Home Education ବିପୁଟ୍‍ ସ୍ଥିତି ଦୟନୀୟ

ବିପୁଟ୍‍ ସ୍ଥିତି ଦୟନୀୟ

ଭୁବନେଶ୍ୱର : ଓଡିଶାରେ ଗୁଣାତ୍ମକ ବୈଷୟିକ ଶିକ୍ଷା ଓ ଗବେଷଣା ପାଇଁ ରାଜ୍ୟ ସରକାର ୨୦ବର୍ଷ ତଳେ ପ୍ରତିଷ୍ଠା କରିଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପୁଟ୍‍)ରେ ସାଂଘାତିକ ଶିକ୍ଷକ ମରୁଡି ଅବସ୍ଥା ଲାଗି ରହିଥିବାରୁ ଏଠାରେ ସ୍ନାତକ ଓ ସ୍ନାତକୋତ୍ତର ଏବଂ ପିଏଚ୍‍ଡି ପାଠ୍ୟକ୍ରମରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି ।

ବିପୁଟ୍‍ରେ ୧୫୦ରୁ ଅଧିକ ବୈଷୟିକ ଶିକ୍ଷାନୁଷ୍ଠାନ ଅନୁବନ୍ଧିତ ହୋଇ ରହିଛନ୍ତି । ଏଥିରୁ ପ୍ରାୟ ୧୦ଟି ସରକାରୀ କଲେଜ ଥିବାବେଳେ ଅନ୍ୟ ସମସ୍ତ ହେଉଛନ୍ତି ସ୍ୱୀକୃତିପ୍ରାପ୍ତ ଅନୁବନ୍ଧିତ ବେସରକାରୀ କଲେଜ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବା ସମୟରୁ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଚଳିତ ହୋଇଥାଏ । କିନ୍ତୁ ବିପୁଟ୍‍ର ଅନୁବନ୍ଧିତ କଲେଜଗୁଡିକରେ ବିଟେକ୍‍ ଓ ଏମ୍‍ଟେକ୍‍ ଭଳି ପାଠ୍ୟକ୍ରମ ଚାଲୁଥିବାବେଳେ ବହୁ ବିଳମ୍ବରେ ବିପୁଟ୍‍ର ରାଉରକେଲା ଛେଣ୍ଡ୍‍ କ୍ୟାମ୍ପସରେ ବିଟେକ୍‍ ଓ ଏମଟେକ୍‍ ପାଠ୍ୟକ୍ରମ ପାଇଁ ଅନୁମତି ମିଳିଥିଲେ ମଧ୍ୟ ବିଭିନ୍ନ ବିଷୟରେ ଆବଶ୍ୟକ ସଂଖ୍ୟକ ନିୟମିତ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ଭରସା ଅତିଥି ଓ ଠିକା ଶିକ୍ଷକମାନଙ୍କ ଉପରେ ।

କୋଡିଏ ବର୍ଷର ପୁରୁଣା ବିପୁଟ୍‍ରେ ପାଠପଢା ୨୦୦୩ରୁ ଆରମ୍ଭ ହୋଇଥିଲା ଅନୁବନ୍ଧିତ କଲେଜଗୁଡିକ ମାଧ୍ୟମରେ । ୨୦୦୨ ନଭେମ୍ବର ୨୧ତାରିଖରେ ରାଜ୍ୟ ସରକାର ବିପୁଟ୍‍ ପ୍ରତିଷ୍ଠା କରିଥିଲେ । ଏନଆଇଆରଏଫ୍‍ ଓ ନାକ୍‍ ରାଙ୍କିଂରେ ବିପୁଟ୍‍ର ନାମ ଖୋଜିଲେ ମିଳିବା ମୁସ୍କିଲ୍‍ । ଅଥଚ ରାଜ୍ୟର କେତୋଟି ବେସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟର ନାମ ଏନଆଇଆରଏଫ୍‍ ଓ ନାକ୍‍ ରାଙ୍କିଂରେ ବେଶ୍‍ ଭଲ ସ୍ଥାନରେ ରହିଛି ।

ବହୁ ବିଳମ୍ବରେ ରାଜ୍ୟ ସରକାର ବିପୁଟ୍‍ର ରାଉରକେଲା ଛେଣ୍ଡ୍‍ କ୍ୟାମ୍ପସରେ ସ୍ଥପତି, କମ୍ପ୍ୟୁଟର, ମ୍ୟାନେଜମେଣ୍ଟ ଓ ଫର୍ମାସୀ ଭଳି ବିଷୟରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାପାଇଁ ନିଷ୍ପତ୍ତି ନେଇଥିବାବେଳେ ଏଥିପାଇଁ ମଧ୍ୟ ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏହି ବିଷୟଗୁଡିକ ଲାଗି ଆବଶ୍ୟକ ସଂଖ୍ୟକ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ନାହାନ୍ତି ।

ଏ ପରିପ୍ରେକ୍ଷୀରେ ୟୁଜି ଓ ପିଜି ସହିତ ବିପୁଟ୍‍ରେ ସିଧାସଳଖ କେଉଁ ପ୍ରଫେସରଙ୍କ ନିୟନ୍ତ୍ରଣରେ ଗବେଷକମାନେ କିଭଳି ପିଏଚ୍‍ଡି କରିବେ ତାହା ଏକ ପ୍ରଶ୍ନବାଚୀ । ଅବଶ୍ୟ ବିପୁଟ୍‍ର ଅନୁବନ୍ଧିତ ସରକାରୀ ଓ ବେସରକାରୀ କଲେଜଗୁଡିକ ମଧ୍ୟରୁ ଅନେକରେ ପିଏଚ୍‍ଡି ପାଠ୍ୟକ୍ରମ ଚାଲୁଛି । ବିପୁଟ୍‍ ସହ ଅନୁବନ୍ଧିତ ଥିବା କେନ୍ଦୁଝର ଓ କଳାହାଣ୍ଡିର ସରକାରୀ ଇଞ୍ଜିନିୟରିଂ କଲେଜ, ବ୍ରହ୍ମପୁରର ପିଏମ୍‍ଇସି ସମେତ ଅନ୍ୟ କଲେଜଗୁଡିକରେ ମଧ୍ୟ ବର୍ଷ ବର୍ଷ ଧରି ଅଧ୍ୟାପକ ମରୁଡି ଲାଗି ରହିଛି ।

ଯେବେଠାରୁ ବିପୁଟ୍‍ ଜନ୍ମ ନେଲାଣି ଠିକଣା ଭାବେ ତାହାର ଲାଳନ ପାଳନ ଓ ଯତ୍ନ ନିଆଯାଇଥିଲେ ତାହା ଏବେ ଆଇଆଇଟି ସମକକ୍ଷ ହୋଇସାରନ୍ତାଣି ବୋଲି ଶିକ୍ଷାବିତ୍‍ମାନେ କହୁଛନ୍ତି । ଓଡିଶାରେ ଶିଳ୍ପ ବିକାଶ ସହିତ ବୈଷୟିକ କ୍ଷେତ୍ରରେ ପ୍ରଗତି ଓ ନିଯୁକ୍ତି ଲାଗି ବ୍ୟାପକ ସମ୍ଭାବନା ଥିବାବେଳେ ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଛାତ୍ରଛାତ୍ରୀମାନେ ରାଉରକେଲାର ନିଟ୍‍ ଭଳି ସଂସ୍ଥାନ ସମେତ ଅଗ୍ରଣୀ ଘରୋଇ ବୈଷୟିକ ବିଶ୍ୱବିଦ୍ୟାଳୟଗୁଡିକୁ ପ୍ରାଥମିକତା ଦେଉଛନ୍ତି । ଏମିତିକି ରାଜ୍ୟ ବାହାରୁ ଓ ବିଦେଶରୁ ବି ଅନେକ ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନଗୁଡିକୁ ଅଧ୍ୟୟନ ଓ ଗବେଷଣା ପାଇଁ ଆସୁଛନ୍ତି । ଏ ପରିପ୍ରେକ୍ଷୀରେ ବିପୁଟ୍‍ରେ ଶୈକ୍ଷିକ ଓ ଗବେଣଣାତ୍ୱମ ଭିତ୍ତିଭୂମିର ବିକାଶ କରାଯାଇ ଅଧିକ ଦକ୍ଷ ଓ ଯୋଗ୍ୟ ପ୍ରଫେସରମାନଙ୍କୁ ନିଯୁକ୍ତି ଦେବାଲାଗି ଦାବି ହେଉଛି । (ତଥ୍ୟ)