ଭୁବନେଶ୍ୱର : ଓଡିଶା ରାଜନୀତିରେ ସକ୍ରିୟ ଥିବା ତିନିଟି ପ୍ରମୁଖ ରାଜନୈତିକଦଳ ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନରେ ଜିଣି ଓଡିଶାରେ ସରକାର ଗଢିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଥିବାବେଳେ କେହି ଦ୍ୱିତୀୟ କି ତୃତୀୟ ସ୍ଥାନକୁ ଖସିବାକୁ ପ୍ରସ୍ତୁତ ନୁହନ୍ତି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ବିବୃତ୍ତି ଯୁଦ୍ଧରେ ପରସ୍ପରକୁ ଟପିବାପାଇଁ ଯେଉଁ ପ୍ରତିଯୋଗିତା ଚଳାଇଛନ୍ତି ସେଥିରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି ।
୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ୧୧୩ଟି ଆସନ ଅକ୍ତିଆର କରିଥିବାବେଳେ କଂଗ୍ରେସକୁ ପଛକୁ ଠେଲି ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ବିଜେପି ୨୩ଟି ଆସନରେ ଜିଣିଥିଲା । ସେତେବେଳେ କଂଗ୍ରେସ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସି ୯ଟି ଆସନ ପାଇଥିବାବେଳେ ସିପିଏମ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ଆଉଗୋଟିଏ ଆସନରୁ ଜିଣିଥିଲେ ।
ଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ହେବାପରେ ଆଗାମୀ ନିର୍ବାଚନରେ ତାଙ୍କ ଦଳ ଓଡିଶାରେ ଆସନ ସଂଖ୍ୟା ୯ ରୁ ୯୦କୁ ବଢାଇ ସରକାର ଗଢିବେ ବୋଲି ନୂଆ ନାରା ଦେଇଥିଲେ । ଏବେ ତାଙ୍କ ଦଳର ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେଣି ଆଗାମୀ ନିର୍ବାଚନରେ କଂଗ୍ରେସଦଳ ଓଡିଶାରେ ୧୦୦ଟି ବିଧାନସଭା ଆସନ ଓ ୧୫ଟି ଲୋକସଭା ଆସନରୁ ଜିଣିବ ।
ସେହିଭଳି ମନମୋହନ ସାମଲ ଓଡିଶା ବିଜେପିର ସଭାପତି ହେବାପରେ ବିଜେଡିର ବହୁ ବିଧାୟକ ବିଜେପିରେ ମିଶିବାପାଇଁ ତାଙ୍କ ସହ ଯୋଗାଯୋଗରେ ଥିବାଘେନି ସୂଚନା ଦେଇଥିଲେ । ଏଥି ସହ ଓଡିଶାରେ ପରିବର୍ତ୍ତନର ଲହର ସୃଷ୍ଟି ହୋଇଛି ଏବଂ ଏହାର ପରିଣାମ ସ୍ୱରୂପ ଆଗାମୀ ନିର୍ବାଚନରେ ବିଜେପି ନିଶ୍ଚିତ ଭାବେ ଅଧିକ ଆସନରେ ଜିଣି ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରି ଆସୁଛନ୍ତି ।
ଅନ୍ୟ ପକ୍ଷରେ ବିଜେଡି କହୁଛି ଯେ ନବୀନ ପଟ୍ଟନାୟକଙ୍କୁ ୨୦୨୪ ନିର୍ବାଚନରେ ଜିଣାଇ ଷଷ୍ଠ ପାଳି ମୁଖ୍ୟମନ୍ତ୍ରୀ କରିବାପାଇଁ ଓଡିଶାର ଲୋକେ ମନସ୍ଥିର କରିନେଇଛନ୍ତି ଏବଂ ପୂର୍ବାପେକ୍ଷା ଏଥର ଦଳ ଅଧିକ ଭଲ ପ୍ରଦର୍ଶନ କରିବ । ଚଳିତ ମାସରେ ନବୀନ ପଟ୍ଟନାୟକ ଜ୍ୟୋତି ବସୁଙ୍କ ୨୩ ବର୍ଷ ୧୩୮ଦିନ ମୁଖ୍ୟମନ୍ତ୍ରୀ ରହିବା ରେକର୍ଡ ଭାଙ୍ଗିଥିବାବେଳେ ଆସନ୍ତାବର୍ଷ ନିର୍ବାଚନ ପରେ ସେ ପବନ କୁମାର ଚାମ୍ଲିଙ୍ଗଙ୍କ ସିକିମ୍ମ ମୁଖ୍ୟମନ୍ତ୍ରୀ ଭାବେ ୨୪ବର୍ଷ ୧୬୬ ଦିନ ରହିବାର ଯେଉଁ ରେକର୍ଡ ରହିଛି ତାହା ମଧ୍ୟ ଭାଙ୍ଗିବେ ।
ବିଜେପି କହୁଛି ଗତ ନିର୍ବାଚନରେ ଏହି ଦଳ ଓଡିଶାର ୨୧ଟି ଲୋକସଭା ଆସନରୁ ୮ଟି ଜିଣିଥିବାବେଳେ ଏଥର ଯେପରି ସବୁ ଆସନରେ ଧ୍ୟାନ କେନ୍ଦ୍ରୀତ କରୁଛି ସେଥିରୁ ବିଜେପିର ଲୋକସଭା ଆସନ ସଂଖ୍ୟା ଅତି କମ୍ରେ ୧୬ରେ ପହଞ୍ଚିବ । ତେବେ ପଞ୍ଚାୟତ ଓ ପୌର ନିର୍ବାଚନରେ ଲୋକେ ଯେଉଁ ଜନାଦେଶ ଦେଇଛନ୍ତି ସେଥିରୁ ଆଗାମୀ ଲୋକସଭା ନିର୍ବାଚନରେ ୨୧ରୁ ୨୧ ଆସନ ବିଜେଡି ଜିଣିବ ବୋଲି କହୁଛି ।
ଓଡିଶାରେ ମୋଟ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନ ଥିବାବେଳେ ତିନିଟି ଦଳ ଯେତେ ସଂଖ୍ୟାରେ ଆସନ ପାଇବେ ବୋଲି ହିସାବ କରୁଛନ୍ତି ତାହା ନିଅଣ୍ଟ ପଡିବ । ତେବେ ଜାତୀୟ ସ୍ତରରେ ବିଜେପି ନେତୃତ୍ୱାଧିନ ଏନ୍ଡିଏ ମେଣ୍ଟ ଓଡିଶାରେ ତାହାର କେଉଁ ସହଯୋଗୀଦଳକୁ କେତେ ଆସନ ଛାଡିବ ଏବଂ କଂଗ୍ରେସ ନେତୃତ୍ୱାଧିନ ପୂର୍ବର ୟୁପିଏ ଏବେ ଇନ୍ଡିଆ ମେଣ୍ଟ ଗଢିଥିବାବେଳେ ଆପ୍, ସମାଜବାଦୀ, ଆରଜେଡି, ବାମପନ୍ଥୀ ଓ ଅନ୍ୟ ସହଯୋଗୀଦଳମାନଙ୍କୁ କଂଗ୍ରେସ ଓଡିଶାରେ କେଉଁ କେଉଁ ଆସନ ଛାଡିବ ସେଥିଘେନି ଏବେ ଠାରୁ କିଛି ସ୍ପଷ୍ଟ ଚିତ୍ର ମିଳୁନାହିଁ (ତଥ୍ୟ)