ଭୁବନେଶ୍ୱର : ଆସନ୍ତା ନିର୍ବାଚନରେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡିକୁ ହରାଇବାପାଇଁ କଂଗ୍ରେସ ନେତୃତ୍ୱରେ ପରିଚାଳିତ ‘ଇନ୍ଡିଆ’ ମେଣ୍ଟ ଉଦ୍ୟମ କରୁଥିବାବେଳେ ସାମ୍ପ୍ରଦାୟିକ ସଦ୍ଭାବନା ଓ ଭାରତ ଯୋଡ କାର୍ଯ୍ୟକ୍ରମରେ ଯୋଡିହୋଇ ରାଜ୍ୟର କିଛି ଗାନ୍ଧୀବାଦୀ ସଂଗଠନ ମଧ୍ୟ ଏହି ଦୁଇ ଦଳକୁ ହଟାଇବାପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ଇତି ମଧ୍ୟରେ ରାଜଧାନୀରେ ଅନୁଷ୍ଠିତ ଭାରତଯୋଡ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଏକ ସମାବେଶରେ କିଛି ସର୍ବୋଦୟ ସଂଗଠନର ନେତାମାନଙ୍କୁ ଦେଖିବାକୁ ମିଳିଥିଲା । ଏମାନେ ଭାରତଯୋଡ ସମ୍ମିଳନୀର ଦାୟିତ୍ୱ ନେବା ସହ କାର୍ଯ୍ୟକ୍ରମର ସଫଳତା ଲାଗି ସମାବେଶ କରିବେ ବୋଲି ଘୋଷଣା କରିଛନ୍ତି । ଅବଶ୍ୟ ସର୍ବୋଦୟ ନେତାମାନଙ୍କ ସହିତ ଏହି ସମାବେଶରେ କଂଗ୍ରେସ, ବାମପନ୍ଥୀ ଓ ଇନ୍ଡିଆ ମେଣ୍ଟଭୁକ୍ତ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଏବେ ଜାତୀୟ ସ୍ତରରେ ଦିନକୁ ଦିନ ସର୍ବୋଦୟ ଆନ୍ଦୋଳନ ଗୋଷ୍ଠି କନ୍ଦଳ ଯୋଗୁଁ ଦୁର୍ବଳ ହେବା ସହିତ କୋର୍ଟ କଚେରୀରେ ମାମଲାମାନ ବଢୁଛି । ଏ ପରିପ୍ରେକ୍ଷୀରେ ସାବରମତି ଆଶ୍ରମ, ସେବାଗ୍ରାମ ଓ ବାରାଣାସୀରେ ଥିବା ଆଶ୍ରମଗୁଡିକରେ ଏହି ଗୋଷ୍ଠି ବିବାଦ ଓ କୋର୍ଟ କଚେରୀରେ ମୋକଦ୍ଦମା ଲଢେଇ ଯୋଗୁଁ ସଂସ୍ଥାଗୁଡିକ ବହୁ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଗାନ୍ଧୀଜୀଙ୍କ ବିଚାରକୁ ଭଲ ପାଉଥିବା ରାଜ୍ୟ ଭିତର ଓ ବାହାରର ଅନେକ ବ୍ୟକ୍ତିବିଶେଷ ଉଦ୍ବେଗର ସହ ପ୍ରକାଶ କରୁଛନ୍ତି ।
ଓଡିଶାରେ ଗାନ୍ଧୀ ବିଚାରକୁ ପ୍ରସାରିତ କରିବା କ୍ଷେତ୍ରରେ ସ୍ୱାଧୀନତା ଆନ୍ଦୋଳନ ସମୟରୁ ନିରବଚ୍ଛିନ୍ନ କାର୍ଯର୍୍ୟ ଚାଲିଥିଲା ଏବଂ ସେଥିରେ ଉଦବୁଦ୍ଧ ହୋଇ ଅନେକ ବଳିଦାନ ଦେବା ସହ କାରା ଓ ନିର୍ଯ୍ୟତନା ମଧ୍ୟ ବରଣ କରିଥିଲେ । ଏହାଛଡା ଗାନ୍ଧୀ ବିଚାରରେ ଆଉ କେତେକ ତୁଙ୍ଗ ବ୍ୟକ୍ତିତ୍ୱ ରଚନାତ୍ମକ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଘଟାଇ ଗାଁ ଗହଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ନେଇଯାଇଥିଲେ ଓ ତାହା ଭିତରୁ ଅନେକ ରଚନାତ୍ମକ କର୍ମୀ ମଧ୍ୟ ସୃଷ୍ଟି ହୋଇଥିଲେ । ପରବର୍ତ୍ତୀ ସମୟରେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ଓଡିଶାରେ ବେଶ୍ ସଫଳ ହୋଇଥିବାବେଳେ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନରେ ବି ଓଡିଶାର ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ମନମୋନହ ଚୌଧୁରୀଙ୍କ ସମେତ ବହୁ ସର୍ବୋଦୟ ନେତା କାରାବରଣ କରିଥିଲେ ।
ବିଭିନ୍ନ ସମୟରେ ସାମ୍ପ୍ରଦାୟିତ୍ୱ ସୌହାର୍ଦ୍ଦ ରକ୍ଷା କରିବା କ୍ଷେତ୍ରରେ ଏହି ଗାନ୍ଧୀବାଦୀ ସଂଗଠନଗୁଡିକ ବିଶେଷ ଭୂମିକା ଗ୍ରହଣ କରୁଥିଲେ । ରାଉରକେଲା, କଟକ, ବାଲେଶ୍ୱର, ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଯେତେବେଳେ ବି ସାମ୍ପ୍ରଦାୟିତ୍ୱ ବିଦ୍ୱେଷ ମୁଣ୍ଡ ଟେକୁଥିଲା ଏବଂ କଳାହାଣ୍ଡି ଠାରୁ କୁଜଙ୍ଗ ପର୍ଯ୍ୟନ୍ତ ପ୍ରାକୃତିକ ଦୁର୍ବିପାକରେ ଲୋକେ ଘାଣ୍ଟି ହେଉଥିଲେ ସେତେବେଳେ ସର୍ବୋଦୟ ସେବକମାନେ ସେବାର ବୈଜୟନ୍ତୀ ଉଡାଉଥିଲେ । ଏମିତିକି ଅଶୀ ଦଶକରେ ସର୍ବୋଦୟ ସଂଗଠନଗୁଡିକୁ ଜବତ କରିବାପାଇଁ କୁଦାଲ କମିଶନ ମାଧ୍ୟମରେ ବି ଷଡଯନ୍ତ୍ର ହୋଇଥିଲା ।
ଏବେ କିନ୍ତୁ ଜାତୀୟ ସ୍ତରରେ ସର୍ବୋଦୟ ସଂଗଠନଗୁଡିକ ମଧ୍ୟରେ ଗୋଷ୍ଠି କନ୍ଦଳ, ମାଲିମୋକଦ୍ଦମା ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟିହୋଇଛି ତାହାର ପ୍ରଭାବ ମଧ୍ୟ ଓଡିଶାରେ ପଡିଛି । ବସ୍ତୁତଃ ଗୋଷ୍ଠିକନ୍ଦଳ ଯୋଗୁଁ ଗାନ୍ଧୀ କାମର ଚମକ ହଜି ଯାଉଥିବାବେଳେ ସର୍ବୋଦୟ ନେତାମାନଙ୍କୁ ବିଭିନ୍ନ ରାଜନୈତିକଦଳର ନେତାମାନଙ୍କ ସହ ଦେଖିବାକୁ ମିଳୁଛି । ଏଥିଯୋଗୁଁ ଗାନ୍ଧୀପ୍ରେମୀମାନଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହେଉଥିବାବେଳେ ନେତାମାନେ କିନ୍ତୁ କିଏ ବିଜେପି ତ କିଏ କଂଗ୍ରେସ ଓ ଆଉକିଏ ଅନ୍ୟକୌଣସି ଦଳ ସହ ଯେପରି ସମ୍ପର୍କ ବଢାଇ ଆଗାମୀ ନିର୍ବାଚନ କଥା ଚିନ୍ତା କରୁଛନ୍ତି ତାହା ଗାନ୍ଧୀ ବିଚାରକୁ କେତେଦୂର ସମୃଦ୍ଧ କରିବ ତାହା ଭବିଷ୍ୟତର ଇତିହାସ ହିଁ କହିବ । (ତଥ୍ୟ)