ଭୁବନେଶ୍ୱର : ସୁପ୍ରିମ୍କୋର୍ଟରେ ଚାଲିଥିବା ଆଇନଗତ ଲଢେଇ ଯୋଗୁ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ଦୀର୍ଘଦିନ ଧରି ଶିକ୍ଷକ ନିଯୁକ୍ତି ହୋଇପାରୁନାହିଁ । ଏହି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଇତିମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗୀୟ ଅଧିକାରୀ, ଆଡ଼ଭୋକେଟ ଜେନେରାଲ୍ ଓ ଅନ୍ୟ ପରାମର୍ଶଦାତାମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ସମସ୍ୟାର କିଭଳି ସମାଧାନ ତ୍ୱରିତ ସମାଧାନ ହେବ ସେଥିଲାଗି ବାଟ କାଢିବାକୁ କହିଛନ୍ତି ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ସୁପ୍ରିମ୍କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଶିକ୍ଷକ ନିଯୁକ୍ତି ଉପରେ ଥିବା କଟକଣା ହଟାଇବା କିମ୍ବା ମାମଲାର ଫଇସଲା କରିବା ଅଥବା ପୂର୍ବ ଆଇନ ଆଧାରରେ ଶିକ୍ଷକ ନିଯୁକ୍ତି ଦେବାଲାଗି ସୁପ୍ରିମ୍କୋର୍ଟଙ୍କ ଦୃଷ୍ଟି ଆକର୍ଷଣ ଲାଗି ନିଷ୍ପତ୍ତି ନିଆଯିବା ପରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଦିଲ୍ଲୀ ଯାଇ ଏ ସମ୍ପର୍କରେ ସୁପ୍ରିମ୍କୋର୍ଟରେ ରାଜ୍ୟ ସରକାରଙ୍କ ମାମଲା ପରିଚାଳନା କରୁଥିବା ଓକିଲଙ୍କ ସହ ଆଲୋଚନା କରିଛନ୍ତି । ଆଡ଼ଭୋକେଟ୍ ଜେନେରାଲ ମଧ୍ୟ ଏ ଦିଗରେ ଦୃଷ୍ଟି ଦେବାପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।
ରାଜ୍ୟର କେଉଁ ବିଶ୍ୱବିଦ୍ୟାଳୟର କେଉଁ କେଉଁ ବିଭାଗ ଲାଗି କେତୋଟି କରି କେଉଁ ପାହ୍ୟାର ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଅଛି ଓ ସେଥିରୁ କେତେ ପଦବୀ କେବେଠାରୁ ଖାଲି ପଡିଛି ସେ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ତଥ୍ୟ ମଗାଯାଇଥିଲା ଏବଂ ତଦନୁଯାୟୀ ବିଭିନ୍ନ ବିଶ୍ୱବିଦ୍ୟାଳୟ ମଧ୍ୟ ଏହା ପ୍ରଦାନ କରିଛନ୍ତି । ଏହି ତାଲିକା ଦେଖିବା ପରେ ଉଚ୍ଚଶିକ୍ଷା ବିଭାଗ ସହ ଜଡ଼ିତ ଶିକ୍ଷାବିତ୍ ଓ ପଦାଧିକାରୀମାନଙ୍କ ହଂସା ଉଡିଯାଇଛି । ଏହି ସମସ୍ୟାର ତ୍ୱରିତ ସମାଧାନ କରାନଗଲେ ଶିକ୍ଷା ଓ ଗବେଷଣାର ନାମ ଭୁଶୁଡିବା ସହିତ ନ୍ୟାକ୍ ଗ୍ରେଡ୍ ମଧ୍ୟ ଆହୁରି କମିପାରେ ବୋଲି ଆଶଙ୍କା କରାଯାଉଛି ।
ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସମସ୍ୟା ସମ୍ପର୍କରେ ଯେଉଁ ସ୍ପଷ୍ଟ ତାଲିକାମାନ ଆସିଛି ସେଥିରୁ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଉଦାହରଣ ଭାବେ ନିଆଯାଇପାରେ । ଏହି ବିଶ୍ୱବିଦ୍ୟାଳୟ ଲାଗି ୧୨୬ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀରୁ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ୧୦୬ଟି ଖାଲି ପଡିଥିବାବେଳେ ମାତ୍ର ୨୦ଜଣ ଶିକ୍ଷକଙ୍କୁ ନେଇ ଚାଲିଛି ଏହି ବିଶ୍ୱବିଦ୍ୟାଳୟ । ପ୍ରତି ବିଷୟ ପାଇଁ ଏହି ବିଶ୍ୱବିଦ୍ୟାଳୟ ଲାଗି ଗୋଟିଏ କରି ପ୍ରଫେସର, ଦୁଇଟି କରି ସହଯୋଗୀ ପ୍ରଫେସର ଓ ଚାରୋଟି କରି ସହକାରୀ ପ୍ରଫେସର ପଦବୀ ଲାଗି ମଞ୍ଜୁରୀ ରହିଛି ।
ତେବେ ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢାଇବା ପାଇଁ ପଦାର୍ଥବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଓଡ଼ିଆ, ହିନ୍ଦୀ, ସଂସ୍କୃତ, ଶିକ୍ଷା ଓ ବାଣିଜ୍ୟ ଆଦି ବିଭାଗରେ କୌଣସି ପାହ୍ୟାର ଜଣେ ହେଲେ ନିୟମିତ ଶିକ୍ଷକ ନାହାନ୍ତି । ଇଂରାଜୀ ବିଭାଗରେ ୭ରୁ ୬ଟି ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ କମ୍ପ୍ୟୁଟର ବିଜ୍ଞାନରେ ୭ରୁ ୫ ଓ ପରିସଂଖ୍ୟାନରେ ବି ୭ରୁ ୫ଟି ଶିକ୍ଷକ ପଦବୀ ଖାଳି ପଡିଛି । ଏହି ବିଶ୍ୱବିଦ୍ୟାଳୟ ପାଇଁ ୧୮ଟି ପ୍ରଫେସର ପଦବୀ ଥିବାବେଳେ ଏଥିରେ ଜଣେ ହେଲେ ପ୍ରଫେସର ନାହାନ୍ତି । ଆସୋସିଏଟ୍ ପ୍ରଫେସର ଭାବେ ଏଠି କେବଳ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି । ଏହାଛଡା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଲାଗି ଥିବା ୯୨ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀରୁ ୬୦ଟି ବି ଖାଲି ପଡିଛି । ଏଭଳି ସ୍ଥିତି କେବଳ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନୁହେଁ, ରାଜ୍ୟର ପ୍ରାୟ ସବୁ ବିଶ୍ୱବିଦ୍ୟାଳୟରେ ଲାଗି ରହିଛି ।
ଆଇନ ବିଶେଷଜ୍ଞ, ଶିକ୍ଷାବିତ୍ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପାଇଁ ୟୁଜିସିର ମାର୍ଗଦର୍ଶିକା ଥିବାବେଳେ ଏହାକୁ ଉପେକ୍ଷା କରି ରାଜ୍ୟ ସରକାର ନୂଆ ଆଇନ ଆଣିବା ଫଳରେ ସମସ୍ୟା ବଢିଛି । ୟୁଜିସି ଏହି ପ୍ରସଙ୍ଗରେ ଏବେ ରାଜ୍ୟ ସରକାରଙ୍କୁ ସୁପ୍ରିମ୍କୋର୍ଟକୁ ଟାଣିଛି ଏବଂ ସୁପ୍ରିମ୍କୋର୍ଟଙ୍କ ଅନ୍ତରୀଣ ଆଦେଶ ଯୋଗୁ ରାଜ୍ୟ ସରକାରଙ୍କ ନୂଆ ଆଇନ ଆଧାରରେ ଓଡ଼ିଶା ଲୋକସେବା ଆୟୋଗ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରୁନାହିଁ । ଅନୁରୁପ ପ୍ରସଙ୍ଗରେ ଗୁଜୁରାଟରେ ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟର ନିଯୁକ୍ତି ମାମଲାରେ ସୁପ୍ରିମ୍କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା କାଏମ ରହିଲେ ଓଡ଼ିଶାର ନୂଆ ବିଶ୍ୱବିଦ୍ୟାଳୟ ଆଇନରେ ଥିବା ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତୀୟ ଧାରାଗୁଡିକ ନାକଚ ହୋଇଯାଇପାରେ ବୋଲି ବିଭିନ୍ନ ମହଲରୁ ଆଶଙ୍କା ପ୍ରକାଶ ପାଉଛି । (ତଥ୍ୟ)