Home General ତାଲିମ ପାଇଁ ଅନାଗ୍ରହୀ

ତାଲିମ ପାଇଁ ଅନାଗ୍ରହୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍‍କେଭିୱାଇ)ରେ ଓଡ଼ିଶାର ଆଦିବାସୀ ଯୁବକ ଯୁବତୀମାନେ ତାଲିମ ନେବାକୁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି । ୨୦୧୯-୨୦ ବର୍ଷରେ ୧୨ହଜାରରୁ ଅଧିକ ଯୁବକ ଯୁବତୀ ଏହି କେନ୍ଦ୍ରୀୟ ଯୋଜନାରେ ତାଲିମ ନେଇଥିବାବେଳେ ୨୦୨୨-୨୩ରେ ଏମାନଙ୍କ ସଂଖ୍ୟା ଦୁଇ ହଜାର ତଳକୁ ଖସି ଆସିଛି ।

ପିଏମ୍‍କେଭିୱାଇ ଯୋଜନାରେ ଆଦିବାସୀ ଯୁବକ ଯୁବତୀମାନଙ୍କୁ ତାଲିମ ସହିତ ନିଯୁକ୍ତି ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ସ୍କିଲ୍‍ ଇଣ୍ଡିଆ ମିଶନ ଅଧିନରେ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରୁଥିବାବେଳେ ଆଦିବାସୀ ଯୁବକ ଯୁବତୀମାନଙ୍କ ସହ ଦୁର୍ଗମ ଓ ପାହାଡିଆ ଅଞ୍ଚଳରେ ରହୁଥିବା ଯୁବ ବର୍ଗଙ୍କୁ ମଧ୍ୟ ତାଲିମ ଦିଆଯାଉଛି । ହେଲେ ରାଜ୍ୟର ଆଦିବାସୀ ଯୁବକ ଯୁବତୀମାନେ ଏଥିପ୍ରତି ସେତେଟା ଆଗ୍ରହୀ ହେଉନାହାନ୍ତି ।

୨୦୧୯-୨୦ରେ ଏହି କେନ୍ଦ୍ରୀୟ ଯୋଜନାରେ ୧୨ହଜାର ୫୩୨ଜଣ ଯୁବକ ଯୁବତୀ ତାଲିମ ନେଇଥିବାବେଳେ ୨୦୨୦-୨୧ରେ ଏମାନଙ୍କ ସଂଖ୍ୟା ୪୭୫୬କୁ ହ୍ରାସ ପାଇଥିଲା । ୨୦୨୧-୨୨ରେ ତାଲିମ ପାଇଥିବା ଯୁବକ ଯୁବତୀଙ୍କ ସଂଖ୍ୟା ୨୧୫୩ ଥିବାବେଳେ ୨୦୨୨-୨୩ରେ ଏହା ୧୭୪୧କୁ ହ୍ରାସ ପାଇଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ଏହି କେନ୍ଦ୍ରୀୟ ଯୋଜନାରେ ୫୭୪ଜଣ ତାଲିମ ନେଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କର ଏହି କୌଶଳ ବିକାଶ ଯୋଜନାରେ ତାଲିମ ନେବାପରେ ଚାହିଦା ମୁତାବକ ନିଯୁକ୍ତି ନ ମିଳିବା ଓ ଆତ୍ମନିଯୁକ୍ତି ପାଇଁ ବ୍ୟାଙ୍କଗୁଡିକ ସହଯୋଗର ହାତ ବଢାଉନଥିବାରୁ ଯୁବକ ଯୁବତୀମାନେ ଏଥିପ୍ରତି ବିମୁଖ ହେଉଛନ୍ତି ।

ଆଦିବାସୀ ଓ ପଛୁଆ ଅଞ୍ଚଳରେ ଆବଶ୍ୟକ ସଂଖ୍ୟକ ବ୍ୟାଙ୍କ ଶାଖା ନଥିବାବେଳେ ଯେତିକି ବି ଶାଖା ରହିଛି ସେମାନେ ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିଯୁକ୍ତି ଲାଗି ଋଣ ପ୍ରଦାନ କରିବାକୁ ଅନିଚ୍ଛୁକ । ଏପରିକି ଜିଲ୍ଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ଯେତିକି ଆବେଦନ ଯାଉଛି ତାହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେଇ ଋଣ ଦେବାକୁ ଏମାନେ କାଳକ୍ଷେପଣ ନୀତି ଗ୍ରହଣ କରୁଥିବାରୁ ଯୁବକ ଯୁବତୀମାନେ କୌଶଳ ବିକାଶ ଯୋଜନାରୁ ତାଲିମ ନେବା ଅପେକ୍ଷା ଅନ୍ୟାନ୍ୟ ରୋଜଗାର କ୍ଷେତ୍ରକୁ ବାଛୁଥିବା ଲକ୍ଷ୍ୟ କରାଯାଉଛି ।

ତେବେ ଓଡ଼ିଶାର ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଏହି କେନ୍ଦ୍ରୀୟ ଯୋଜନାରେ ଅଧିକରୁ ଅଧିକ ସଂଖ୍ୟକ ଯୁବକ ଯୁବତୀ ତାଲିମ ନେଉଥିବା ଦେଖିବାକୁ ମିଳୁଛି । ଛତିଶଗଡ଼ରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ମାସରେ ୧୨ଶହରୁ ଅଧିକ ଯୁବକ ଯୁବତୀ ଏଥିରେ ତାଲିମ ଗ୍ରହଣ କରିସାରିଲେଣି । ତେବେ ସର୍ବଭାରତୀୟ ସ୍ତରରେ ଏହି ଯୋଜନାରେ ତାଲିମ ନେଉଥିବା ଯୁବକ ଯୁବତୀଙ୍କ ସଂଖ୍ୟା ହ୍ରାସ ପାଉଛି ।

୨୦୧୯-୨୦ବର୍ଷରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨ଲକ୍ଷରୁ ଅଧିକ ଯୁବକ ଯୁବତୀ ତାଲିମ ଗ୍ରହଣ କରିଥିବାବେଳେ ୨୦୨୨-୨୩ରେ ଏମାନଙ୍କ ସଂଖ୍ୟା ୧୮ହଜାରରୁ ସାମାନ୍ୟ ଅଧିକ ରହିଛି । (ତଥ୍ୟ)