Home Excise ତିନି ଜଣଙ୍କୁ ଚାକିରିରୁ ବିଦାକଲେ

ତିନି ଜଣଙ୍କୁ ଚାକିରିରୁ ବିଦାକଲେ

ଭୁବନେଶ୍ୱର : ରାଜ୍ୟ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ବିଶୃଙ୍ଖଳିତ ଅଧିକାରୀଙ୍କ ପ୍ରତି କଠୋର ହେବା ସହିତ ବେଆଇନ୍‍ କାରବାରରେ ଲିପ୍ତ ତିନି କର୍ମଚାରୀଙ୍କୁ ଆଜି ଚାକିରିରୁ ବିଦା କରିଛନ୍ତି । ଏମାନେ ହେଲେ ଅବକାରୀ ଏଏସ୍‍ଆଇ ଅରୋପଲକ ଦାସ, କନେଷ୍ଟବଳ ତ୍ରିଲୋଚନ ରାଇଚେତି ଓ କନେଷ୍ଟବଳ ଆର ଭେଙ୍କେଟେଶ । ଏମାନେ ସମସ୍ତ ବେଆଇନ୍‍ ଗଞ୍ଜେଇ ଚାଲାଣ କରୁଥିବା ଟ୍ରକକୁ ବାଟ କଢାଇ ନେଉଥିବାର ଅଭିଯୋଗରେ ଗିରଫ ହୋଇଥିଲେ ।

ସୂଚନା ଅନୁଯାୟୀ ଅବକାରୀ ବିଭାଗର ଏହି ତିନି କର୍ମଚାରୀ ଗଞ୍ଜେଇ ଚାଲାଣ ଟ୍ରକକୁ ସହାୟତା କରୁଥିବାରୁ ସେମାନଙ୍କ ବିରୁଦ୍ଧରେ ପଟାଙ୍ଗି ଥାନରେ ଗତବର୍ଷ ସେପ୍ଟେମ୍ବର ମାସରେ ଏନ୍‍ଡିପିଏସ୍‍ ଆଇନ୍‍ ବଳରେ ମାମଲା ରୁଜୁ ସହିତ ସେମାନଙ୍କୁ ଗିରଫ କରାଯାଇଥିଲା । ଅବକାରୀ ପୋଷାକରେ ରହି ସେମାନଙ୍କର ଏଭଳି ନିଶା କାରବରରେ ସହାୟତା ବିଭାଗକୁ ନିନ୍ଦିତ କରିଛି । ସେମାନେ ଏବେ ବି ନ୍ୟାୟିକ ହାଜତରେ ରହିଥିବାବେଳେ ପ୍ରାରମ୍ଭିକ ଚାର୍ଜସିଟ୍‍ ଦାଖଲ ହୋଇଛି ।

ରାଜ୍ୟ ଅବକାରୀ କମିଶନରଙ୍କ ନିକଟରେ ଅବକାରୀ ସୁରକ୍ଷା କର୍ମଚାରୀଙ୍କ ନିଯୁକ୍ତି, ବଦଳି, ପଦୋନ୍ନତି ସହିତ ସମସ୍ତ ପ୍ରକାର କ୍ୟାଡର ପରିଚାଳନା କ୍ଷମତା ରହିବା ସହିତ ୨୦୨୩ ଜୁନ୍‍ ୮ ତାରିଖରେ ଅବକାରୀ ବିଭାଗର ସଙ୍କଳ୍ପ ଅନୁଯାୟୀ ଚାକିରିରୁ ବିଦା କରିବାର କ୍ଷମତା ମଧ୍ୟ ତାଙ୍କ ନିକଟରେ ରହିଛି । ସେହି କ୍ଷମତା ବଳରେ ଅବକାରୀ କମିଶନର ଶ୍ରୀ ଭୋଳ ଆଜି ସମ୍ପୃକ୍ତ ତିନି କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ।

ଅବକାରୀ ବିଭାଗରେ ସ୍ୱଚ୍ଛତା ପାଇଁ ଏଭଳି ବେଆଇନ୍‍ କାରବାରରେ ଲିପ୍ତ ଥିବା କର୍ମଚାରୀଙ୍କୁ ଚାକିରିରୁ ବିଦା ସହିତ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କମିଶନର ଶ୍ରୀ ଭୋଳ କହିଛନ୍ତି ।