ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସରକାରୀ ହିସାବରେ ଅଢେଇ ହଜାର ନିକଟବର୍ତ୍ତୀ ହୋଇଥିବାବେଳେ ଡେଙ୍ଗୁ ଭୟରେ ଲୋକେ ଏବେ ମନଇଚ୍ଛା ଔଷଧ ସେବନ ସହିତ ଘରୋଇ ପରୀକ୍ଷା କେନ୍ଦ୍ରରେ ନିଜର ରକ୍ତ ପରୀକ୍ଷା କରାଇବାରେ ଲାଗିଛନ୍ତି । ସରକାରୀ ଡାକ୍ତରଖାନାରେ ଅହେତୁକ ଭିଡ ଯୋଗୁଁ ଥଣ୍ଡାଜ୍ୱର ପୀଡିତମାନେ ତୁରନ୍ତ ଘରୋଇ କ୍ଲିନ୍କରେ ପହଞ୍ଚୁଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସରକାରୀ ତାଲିକାରେ ୨୪୨୬ । ଗତବର୍ଷର ଏହି ସମୟ ତୁଳନାରେ ଏହା ୮ଶହରୁ ଅଧିକ ରହିଛି । ତେବେ ଯେଉଁ ରୋଗୀମାନେ ସରକାରୀ ଡାକ୍ତରଖାନାରେ ରକ୍ତ ପରୀକ୍ଷାକରି ଚିହ୍ନଟ ହେଉଛନ୍ତି ସେମାନଙ୍କ ସଂଖ୍ୟା ହିଁ ସରକାରୀ ଭାବେ ଦର୍ଶାଯାଉଛି । ଘରୋଇ ନିଦାନ କେନ୍ଦ୍ରରେ ଯେତେ ସଂଖ୍ୟାରେ ଡେଙ୍ଗୁରୋଗୀ ଚିହ୍ନଟ ହେଉଛନ୍ତି ତାହାକୁ ହିସାବକୁ ନେଲେ ଏହି ସଂଖ୍ୟା ଢେର ଅଧିକ ହେବ ବୋଲି କୁହାଯାଉଛି ।
ତେବେ ଡେଙ୍ଗୁକୁ ନେଇ ଭୟ ସୃଷ୍ଟି ହୋଇଥିବାବେଳେ ଏବେ ସାଧାରଣ ଜ୍ୱର ରୋଗୀ ରକ୍ତ ପରୀକ୍ଷା ପୂର୍ବରୁ ଆଣ୍ଟିବାୟୋଟିକ୍ ଓ ପାଟଲେଟ୍ ବୃଦ୍ଧି ପାଇଁ ଔଷଧ ସେବନ କରିବାରେ ଲାଗିଛନ୍ତି । ଏମାନେ ସାଧାରଣତଃ ଔଷଧ ଦୋକାନରେ ପଚାରି ଡେଙ୍ଗୁ ପ୍ରତିକାର ପାଇଁ ଔଷଧ ଆଣୁଥିବାରୁ ଦୋକାନୀ ବି ଜ୍ୱର କମାଇବାପାଇଁ ପାରାସିଟାମଲ ସହିତ ଆଣ୍ଟିବାୟୋଟିକ୍, ପାଟ୍ଲେଟ୍ ବଢାଇବାପାଇଁ ଔଷଧ ଏବଂ ବିଭିନ୍ନ ପ୍ରକାରର ଭିଟାମିନ୍ ଆଦି ଧରାଇ ଦେଉଛନ୍ତି ।
ତେବେ ସରକାରୀ ଡାକ୍ତରଖାନାରେ ରକ୍ତ ପରୀକ୍ଷା ପାଇଁ ଏବେ ପ୍ରବଳ ଭିଡ ହେଉଥିବାରୁ ଜ୍ୱର ଆକ୍ରାନ୍ତମାନେ ସେଠାକୁ ଯିବାକୁ ମଙ୍ଗୁ ନାହାନ୍ତି । ଡେଙ୍ଗୁର ଏନ୍ତୁଡିଶାଳ ପାଲଟିଥିବା ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଏବେ ଦୈନିକ ଶହ ଶହ ରୋଗୀ ଡେଙ୍ଗୁ ପରୀକ୍ଷା ପାଇଁ ଆସୁଥିବାରୁ ସେଠାରେ ନ।।ହିଁ ନଥିବା ଭିଡ ପରିଲକ୍ଷିତ ହେଉଛି । ଏପରିକି ଥଣ୍ଡା ଜ୍ୱରରେ ଆକ୍ରାନ୍ତରେ ଲୋକେ ମଧ୍ୟ ଡାକ୍ତରଙ୍କୁ ଅନୁରୋଧ କରି ଡେଙ୍ଗୁ ପରୀକ୍ଷାପାଇଁ ଲେଖାଉଥିବାରୁ ସ୍ଥିତି ଅଣାୟତ ହେବାରେ ଲାଗିଛି ।
ତେବେ ଗତ କିଛିବର୍ଷ ଧରି ନିର୍ଦ୍ଦିଷ୍ଟ ସମୟରେ ରାଜଧାନୀରେ ଡେଙ୍ଗୁ ପ୍ରାବଲ୍ୟ ଦେଖାଦେଉଥିବାବେଳେ ଦୁଇବର୍ଷ ତଳେ ଏଠାରେ ଚିକିତ୍ସିତ ହୋଇଥିବା ଡେଙ୍ଗୁ ରୋଗୀଙ୍କ ଠାରୁ ଟେଲିଫୋନ୍ ଯୋଗେ ମତାମତ ଲୋଡାଯାଇଥିଲା । ତେବେ ଅଧିକାଂଶ ଲୋକେ ଡେଙ୍ଗୁ ପରୀକ୍ଷା ଲାଗି ସ୍ୱତନ୍ତ୍ର ସେଲ୍ ଖୋଲିବାକୁ ମତ ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷ ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ । ଫଳରେ ଲୋକେ ଏବେ ଘରୋଇ ନିଦାନ କେନ୍ଦ୍ର ମୁହାଁ ହେବାରେ ଲାଗିଛନ୍ତି ।
ରାଜ୍ୟ ରାଜଧାନୀରେ ଡେଙ୍ଗୁ ବୃଦ୍ଧିକୁ ନେଇ ଉଦ୍ବେଗ ପ୍ରକାଶ ପାଉଥିବାବେଳେ ପୁରୀ ଓ ବାଲେଶ୍ୱର ଭଳି ଜିଲ୍ଲାରେ ମଧ୍ୟ ଏହା ଅଣାୟତ ହେବାରେ ଲାଗିଛି । ପୁରୀରେ ସରକାରୀ ତାଲିକାରେ ୨୨୯ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରେ ଏହା ୨୧୨ରେ ପହଞ୍ଚିଛି । କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩ ହୋଇଥିବାବେଳେ ଗଞ୍ଜାମରେ ଏହା ୧୧୯ ଓ ନୟାଗଡରେ ୯୩ରେ ପହଞ୍ଚିଛି ।
ଡେଙ୍ଗୁକୁ ନେଇ ଲୋକେ ଛାନିଆ ହେଉଥିବାବେଳେ ତୁରନ୍ତ ସରକାରୀ ଡାକ୍ତରଖାନାଗୁଡିକରେ ରକ୍ତ ପରୀକ୍ଷାପାଇଁ ସ୍ୱତନ୍ତ୍ର ସେଲ୍ ଖୋଲିବାକୁ ଦାବି ହେଉଛି । ଏହା ନହେଲେ ଲୋକେ ଯେଭଳି ଘରୋଇ ନିଦାନ କେନ୍ଦ୍ରରେ ରକ୍ତ ପରୀକ୍ଷାକରି ମନଇଚ୍ଛା ଔଷଧ ସେବନ କରୁଛନ୍ତି ତାହା ଆଗାମୀ ଦିନରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)