ଭୁବନେଶ୍ୱର : ବର୍ଷା ଋତୁ ପୂର୍ବରୁ ରାଜଧାନୀର ଡ୍ରେନଗୁଡିକୁ ସଫା କରିବା ସହିତ ମୁକୁଳା ଡ୍ରେନକୁ ଘୋଡାଇବାପାଇଁ ନଗର ଉନ୍ନୟନ ବିଭାଗର ତାଗିଦାକୁ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଖୋଦ୍ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଦପ୍ତର ପାଶ୍ୱର୍ରେ ଥିବା ଡ୍ରେନ ମାସ ମାସ ଧରି ମୁକୁଳା ହୋଇ ପଡିଛି । ଏଠାରେ କେତେବେଳେ ଛାତ୍ରଛାତ୍ରୀ ଯେ ଗଳିନପଡିବେ ତାହା କହିହେଉନାହିଁ ।
ରାଜଧାନୀରେ ଜଳ ନିଷ୍କାସନକୁ ସୁଗମ କରିବାପାଇଁ ବର୍ଷାଋତୁ ପୂର୍ବରୁ ଡ୍ରେନ ସଫା ପାଇଁ କର୍ତ୍ତୃପକ୍ଷ ଫତୁଆ ଜାରି କରିଥିଲେ । ତଦନୁଯାୟୀ କାମ ବି ଆରମ୍ଭ ହୋଇଥିଲା । ହେଲେ କିଛି ସ୍ଥାନରେ କାମ କରୁଥିବା ଠିକାଦାରମାନେ ଡ୍ରେନ ସଫା କରିବାପରେ ଆଉ ତାହାକୁ ଘୋଡାଉ ନାହାନ୍ତି । ଡ୍ରେନରୁ ଉଠାଇଥିବା ସିମେଣ୍ଟ ସ୍ଲାବ୍ଗୁଡିକୁ ସେଭଳି ଅବସ୍ଥାରେ ଛାଡିଦେଇ ଚାଲି ଯାଉଛନ୍ତି ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିଏମ୍ସି ଦପ୍ତର ପାଶ୍ୱର୍ରେ ଥିବା ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ । ବିଦ୍ୟାଳୟର ଦୁଇ ନମ୍ବର ଫାଟକ କଡରେ ଥିବା ଡ୍ରେନଟି ସଫା ହେବାପରେ ପ୍ରାୟ ଦେଢମାସ ଧରି ମୁକୁଳା ହୋଇ ପଡିଛି । ଏହା ସ୍ଥାନୀୟ ସାନିଟାରୀ ଇନ୍ସପେକ୍ଟରଙ୍କ ଠାରୁ ଆରମ୍ଭ କରି ୱାର୍ଡ ଅଫିସର ଓ ବିଏମ୍ସି ଅଧିକାରୀଙ୍କ ଦୃଷ୍ଟିକୁ ନଆସିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଅଭିଭାବକ ଏହି ମୁକୁଳା ଡ୍ରେନର ଫଟୋ ଟୁଇଟ୍ ଜରିଆରେ ବିଏମ୍ସିକୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ ।
କେନ୍ଦ୍ରୀୟ ବିଦ୍ୟାଳୟର ଦୁଇ ନମ୍ବର ଫାଟକରେ ପ୍ରତିଦିନ ହଜାର ହଜାର ଛାତ୍ରଛାତ୍ରୀ ଯା ଆସ କରିବା ସହିତ ଛୁଟି ସମୟରେ ପିଲମାନେ ଏହି ମୁକୁଳା ଡ୍ରେନ ଉପରେ ହିଁ ଯା ଆସ କରୁଛନ୍ତି । ତେଣୁ କେତେବେଳେ ଯେ ଛାତ୍ରଛାତ୍ରୀମାନେ ଏହି ମୁକୁଳା ଡ୍ରେନରେ ପଡି ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନା ନଯିବେ ତାହା କହି ହେଉନାହିଁ ।
କେବଳ ଏହି ଗୋଟିଏ ଉଦାହରଣ ନୁହେଁ, ବିଏମ୍ସି ଏବେ ଡେଙ୍ଗୁ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ଏଭଳି ମୁକୁଳା ଡ୍ରେନ କିଭଳି ସ୍ଥାନୀୟ ଅଧିକାରୀଙ୍କ ନଜରକୁ ଆସୁନାହିଁ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ୱାର୍ଡ ଦାୟିତ୍ୱରେ ଥିବା ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁନଥିବା ଏଥିରୁ ଜଳ ଜଳ ହୋଇ ଦିଶୁଥିବା ଲୋକେ ଅଭିଯୋଗ କରୁଛନ୍ତି ।
ମୁକୁଳା ଡ୍ରେନ ସହିତ ବିଏମ୍ସି ଦପ୍ତର ନିକଟରେ ଥିବା ଏହି ବିଦ୍ୟାଳୟ ପାଶ୍ୱର୍ରେ ଅସରାଏ ବର୍ଷା ହେଲେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି । ଏଠାରେ ଥିବା ଡ୍ରେନ ନିର୍ମାଣରେ ଢାଞ୍ଚାଗତ ତ୍ରୁଟି ସହିତ ଜବରଦଖଲ ଯୋଗୁଁ ଏଭଳି ଅବସ୍ଥା ଉପୁଜୁଥିବାବେଳେ ବିଏମ୍ସି କର୍ତ୍ତୃପକ୍ଷ କାହିଁକି ତାହାର ସମାଧାନ କରୁନାହାନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ମଝିରେ ମଝିରେ କେବଳ ଜବରଦଖଲକୁ ଉଚ୍ଛେଦ କରି ବିଏମସି ତାହାର କାମ ସାରିଦେଉଥିବାବେଳେ ଏବେ ବର୍ଷା ସମୟରେ ଜଳବନ୍ଦୀ ଓ ମୁକୁଳା ଡ୍ରେନ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ କାଳ ହୋଇଛି । ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଅଭିଭାବକମାନେ ଦାବି କରିଛନ୍ତି । (ତଥ୍ୟ)