ଭୁବନେଶ୍ୱର : ପାଣିପାଗର ପରିବର୍ତ୍ତନ ପରିପ୍ରେକ୍ଷୀରେ ଯେଭଳି ବୃଷ୍ଟିପାତରେ ଅନିୟମିତତା ଲକ୍ଷ୍ୟ କରାଯାଉଛି ସେଥିଯୋଗୁ ଏବର୍ଷ ଖାଦ୍ୟଶସ୍ୟ ଓ ପନିପରିବା ଉତ୍ପାଦନ କମିପାରେ ବୋଲି କୃଷି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ଚଳିତବର୍ଷ ଶ୍ରାବଣ ମାସରେ ଓଡ଼ିଶାରେ ତାପମାତ୍ରା ୩୬ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ କରାଯାଇଛି । ସାଧାରଣତଃ ଧାରା ଶ୍ରାବଣରେ ପ୍ରାୟ ପ୍ରତିଦିନ ବର୍ଷା ହୋଇଥାଏ । ଆଷାଢ ଓ ଶ୍ରାବଣକୁ ନେଇ ବର୍ଷାଋତୁ ହୋଇଥିବାବେଳେ ବସ୍ତୁତଃ ଜ୍ୟୋଷ୍ଠ ମାସରୁ ବର୍ଷା ଆରମ୍ଭ ହୋଇଯାଇଥାଏ ଏବଂ ଏହାକୁ ଆଖି ଆଗରେ ରଖି ଅକ୍ଷୟ ତୃତୀୟା ଠାରୁ ଓଡ଼ିଶାରେ ଅକ୍ଷିମୁଠି ଅନୁକୁଳ କରାଯାଇଥାଏ ।
ଚଳିତବର୍ଷ ଜ୍ୟେଷ୍ଠ ମାସରେ ବିଶେଷ ବୃଷ୍ଟିପାତ ହୋଇ ନଥିବାବେଳେ ଅକ୍ଷୟ ତୃତୀୟା ବେଳକୁ ଜମିରେ ହଳ କରିବାକୁ ବହୁ ଅଞ୍ଚଳରେ ପାଗ ନଥିଲା । ଆଷାଢ ଓ ଶ୍ରାବଣ ମାସରେ ଯେତେ ବର୍ଷା ହେବାକଥା ତାହା ତୁଳନାରେ ଏବର୍ଷ ଢେର କମ ବର୍ଷା ହୋଇଛି । ଯେତିକି ବି ବର୍ଷା ହୋଇଛି ଅନିୟମିତତା ଯୋଗୁ କେଉଁ ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ ଘଟି ବନ୍ୟା ପରିସ୍ଥିତି ଉପୁଜିଛି ତ ଆଉ କେଉଁ ଅଞ୍ଚଳରେ ବର୍ଷା ଅଭାବରୁ ଧାନ ତଳି ଜଳିଯିବା ସହ ରୋଇବା ପାଇଁ ବିଲ ବି କାଦୁଅ ହୋଇପାରୁନାହିଁ । ଏହିଭଳି ସ୍ଥିତି ଲାଗି ରହିଲେ ଚଳିତ ଖରିଫ୍ ଋତୁରେ ଓଡ଼ିଶାରେ ଧାନ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରୁଛନ୍ତି ଗାଁ ଗହଳର ପୁରୁଖା ଚାଷୀମାନେ । ଅନିୟମିତ ବୃଷ୍ଟିପାତ ଯୋଗୁ ଯେଉଁ କେତେକ ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁ ବନ୍ୟା ପରିସ୍ଥିତି ଉତ୍କଟତର ହେଲା ସେଠାରେ ଚାଷୀମାନଙ୍କ କ୍ଷେତରୁ ପନିପରିବାଠାରୁ ଆରମ୍ଭ କରି ଧାନ ପର୍ଯ୍ୟନ୍ତ ଗଛ ପଚିଯାଇଛି । ଏଥିଯୋଗୁ ଋଣ କରି ପନିପରିବା ଚାଷ କରିଥିବା ଚାଷୀମାନେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ।
କୃଷି ବିଶେଷଜ୍ଞମାନେ ସ୍ୱୀକାର କରିଛନ୍ତି ଯେ, ଚଳିତବର୍ଷ ଧାନ, ପନିପରିବା ସହିତ ଡାଲି, ତୈଳବୀଜ ଆଦି ଫସଲ ମଧ୍ୟ ପ୍ରଭାବିତ ହୋଇପାରେ । ଏହାଛଡ଼ା କପା, ଅଦା, ହଳଦୀ ସମେତ ଆଖୁ ଭଳି ଚାଷ ବି କ୍ଷତିଗ୍ରସ୍ତ ହେବା ସମ୍ଭାବନାକୁ ଏଡାଇ ଦେଇହେବନାହିଁ । ତେବେ ଏବେଠୁ ଯଦି ପାଣିପାଗରେ ପରିବର୍ତ୍ତନ ଘଟି ବୃଷ୍ଟିପାତ ଅନୁକୁଳ ରହେ ତା’ ହେଲେ ପରିସ୍ଥିତିରେ ଓଡ଼ିଶାର ପରିଶ୍ରମୀ ଚାଷୀମାନେ ଅନେକ ସୁଧାର ଆଣିପାରିବେ । ଅନୁକୁଳ ପାଣିପାଗ ଉପରେ ରାଜ୍ୟର ପ୍ରାୟ ୪୨ଲକ୍ଷ କୃଷକ ଓ ୬୮ଲକ୍ଷ କୃଷି ଶ୍ରମିକଙ୍କ ପରିବାରର ଜୀବନ ଜୀବିକା ନିର୍ଭର କରୁଛି ।
କୃଷି ବିଶେଷଜ୍ଞମାନେ କହୁଛନ୍ତି ଯେ ଓଡ଼ିଶା ପାଇଁ ବର୍ଷକୁ ପ୍ରାୟ ୭୦ଲକ୍ଷ ମେଟ୍ରିକ୍ଟନ ଚାଉଳ ଦରକାର ପଡୁଥିବାବେଳେ ଏ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଛି । ତେବେ ଅନ୍ୟରାଜ୍ୟରୁ ଓଡ଼ିଶାକୁ ଏବେ ବି ବାର୍ଷିକ ପ୍ରାୟ ୧୦ଲକ୍ଷ ମେଟ୍ରିକଟନ ଚାଉଳ ଆସୁଥିବାବେଳେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କୁ ୨୦ଲକ୍ଷ ମେଟ୍ରିକ୍ଟନ୍ରୁ ଅଧିକ ଚାଉଳ ଯୋଗାଉଛି । ଓଡ଼ିଶା ପାଇଁ ଏବେ ବାର୍ଷିକ ସାଢେ ୩ଲକ୍ଷ ମେଟ୍ରିକଟନ ଡାଲି, ୨ଲକ୍ଷ ମେଟ୍ରିକ୍ଟନ୍ ଖାଇବା ଦେଲ ଓ ସମାନ ପରିମାଣର ଚିନି ଆବଶ୍ୟକ ହେଉଛି । ରାଜ୍ୟର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ୬ଲକ୍ଷ ୭୦ହଜାର ମେଟ୍ରିକ୍ ଟନ୍ରୁ ଅଧିକ ଲୁଣ ସହିତ ବାର୍ଷିକ ୩୦ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର କପଡ଼ା ଦରକାର ରହିଛି ।
ଏହାଛଡ଼ା ଓଡ଼ିଶା ପାଇଁ ବାର୍ଷିକ ପ୍ରାୟ ୧୨ଲକ୍ଷ ମେଟ୍ରିକ୍ଟନ୍ ଆଳୁ ଓ ୪ଲକ୍ଷ ମେଟ୍ରିକ୍ଟନ୍ ପିଆଜ ଦରକାର ପଡୁଛି । ପାଣିପାଗରେ ଅନିୟମିତତା ଲାଗି ରହିଲେ ଖାଦ୍ୟଶସ୍ୟ ଉତ୍ପାଦନ ବିଶେଷ ଭାବେ ବାଧାପ୍ରାପ୍ତ ହେବ ଏବଂ ଏହା ରାଜ୍ୟର ଅର୍ଥନୀତି ପ୍ରତି ସମସ୍ୟା ସୃଷ୍ଟି କରିପାରେ । ଏହାକୁ ଆଖି ଆଗରେ ରଖି କୃଷି ବିଭାଗ କମ ପାଣିରେ ଉତ୍ପାଦନ ହୋଇପାରୁଥିବା ମାଣ୍ଡିଆ ଭଳି ବିକଳ୍ପ ଚାଷରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ କମ୍ ପାଣିରେ ହୋଇପାରୁଥିବା ପନିପରିବା ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ପ୍ରତି ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଯୋଗାଉଛନ୍ତି । ଏଥିସହିତ ଚାଷୀମାନେ ଯେଭଳି ଯାନ୍ତ୍ରିକ କୃଷି ପ୍ରତି ଆଗ୍ରହୀ ହେବା ସହିତ ବ୍ୟାଙ୍କ ଗୁଡିକରୁ ଅଧିକ ପରିମାଣର ଋଣ ପାଇପାରନ୍ତି ସେଦିଗରେ ମଧ୍ୟ ସରକାର ତତ୍ପରତା ପ୍ରକାଶ କରୁଛନ୍ତି । ତେବେ ଏ ସମସ୍ତ ଯୋଜନାର ସଫଳତା ମୁଖ୍ୟତଃ ଭଲ ବୃଷ୍ଟିପାତ ଉପରେ ନିର୍ଭର କରୁଛି । (ତଥ୍ୟ)