Home Judiciary ଓରିଶା ରୁ ଓଡିଶା କେବେ ?

ଓରିଶା ରୁ ଓଡିଶା କେବେ ?

ଭୁବନେଶ୍ୱର : ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସଂସଦ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆମ ରାଜ୍ୟ ଓଡିଶା ଓ ଭାଷା ଓଡିଆର ନାମ ଇଂରାଜୀ ଓ ହିନ୍ଦୀ ଭାଷାରେ ସଂଶୋଧିତ ହୋଇ ସାରିଥିବାବେଳେ ଓଡିାଶା ହାଇକୋର୍ଟ କିନ୍ତୁ ଏବେ ଇଂରାଜୀରେ ‘ଓରିଶା ହାଇକୋର୍ଟ’ ଭାବେ ରହିଛି ।

ଓଡିଶା ହାଇକୋର୍ଟ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ରାଷ୍ଟ୍ରପତି ତଥା ଓଡିଆ ମାଟିର ସୁକନ୍ୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ଉତ୍ସବରେ ଯୋଗ ଦେଉଥିବା ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟରୁ ‘ଓରିଶା’କୁ ହଟାଇବାପାଇଁ ବହୁ ବୁଦ୍ଧିଜୀବୀ ଓ ଆଇନ୍‍ଜୀବୀ ମତବ୍ୟକ୍ତ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ବ୍ରିଟିଶ ରାଜତ୍ୱ ସମୟରୁ ଓଡିଶାର ନାମକୁ ଅପଭ୍ରଂଶ କରାଯାଇ ଇଂରାଜୀରେ ‘ଓରିଶା’ ଓ ହିନ୍ଦୀରେ ‘ଉଡିଆ’ ବୋଲି ଲେଖାଯାଉଥିଲା । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ, ଦେଶ ସ୍ୱାଧୀନତା ଓ ସମ୍ବିଧାନ ଲାଗୁହେବା ପରେ ବି ଦୀର୍ଘବର୍ଷ ଧରି ଏହି ତ୍ରୁଟି ସଂଶୋଧନ କରାଯାଇ ନଥିଲା । ତେବେ ଦୀର୍ଘବର୍ଷର ଦାବି ପରେ ସଂସଦରେ ଏ ପ୍ରସଙ୍ଗରେ ସ୍ୱତନ୍ତ୍ର ବିଲ୍‍ ଅଣାଯାଇ ଓରିଶା ଓ ଉଡିଆକୁ ଯଥାକ୍ରମେ ଇଂରାଜୀ ଓ ହିନ୍ଦୀରେ ଓଡିଶା ଓ ଓଡିଆ ଭାବେ ସଂଶୋଧିତ କରାଯାଇଥିଲା ।

୨୦୧୨-୧୩ ବର୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂଶୋଧିତ ଆଇନ୍‍ ଆଧାରରେ ଓଡିଶା ଓ ଓଡିଆ ଭାଷାକୁ ଠିକଣା ଭାବେ ଲେଖିଲେ । ତଦନୁଯାୟୀ ଗଭର୍ଣ୍ଣମେଣ୍ଟ ଅଫ୍‍ ଓରିଶା ସ୍ଥାନରେ ଗଭର୍ଣ୍ଣମେଣ୍ଟ ଅଫ୍‍ ଓଡିଶା ଲେଖାଗଲା ଏବଂ ଯାନବାହାନର ପଞ୍ଜିକରଣ ନମ୍ବରରେ ‘ଓଆର’ ପରିବର୍ତ୍ତେ ‘ଓଡି’ ରହିଲା । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଦପ୍ତରରେ ଏହା ଲାଗୁ ହୋଇଥିଲେ ମଧ୍ୟ ଏଯାବତ୍‍ ଓଡିଶା ହାଇକୋର୍ଟର ନାମ କିନ୍ତୁ ଓରିଶା ହାଇକୋର୍ଟ ରହିଛି ।

ଏ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଓ ଓଡିଶା ରାଜ୍ୟ ସରକାର କେନ୍ଦ୍ର ସରକାର ଓ ସୁପ୍ରିମ୍‍କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଠିକଣା ସଂଶୋଧନ କରିବାଲାଗି ଦାବି ହେଉଛି । ଓଡିଶା ହାଇକୋର୍ଟରେ ରୁଜୁ କରାଯାଉଥିବା ମାମଲାଗୁଡିକରେ ଏବେ ବି ଓରିଶା ଲେଖିବାକୁ ପଡୁଛି ଏବଂ ହାଇକୋର୍ଟଙ୍କ ବିଭିନ୍ନ ଆଦେଶନାମା, ରାୟ ଓ ଚିଠିପତ୍ରରେ ମଧ୍ୟ ଓଡିଶା ଲେଖା ନଯାଇ ଓରିଶା ବୋଲି ଲେଖାଯାଉଛି ।

ଆଇନ୍‍ ବିଶାରଦମାନେ କହୁଛନ୍ତି ଯେ ସୁପ୍ରିମ୍‍କୋର୍ଟଙ୍କ ସମ୍ମତିକ୍ରମେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ କେନ୍ଦ୍ର ସରକାର ଆଣି ରାଷ୍ଟ୍ରପତିଙ୍କ ଅନୁମୋଦନ ନେଲେ ଯାଇ ହାଇକୋର୍ଟର ନାମ ଓରିଶାରୁ ଓଡିଶାକୁ ବଦଳି ପାରିବ । ନହେଲେ ଓଡିଶାର ପୁରୁଣା ରାଜଧାନୀରେ ଥିବା ଆମ ହାଇକୋର୍ଟର ନାମ ଓରିଶା ହୋଇ ରହିଯିବ ।

ସେହିଭଳି କଟକ, ଆଳି ରାଜ୍ୟର ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଇଂରାଜୀ ବନାନ ମଧ୍ୟ ବିଚିତ୍ର ରହିଛି । ଏହାର ସଂଶୋଧନ ଲାଗି ବି ବାରମ୍ବାର ଦାବି ହୋଇ ଚାଲିଛି । କଲିକତାର ନାମ କୋଲକାତା, ବାଙ୍ଗାଲୋରର ନାମ ବେଙ୍ଗାଲୁର, ବମ୍ବେର ନାମ ମୁମ୍ବାଇ, ମାଡ୍ରାସର ନାମ ଚେନ୍ନାଇ ଓ ମୋଗଲସରାଇ ଜଙ୍କସନର ନାମ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ୍‍ ହୋଇଥିବାବେଳେ କଟକ, ଆଳି ଭଳି ରାଜ୍ୟର ଯେଉଁସ୍ଥାନର ଇଂରାଜୀ ବନାନ ତ୍ରୁଟିପୂର୍ଣ୍ଣ ରହିଛି ତାହାକୁ କାହିଁକି ବିଧି ବ୍ୟବସ୍ଥା ମଧ୍ୟରେ ସଂଶୋଧନ କରାଯାଉନାହିଁ ସେଥି ଘେନି ମଧ୍ୟ ବିଭିନ୍ନ ମହଲରୁ ବାରମ୍ବାର ଆପତ୍ତି ଉଠୁଛି ।

ଓଡିଶାର ସାଂସଦମାନେ ଦଳ ମତ ନିର୍ବିଶେଷରେ ସଂସଦରେ ଏ ପ୍ରସଙ୍ଗ ଉଠାଇବା ସହ ଓଡିଆ ମନ୍ତ୍ରୀମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଏ ସମସ୍ୟା ଆଲୋଚନା କରି ତୁରନ୍ତ ସମାଧାନ କରିବାଲାଗି ମତପକାଶ ପାଉଛି । (ତଥ୍ୟ)