଆବର୍ଜନା ଓ ନିର୍ମାଣ ଓ ଭଗ୍ନାବଶେଷ ବିନା ଶୁଳ୍କରେ ସଂଗ୍ରହ ଓ ସ୍ଥାନାନ୍ତର କରିବାକୁ ବିଏମସି କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି ।

ଏହି ସୁବିଧା କେବଳ ୨୦୨୩, ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ମିଳିବ । ବର୍ଷା ଋତୁରେ ସବୁଜ ଆବର୍ଜନା ପରିମାଣ ଅଧିକ ହେଉଥିବା ଏବଂ ସେଗୁଡିକ ରାସ୍ତାକଡ କିମ୍ବା ଡ୍ରେନରେ ପଡି ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି । ତାହାକୁ ଦୃଷ୍ଟିରେ ରଖି ଆଜି ବିଏମ୍‌ସି ମୁଖ୍ୟାଳୟରେ ବସିଥିବା କଂଟ୍ରାକ୍ଟସ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଏଥିପାଇଁ ନାଗରିକମାନେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ସଫା ଭୁବନେଶ୍ୱର ଆପ୍ ଜରିଆରେ ଆବେଦନ କରିଥିବା ନାଗରିକମାନଙ୍କୁ ଏହି ସବୁ ସୁବିଧା ପ୍ରଦାନ କରାଯିବ । ସହରକୁ ପରିଷ୍କାର ରଖିବା ପାଇଁ ଏହି ଆପ୍ ନାଗରିକମାନଙ୍କ ସକ୍ରିୟତା ତଥା ସହଭାଗିତାର ରେକର୍ଡ ରଖିବ । ଏହା ବ୍ୟତିତ ଆପ ମାଧ୍ୟମରେ ଅନ୍ୟାନ୍ୟ ଦେୟଯୁକ୍ତ ସେବାଗୁଡିକ ଅପରିବର୍ତିତ ରହିଛି ।

ଅନ୍ୟପକ୍ଷରେ ବାରମ୍ବାର ଏବଂ ଅଭ୍ୟାସଗତ ଆଚରଣ ପାଇଁ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜୋରିମାନା ପିଓଏସ୍ ମେସିନ ଜରିଆରେ ଆଦାୟ କରାଯିବ । ଏହା ଦ୍ୱାରା ସଠିକ୍ ସମୟ, ଜୋରିମାନାର ପରିମାଣ, ହିସାବ ଇତ୍ୟାଦିରେ ସ୍ୱଚ୍ଛତା ରକ୍ଷା କରାଯାଇ ପାରିବ । ଉଲ୍ଲଂଘନକାରୀଙ୍କଠାରୁ ଆଦାୟ ହେଉଥିବା ଜୋରିମାନର ପ୍ରମାଣ ସ୍ୱରୂପ ସେମାନଙ୍କୁ ରସିଦ ପ୍ରଦାନ କରାଯିବ । ଏହି ନିର୍ଦେଶ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ଏବଂ ଏହି ପରିପ୍ରେକ୍ଷିରେ ଟିମ୍‌କୁ ସୁସର୍ଜିତ କରିବାକୁ ପଡିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାରୁ, ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ପ୍ରତି ଜୋନରେ ୧୨ରୁ ୧୫ଟି ଲେଖାଏଁ ଗାଡି ବର୍ଜ୍ୟ ଏବଂ ନିର୍ମାଣ ଓ ଭଗ୍ନାବଶେଷ ଉଠାଇବା ପାଇଁ ଦିଆଯାଇଛି ବୋଲି କହିଥିଲେ କମିଶନର । ନାଗରିକମାନେ ସଫା ଭୁବନେଶ୍ୱର ଆପର ବ୍ୟବହାର କରି ପରିମଳ ଜନିତ ସେବା ପାଇପାରିବେ ବୋଲି ସେ କହିଥିଲେ ।

ବର୍ଷା ଋତୁରେ ଅଧିକ ବର୍ଜ୍ୟ ନିର୍ଗତ ହୋଇଥାଏ ଏବଂ ସେହି ସବୁ ବର୍ଜ୍ୟ ସ୍ୱଚ୍ଛତା ରକ୍ଷା କରିବାରେ ବାଧକ ସାଜିଥାଏ । ତେଣୁ ବିଭିନ୍ନ ଅଂଚଳରୁ ବାହାରୁଥିବା ଅଧିକ ବର୍ଜ୍ୟକୁ ଯୁଦ୍ଧକାଳୀନ ଭିତିରେ ଉଠାଇବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା ।

ଏହା ବ୍ୟତୀତ ୩୦ ନମ୍ବର ୱାର୍ଡ ଅନ୍ତର୍ଗତ ସହିଦ ନଗର କଂଜରଭେନ୍ସି ଲେନ୍ କ୍ଲଷ୍ଟର ନଂ-୩୦ (୩୭ରୁ ୫୦ ନମ୍ବର ଲେନ୍ ପର୍ଯ୍ୟନ୍ତ)ରେ ପେଭର ବ୍ଲକ କାମ ପାଇଁ ୧.୩୪ କୋଟି ଟଙ୍କାରୁ ଅଧିକ ଏବଂ ୩୪ ନମ୍ବର ୱାର୍ଡ ଅନ୍ତର୍ଗତ ସତ୍ୟନଗର ଓ ପ୍ରେସ କଲୋନୀ (୧ରୁ ୧୩ ନମ୍ବର ଲେନ୍ ପର୍ଯ୍ୟନ୍ତ)ରେ ପେଭର ବ୍ଲକ ରାସ୍ତା ନିର୍ମାଣ ପାଇଁ ୧.୪୧ କୋଟି ଟଙ୍କାକୁ କମିଟି ମଂଜୁର କରିଛି ।

ଏହି ବୈଠକରେ ମେୟର ସୁଲୋଚନା ଦାସ ଓ କମିଶନର ଅମୃତ କୁଲାଙ୍ଗେ ସହ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ସିଟି ଇଂଜିନିୟର ଅରୁଣ କୁମାର ନାୟକ, ଡେପୁଟି କମିଶନର କର୍ପୋରେସନ ସପନ କୁମାର ନନ୍ଦ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଅମରେଶ ଜେନା, ବିରଂଚି ନାରାୟଣ ମହାସୂପକାର, ଭାରତୀ ସିଂ, କେ, ଶାନ୍ତି ଓ ପୁଷ୍ପାଞ୍ଜଳୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।