ଭୁବନେଶ୍ୱର : ରାଜ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରିବାପାଇଁ ୩୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଉନ୍ନତ ଅଭିଳାଷା (ନୂଆ) ଓଡିଶା ଯୋଜନା ଉପରେ କ୍ୟାବିନେଟ୍ ମୋହର ଲାଗିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକକର ଏହି ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ମୁଖ୍ୟ ସଚିବ କହିଛନ୍ତି ଯେ ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଉଦୀୟମାନ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଅଭାବକୁ ଦୂର କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ ।
ପାରମ୍ପରିକ କ୍ଷେତ୍ର (ହସ୍ତଶିଳ୍ପ, ହସ୍ତତନ୍ତ, କୃଷି ଇତ୍ୟାଦି) ରେ ନୂତନ ଯୁଗର ଜ୍ଞାନକୌଶଳର ବ୍ୟବହାରରେ ଥିବା ଦକ୍ଷତା ବ୍ୟବଧାନକୁ ଦୂର କରିବାରେ ଏହା ସହାୟକ ହେବ । ଏଥିରେ ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା, ବିଦ୍ୟମାନ ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍ ଅନ୍ ସ୍କିଲ୍ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୁବକମାନଙ୍କ ପାଇଁ ଡିଜିଟାଲ ଓ ଇ-ପାଠ୍ୟକ୍ରମ, ବିଭିନ୍ନ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ଦକ୍ଷତା ଇତ୍ୟାଦି ରଖାଯିବ ।
ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦକ୍ଷତା ଅନୁଷ୍ଠାନ (ଆଇଟିଆଇ ପଲିଟେକ୍ନିକ ଇତ୍ୟାଦି) ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କ୍ଲଷ୍ଟର (ଏମଏସଏମଇ, କୃଷି, ହସ୍ତଶିଳ୍ପ ଇତ୍ୟାଦି) ମାଧ୍ୟମରେ ଦକ୍ଷତା, ରିସ୍କିଲିଂ ଏବଂ ଅପସ୍କିଲିଂ ସୁଯୋଗ ଯୋଗାଇ ଦିଆଯିବ ।
ପ୍ରତିଷ୍ଠିତ ଶିଳ୍ପ ଏବଂ ପ୍ରଶିକ୍ଷଣ ପ୍ରଦାନକାରୀ, ଶିଳ୍ପ ସଂଘ ଇତ୍ୟାଦିଙ୍କୁ ନେଇ ଗଠିତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ସଂସ୍ଥା ଗୁଡିକୁ ଭିନ୍ନ ଏବଂ ପ୍ରୋତ୍ସାହନ ଭିତ୍ତିକ ଆଭିମୁଖ୍ୟ ଉପରେ ଆଧାରିତ ଏକ ସକ୍ଷମ ନୀତି ଢାଞ୍ଚା ମାଧ୍ୟମରେ ଦକ୍ଷତା କାର୍ଯ୍ୟକ୍ରମ ପ୍ରଦାନ କରିବାପାଇଁ ନିୟୋଜିତ କରାଯିବ ।
ରାଜ୍ୟରେ ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର, ସୁସଜ୍ଜିତ ଲ୍ୟାବ୍ ଏବଂ ଏକ ସୁଦୃଢ ଦକ୍ଷତା ପରିବେଶ ପ୍ରତିଷ୍ଠା ହେଲେ ‘ସ୍କିଲ୍ ଇନ୍ ଓଡିଶା’ ବ୍ରାଣ୍ଡ୍କୁ ଆହୁରି ସୁଦୃଢ କରିବାରେ ସହାୟକ ହେବ ।
୨୦୨୩-୨୪ ବଜେଟ୍ରେ ପରିକଳ୍ପନା କରାଯାଇଥିବା ଅନୁଯାୟୀ ନୂଆ ଓଡିଶା ଅର୍ଥନୈତିକ ସଶକ୍ତିକରଣ ଦିଗରେ ଦକ୍ଷତା ମାଧ୍ୟମରେ ରାଜ୍ୟବାସୀଙ୍କ ଜୀବନରେ ପରିବର୍ତ୍ତନ ସୁନିଶ୍ଚିତ କରିବାପାଇଁ ଓଡିଶା ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।