ଭୁବନେଶ୍ୱର : ରାଜଧାନୀକୁ ପରିଷ୍କାର ପରିଚ୍ଛନ ସହିତ ମଶା ଦାଉରୁ ରକ୍ଷା କରିବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏବେ କନଜରଭେନ୍ସିରେ ଟାଇଲ୍ ବିଛାଉଥିବାବେଳେ ଏଠାରେ ଥିବା ଜବରଦଖଲକୁ କିଏ ହଟାଇବ ତାହା ନିଷ୍ପତ୍ତି ହୋଇପାରୁ ନାହିଁ । କନଜରଭେନ୍ସିରେ ବେଆଇନ୍ ଭାବେ ଗଢି ଉଠିଥିବା ଏହି ଘରକୁ ଉଚ୍ଛେଦ କରି ଟାଇଲ ବିଛାଇବାପାଇଁ ବିଏମ୍ସି ବି ସାହସ କୁଳାଇ ପାରୁନାହିଁ ।
ସହରର ପ୍ରାୟତଃ ସବୁ କନଜରଭେନ୍ସିରେ ଏବେ ଟାଇଲ୍ ବିଛା କାର୍ଯ୍ୟ ଆରମ୍ଭ ହୋଇଛି । ବର୍ଷ ବର୍ଷ ଧରି ସଫା ହୋଇନଥିବା କନଜରଭେନ୍ସିରୁ ଟ୍ରକ ଟ୍ରକ ମାଟି ଉଠୁଛି । ମାଟି ଉଠିଲା ପରେ ସେଠାରେ ବାଲି ଓ କଂକ୍ରିଟ ପକାଯାଇ ତାହା ଉପରେ ଟାଇଲ୍ ବିଛାଯାଉଛି । ଏହା ଫଳରେ ସେହିସବୁ ସ୍ଥାନରେ ଆଉ ଅନାବନା ଘାସ ଉଠିବା ସହିତ ମଶା, ମୂଷା ସମସ୍ୟା ଆଉ ରହିବନାହିଁ ବୋଲି କର୍ତ୍ତୃପକ୍ଷ ବିଚାରୁଛନ୍ତି ।
ହେଲେ ଅନେକ କନଜରଭେନ୍ସିରେ ଏବେ ଜବରଦଖଲ ହୋଇଥିବାରୁ ସେଠାରେ କିଭଳି ଟାଇଲ ବିଛା କାର୍ଯ୍ୟ ହେବ ସେଥିନେଇ ବିଏମ୍ସି ଚିନ୍ତାରେ ପଡିଛି । ଏଠାରେ ଘର କରି ରହିଥିବା ଓ ଘର ଭଡାରେ ଦେଇଥିବା ଲୋକେ ହଟିବାକୁ ନାରାଜ । ସେମାନଙ୍କୁ ହଟାଇବାପାଇଁ ଯାଉଥିବା ଉଚ୍ଛେଦକାରୀ ଟିମ୍କୁ ନାଲିଆଖି ଦେଖାଇବା ସହିତ ପ୍ରଥମେ ଥଇଥାନ ଓ କ୍ଷତିପୂରଣ ଦାବି କରୁଛନ୍ତି । କେତେକ ଜବରଦଖଲକାରୀ ତ କନଜରଭେନ୍ସିରେ ଥିବା ଘର ରାଜୀବ ଆବାସ ଯୋଜନା (ଆରଏୱାଇ) ରେ ତାଲିକାଭୁକ୍ତ ହୋଇଥିବା କାଗଜ ଦେଖାଇ ଉଚ୍ଛେଦକାରୀଙ୍କୁ ଘଉଡାଇ ଦେଉଛନ୍ତି ।
ଦୁଇ ସରକାରୀ କ୍ୱାଟର୍ସ ମଝିରେ ଥିବା ସ୍ଥାନ ସମ୍ପୂର୍ଣ୍ଣ ସରକାରୀ ଓ ସେଠାରେ ସ୍ୱରେଜ ଲାଇନ୍ ବିଛା ଯାଇଥିବାରୁ ଘର କରିବା ସମ୍ପୂର୍ଣ୍ଣ ବେଆଇନ୍ । ହେଲେ କିଛି ଜମି ମାଫିଆ ରାତାରାତି ସେଠାରେ ଆଜବେଷ୍ଟ ଘର କରି ଭଡାଟିଆ ଲୋକ ରଖୁଛନ୍ତି ନଚେତ ଦୁଇ ରୁ ଅଢେଇ ଲକ୍ଷ ଟଙ୍କାରେ ବିକ୍ରିକରି ଦେଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ଘର ହେଲାମାତ୍ରେ ବେଆଇନ୍ ଭାବେ ବିଜୁଳି ଓ ଜଳ ସଂଯୋଗ ମିଳିଯାଉଛି । ଏହାପରେ ବେଆଇନ୍ ଭାବେ ସ୍ୱରେଜ ଚାମ୍ବର ଭାଙ୍ଗି ଏମାନେ ସେଠାରେ ପାଇପ୍ ପକାଉଛନ୍ତି । ବିଜୁଳି, ଜଳ ଓ ସ୍ୱରେଜ ସଂଯୋଗ ଥିବାରୁ ଘରଗୁଡିକ ସହଜରେ ଭଡା ଲାଗୁଛି ନଚେତ ବିକ୍ରି ହୋଇଯାଉଛି ।
ଯେତେବେଳେ ଏହି ବେଆଇନ୍ ଘର ତିଆରି ହେଉଛି ସେତେବେଳେ ପୂର୍ତ୍ତବିଭାଗ, ବିଏମସି କିମ୍ବା ସାଧାରଣ ପ୍ରଶାସନ ବିଭାଗ ଏହାକୁ ଦେଖି ନଦେଖିଲା ପରି ରହୁଛନ୍ତି । ଏବେ ଯେତେବେଳେ କନଜରଭେନ୍ସିରେ ଟାଇଲ ବିଛା କାର୍ଯ୍ୟ ଆରମ୍ଭ ହୋଇଛି ସେତେବେଳେ ଏହି ଜବରଦଖଲକୁ କିଏ ହଟାଇବ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି । ତେବେ ବିଏମ୍ସିର କିଛି ବାବୁଙ୍କ ମତ ହେଉଛି ଯେ ସ୍ଥାନୀୟ ନେତାଙ୍କ ହସ୍ତକ୍ଷେପ ଯୋଗୁଁ ଏମାନଙ୍କୁ ହଟାଇବା ସହଜ ହେଉନାହିଁ । ଯେହେତୁ କୋଟି କୋଟି ଟଙ୍କାରେ ଟାଇଲ୍ ବିଛାଇବା କାର୍ଯ୍ୟ ଆରମ୍ଭ ହୋଇଛି ତେଣୁ ଏମାନଙ୍କୁ ହଟାଇବାପାଇଁ ଏବେ ବିଏମ୍ସି ସାଧାରଣ ପ୍ରଶାସନ ଓ ପୂର୍ତ୍ତ ବିଭାଗ ସହିତ ଆଲୋଚନା ପାଇଁ ପ୍ରସ୍ତୁତି ଚଳାଇବାର ସୂଚନା ମିଳିଛି । (ତଥ୍ୟ)