ଭୁବନେଶ୍ୱର : ଗତ ଆର୍ଥିକ ବର୍ଷରେ ସମଗ୍ର ଦେଶରେ ଏକ ଲକ୍ଷ ମେଗାୱାଟରୁ ଅଧିକ ସୌରଶକ୍ତି ଉତ୍ପାଦନ ହୋଇଥିବାବେଳେ ଓଡିଶାର ଅବଦାନ ଏଥିରେ ମାତ୍ର ୭୦୬ ମେଗାୱାଟ ରହିଛି । ତେବେ ରାଜସ୍ଥାନରେ ସର୍ବାଧିକ ୩୪ହଜାର ମେଗାୱାଟରୁ ଅଧିକ ସୌରଶକ୍ତି ଉତ୍ପାଦନ ହୋଇଥିବା ଜଣାଯାଇଛି ।
ଦେଶରେ ସୌରଶକ୍ତି ଉତ୍ପାଦନ ନେଇ କେନ୍ଦ୍ର ସରକାରଙ୍କ ସୂଚନାରୁ ଜଣାଯାଇଛି ଯେ ୨୦୨୨-୨୩ ବର୍ଷରେ ସମଗ୍ର ଦେଶରେ ମୋଟ୍ ୧,୦୨,୦୧୪.୨୩ ମେଗାୱାଟ ସୌରଶକ୍ତି ଉତ୍ପାଦନ ହୋଇଥିବାବଳେ ଓଡିଶାରେ ମାତ୍ର ୭୦୬.୨୪ ମେଗାୱାଟ ସୌରଶକ୍ତି ଉତ୍ପାଦନ ହୋଇଛି । ଏହି ସମୟରେ କିନ୍ତୁ ରାଜସ୍ଥାନରେ ସର୍ବାଧିକ ୩୪,୪୪୭ ମେଗାୱାଟ, କର୍ଣ୍ଣାଟକରେ ୧୪,୧୫୩ ମେଗାୱାଟ, ଗୁଜୁରାଟରେ ୧୦,୩୩୫ ମେଗାୱାଟ, ତାମିଲନାଡୁରେ ୯୪୧୯ ମେଗାୱାଟ, ଆନ୍ଧ୍ରପ୍ରଦେଶରେ ୮୧୪୦ ମେଗାୱାଟ, ତେଲେଙ୍ଗାନାରେ ୬୭୪୫ ମେଗାୱାଟ, ମହାରାଷ୍ଟ୍ରରେ ୪୩୮୭ ମୋଗାୱାଟ ଓ ମଧ୍ୟପ୍ରଦେଶରେ ୩୮୩୯ ମେଗାୱାଟର ସୌରଶକ୍ତି ଉତ୍ପାଦନ ହୋଇଛି ।
ଇତି ମଧ୍ୟରେ ସମଗ୍ର ଦେଶରେ ୭୦ହଜାର ମେଗାୱାଟ ସୌରଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ ହୋଇଥିବାବେଳେ ଏଥି ମଧ୍ୟରେ ଓଡିଶାରେ ୪୫୮.୮୮ ମୋଗାୱାଟ ସୌରଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ କରାଯାଇଛି । ଏହି ସମୟରେ ଆନ୍ଧ୍ରପ୍ରଦେଶରେ ୪୫୫୨ ମେଗାୱାଟ, ଛତିଶଗଡରେ ୯୬୨ ମେଗାୱାଟ, ଝାଡଖଣ୍ଡରେ ୧୧୯ ମେଗାୱାଟ ଓ ପଶ୍ଚିମବଙ୍ଗରେ ୧୯୪ ମେଗାୱାଟ ସୌର ଉତ୍ପାଦନ କ୍ଷମତା ସ୍ଥାପନ କରାଯାଇପାରିଛି ।
ତେବେ ଦେଶରେ ୭,୪୮,୯୯୦ ମେଗାୱାଟ ସୌରଶକ୍ତି ଉତ୍ପାଦନ ହୋଇପାରିବ ବୋଲି ଆକଳନ କରାଯାଇଛି । ତାହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସୌରଶକ୍ତି ଉତ୍ପାଦନ ପାଇଁ ଅଧିକରୁ ଅଧିକ ଘରୋଇ ପୁଞ୍ଜି ନିବେଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନ ଦେଶରେ ୫୫.୯୦ ଗିଗାୱାଟ ସୌର ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ଜାରି ରହିଛି ।
ଦେଶରେ ସୌର ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଆନ୍ତଃ ରାଜ୍ୟ ଟ୍ରାନ୍ସମିଶନ ଉପରୁ ଦେୟ ଛାଡ କରିବା ସହିତ ଏହାକୁ ୨୦୨୫ ଜୁନ୍ ୩୦ ପର୍ଯ୍ୟନ୍ତ ଜାରି ରଖିଛନ୍ତି । ସେହିଭଳି ଓଡିଶାରେ ମଧ୍ୟ ସୌର ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ଉଭୟ ମାଟି ଉପରେ ଓ ଜଳଭଣ୍ଡାରରେ ସୌର ପ୍ୟାନେଲ ସ୍ଥାପନ ଲାଗି ପ୍ରକଳ୍ପ ହାତକୁ ନିଆଯାଇଛି । ରାଜ୍ୟର ପ୍ରମୁଖ ଜଳଭଣ୍ଡାରଗୁଡିକରେ ଭାସମାନ ସୌର ପ୍ରକଳ୍ପ ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । (ତଥ୍ୟ)