Home General ରତ୍ନଭଣ୍ଡାର ଯାଞ୍ଚ ପାଇଁ ସହମତି

ରତ୍ନଭଣ୍ଡାର ଯାଞ୍ଚ ପାଇଁ ସହମତି

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ସହମତି ପ୍ରକାଶ ପାଇଛି । ୨୦୨୪ ରଥଯାତ୍ରା ସମୟରେ ଏହି ଯାଞ୍ଚ କରାଯିବ । ଆଜି ଏଠାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ସେହିଭଳି ଏହା ପୂର୍ବରୁ ଏକ ବୈଷୟିକ କମିଟି ଗଢାଯିବ ଏବଂ ଏହି କମିଟି ଲେଜର ସ୍କାନିଂ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ପ୍ରଥମେ ବାହାରପଟ ରତ୍ନଭଣ୍ଡାର ସ୍ଥିତି କିପରି ରହିଛି ତାହା ଯାଞ୍ଚ କରି ପରିଚାଳନା କମିଟିକୁ ରିପୋର୍ଟ ପ୍ରଦାନ କରିବ । ଏହି ରିପୋର୍ଟକୁ ଆଧାର କରି କମିଟି ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିବ ।

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ସରଗରମ ଆଲୋଚନା ହୋଇଛି । ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଛି । ଏଥିପାଇଁ ସେମାନେ ଆବଶ୍ୟକ ସହଯୋଗ ଲୋଡିଛନ୍ତି । ରଥଯାତ୍ରା ସମୟରେ ଯେତେବେଳେ ଠାକୁରମାନେ ମନ୍ଦିର ଭିତରେ ରହୁନାହାନ୍ତି ସେହି ସମୟରେ ରତ୍ନଭଣ୍ଡାର ଯାଞ୍ଚ କରିବା ଲାଗି ଅନୁମତି ମାଗିଛି ଏଏସ୍‌ଆଇ ।

ଏହି ସମୟରେ ଯାଞ୍ଚ କରାଗଲେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ସମସ୍ୟା ହେବ ନାହିଁ । ଦୈନିକ ଶ୍ରୀମନ୍ଦିର ଆସୁଥିବା ଲକ୍ଷାଧିକ ଭକ୍ତଙ୍କର ଦର୍ଶନରେ ମଧ୍ୟ ଅସୁବିଧା ହେବ ନାହିଁ ବୋଲି ସଦସ୍ୟମାନେ କହିଥିଲେ । ତେଣୁ ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଏଏସ୍‌ଆଇକୁ ଯାଞ୍ଚ ଅନୁମତି ଦେବା ଲାଗି ବୈଠକ ସହମତି ପ୍ରକାଶ ପାଇଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଏଏସ୍‌ଆଇ ଟିମ୍ ଭିତର ରତ୍ନଭଣ୍ଡାର ଯାଞ୍ଚ ପୂର୍ବରୁ ତୁରନ୍ତ ଏକ ବୈଷୟିକ କମିଟି ଗଠନ କରାଯିବ । କମିଟିରେ ଏଏସ୍‌ଆଇର ଅଧିକାରୀ, ପରିଚାଳନା କମିଟିର ସେବାୟତ ପ୍ରତିନିଧି, ମନ୍ଦିର ପ୍ରଶାସନର ବରିଷ୍ଠ ଇଞ୍ଜିନିୟରମାନେ ସଦସ୍ୟ ରହିବେ । କମିଟି ପ୍ରଥମେ ଲେଜର ସ୍କାନିଂ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ବାହାରପଟୁ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବେ । ଏହାର ଅବସ୍ଥା କେମିତି ରହିଛି, କ’ଣ ମରାମତି ଆବଶ୍ୟକ କରୁଛି ତାହା ଅନୁଧ୍ୟାନ କରିବେ । ଆଗାମୀ ପରିଚାଳନା କମିଟି ବୈଠକରେ ବୈଷୟିକ କମିଟି ତା’ର ରିପୋର୍ଟ ଉପସ୍ଥାପନ କରିବ