ଭୁବନେଶ୍ୱର : ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ),ଓଡିଶା ଆଂଚଳିକ ଶାଖା ତରଫରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ହସ୍ତତନ୍ତ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି । ୩ ଦିନ ଧରି ଆୟୋଜିତ ଏହି ପ୍ରଦର୍ଶନୀ ଷ୍ଟଲକୁ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ ସୁଧାଂଶୁ କେ.କେ. ମିଶ୍ର, ମୁଖ୍ୟ ପରିଚାଳକ, ନାବାର୍ଡ ବିଭୂତି ଭୂଷଣ ସାହୁ, ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରିଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦର୍ଶନୀରେ ନାବାର୍ଡ ସହାୟତାରେ ପରିଚାଳିତ ଖୋର୍ଦ୍ଧା, କଟକ, ସମ୍ବଲପୁର, ଯାଜପୁର, ମୟୁରଭଞ୍ଜ, ସୁବର୍ଣ୍ଣପୁର ଆଦିରୁ ୭ଟି ହସ୍ତତନ୍ତ ଉତ୍ପାଦକ ସଂଘ ଅଂଶଗ୍ରହଣ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ୨୦୨୧ ବ୍ୟାଚର ୫ ଜଣ ଆଇଏସ୍ ପ୍ରୋବେସନର ମଧ୍ୟ ଅତିଥିଭାବେ ଊପସ୍ଥିତ ଥିଲେ ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ଆମ ଦେଶ ତଥା ରାଜ୍ୟର ହସ୍ତଶିଳ୍ପ, ହସ୍ତତନ୍ତ ଓ ହସ୍ତକଳାର ସ୍ୱତନ୍ତ୍ର ପରିଚୟ ରହିଛି । ଜାତୀୟ ହସ୍ତତନ୍ତ ଦିବସ ଭାରତରେ ହସ୍ତତନ୍ତ କାରିଗରୀର ବର୍ଷ ବର୍ଷ ଧରି ପୁରାତନ ପରମ୍ପରାକୁ ସ୍ମରଣ କରାଇଥାଏ । ଦେଶର ଅର୍ଥନୀତିରେ ହସ୍ତତନ୍ତ ବୁଣାକାରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିବାର ଏହା ଅବକାଶ ସୃଷ୍ଟି କରିଥାଏ ।
ଭାରତର କଳା, ସଂସ୍କୃତି ଓ ଏୗତିହ୍ୟକୁ ଉଜ୍ଜୀବିତ ରଖିବାରେ ହସ୍ତତନ୍ତ ପୋଷାକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସିଛି । କୃଷି ସହ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ହସ୍ତତନ୍ତର ଅବଦାନ ରହିଛି । ଆମର ବୁଣାକାରମାନେ ବୁଣୁଥିବା ଶାଢ଼ୀଠାରୁ ଆରମ୍ଭକରି କୁମ୍ଭକାରମାନେ ତିଆରି କରୁଥିବା ମାଟି ସାମଗ୍ରୀ ଏକ ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରିଛି । ଅଧୂନା ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଦ୍ୱାରା ବହୁଳ ଭାବେ ଅନ୍ୟ ସବୁ ପ୍ରକାରର ପୋଷାକ ଉତ୍ପାଦନ ହେବା ଫଳରେ ହସ୍ତତନ୍ତ ଉତ୍ପାଦ ପ୍ରସ୍ତୁତିରେ ପ୍ରଭାବ ପଡିଛି । ଆମର ପ୍ରାଚୀନ ହସ୍ତତନ୍ତ ପରମ୍ପରାକୁ ବଞ୍ଚାଇ ରଖିବାକୁ ହେଲେ ଆମ ସମସ୍ତଙ୍କୁ ଏଥିପ୍ରତି ଆଗ୍ରହ ପ୍ରକାଶ କରିବାର ଆବଶ୍ୟକତା ରହିଛି । ହସ୍ତତନ୍ତ ବସ୍ତ୍ର ବ୍ୟବହାର ଫଳରେ ଅନନ୍ୟ ଅନୁଭବ ମିଳେ ।
ଏସବୁ ଉତ୍ପାଦଗୁଡ଼କ ଜଳବାୟୁ ଉପଯୋଗୀ । ହସ୍ତତନ୍ତ ଲୁଗା, ପୋଷାକ ଆଦି ଉତ୍ପାଦର ବହୁଳ ବ୍ୟବହାର ଆମର ଲକ୍ଷ ଲକ୍ଷ ବୁଣାକାରମାନଙ୍କ ଜୀବିକାର୍ଜନରେ ସହାୟତା ପ୍ରଦାନ କରିବ । ଏହି ପରିପ୍ରେକ୍ଷୀରେ ପ୍ରତି ମହିଳାମାନେ ଘରେ ଘରେ ହସ୍ତତନ୍ତ ଶାଢ଼ୀ ବ୍ୟବହାର କରିବାକୁ ଶ୍ରୀ ଜେନା ଆହ୍ୱାନ ଜଣାଇଛନ୍ତି ।
ସେହିପରି ହସ୍ତତନ୍ତ ଶାଢୀ ବା ଉତ୍ପାଦନ ପ୍ରସ୍ତୁତ କଲାବେଳେ ଏଥିରେ ଅଭିନବତ୍ୱ ଆଣିବା, ଏହା ହାଲୁକା ଓ କିପରି କ୍ରୟ ସାପେକ୍ଷ ହୋଇପାରିବ, ସେ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଆମ ରାଜ୍ୟର ସମ୍ବଲପୁରୀ, ମାଣିଆବନ୍ଧି ସମେତ ବିଭିନ୍ନ ଜିଲ୍ଲାର ହସ୍ତତନ୍ତ ଶାଢୀର ଆଦର ସଂପର୍କରେ ଗୁରୁତ୍ୱାରୋପ କରି ସେ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ସହିତ ତାଙ୍କର ଦୀର୍ଘ ଦିନର ଅନୁଭୂତି ବଖାଣିଥିଲେ ।
ଏଥି ସହ ସେ ହବାସପୁରୀ ଏବଂ ଲୋକପାଡ ହସ୍ତତନ୍ତ ଶାଢ଼ୀ ଆଦିର ଡିଜାଇନକୁ ସଂରକ୍ଷଣ କରି ସେସବୁର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । ହସ୍ତତନ୍ତ ଶିଳ୍ପର ଉଜ୍ୱଳ ଭବିଷ୍ୟତ ରହିଥିବା ପ୍ରକାଶ କରି ଏହା କିପରି ଆନ୍ତର୍ଜାତିକ ବଜାରକୁ ଆକୃଷ୍ଟ କରିବ, ସେ ଦିଗରେ ବୁଣାକାର ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଓ ଏ ଦିଗରେ ବ୍ୟାପକତା ସଂପର୍କରେ ଆଲୋକପାତ କରିଥିଲେ ।
ସାଧାରଣତଃ ପରିବେଶ ଅନୁକୂଳ ଉପଯୋଗୀ ଓ କମ୍ ଶକ୍ତି ଖର୍ଚ୍ଚ , ଅପେକ୍ଷାକୃତ କମ୍ ଯନ୍ତ୍ରପାତି ଆବଶ୍ୟକ ହେଉଥିବା ଏହି ଶିଳ୍ପରେ ପ୍ରକୃତିକ ତନ୍ତୁ ବ୍ୟବହାର ହୋଇଥାଏ । ଏଣୁ ହସ୍ତତନ୍ତ ବସ୍ତ୍ର ବ୍ୟବହାର କରି ଆମର ବିଶ୍ୱକୁ ସୁରକ୍ଷାରେ ସହାୟକ ହେବାକୁ ଏହି ଉପଲକ୍ଷେ ଆୟୋଜିତ ଦସ୍ତଖତ ଅଭିଯାନ ପ୍ରାଚୀରରେ ମୁଖ୍ୟ ଶାସନ ସଚିବ ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ‘ଟିସର ଆର୍ଟିସାନ ଟ୍ରଷ୍ଟ,ମୁମ୍ବାଇ’ର ମୁଖ୍ୟ ଶ୍ରୀମତୀ ନୂତନ କଜବାଜେ ଯୋଗଦେଇଥିଲେ । ନାବାର୍ଡ ଆୟୋଜନରେ ୨୦ ରୁ ଅଧିକ ଯୁବକ ଓ ଯୁବତୀ ହସ୍ତତନ୍ତ ପୋଷାକ ପରିଧାନ କରି ଆୟୋଜିତ ଫ୍ୟାଶନ ଶୋରେ ଅଂଶ ଗ୍ରହଣ କରିଥିଲେ । ନାବାର୍ଡ, ଭୁବନେଶ୍ୱର ଆଞ୍ଚଳିକ ଶାଖାର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।