ଭୁବନେଶ୍ୱର : ଗ୍ରାହକମାନେ ବର୍ତ୍ତମାନ ଯେଉଁ ଗ୍ୟାସ ସିଲିଣ୍ଡରକୁ ୧୧୦୩ ଟଙ୍କା ଦରରେ କିଣୁଛନ୍ତି ୨୦୧୮ ମସିହାରେ ତାହା ୬୫୩.୫୦ ଟଙ୍କା ଥିଲା । ଏପରିକି ବର୍ଷକ ତଳେ ଏହା ହଜାରେ ଟଙ୍କା ତଳେ ଥିବା ନେଇ ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ।
ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ୨୦୧୮ ମସିହା ଠାରୁ ଲଗାତାର ଭାବେ ଏଲପିଜି ଦର ବଢିବାରେ ଲାଗିଛି । ୨୦୧୮ ଏପ୍ରିଲ ପହିଲାରେ ଗ୍ୟାସ ଦର ୬୫୩.୫୦ ଟଙ୍କା ଥିବାବେଳେ ୨୦୧୯ରେ ୭୦୬.୫୦ ଟଙ୍କା, ୨୦୨୦ ରେ ୭୪୪ଟଙ୍କା, ୨୦୨୧ ରେ ୮୦୯ ଟଙ୍କା ଏବଂ ୨୦୨୨ ଏପ୍ରିଲ୍ ଏକ ତାରିଖରେ ଏହା ୯୪୯.୫୦ ଟଙ୍କା ରହିଥିଲା । ପରବର୍ତ୍ତୀ ସମୟରେ ଏହି ଦର ବୃଦ୍ଧି ପାଇ ଏବେ ହିତାଧିକାରୀମାନେ ୧୧୦୩ ଟଙ୍କାରେ ଖରିଦ କରୁଛନ୍ତି । ତେବେ ସାଧାରଣ ଗ୍ରାହକଙ୍କୁ ଏହା ଉପରେ ୧୩.୯୫ ଟଙ୍କାର ସବସିଡ୍ ଅର୍ଥ ଫେରାଇ ଦିଆଯାଉଛି ।
ଏଲ୍ପିଜି ଦର ବୃଦ୍ଧି ସତ୍ୱେ ସମଗ୍ର ଦେଶରେ ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବଢିବା ସହିତ ସେମାନେ ଅଧିକରୁ ଅଧିକ ଗ୍ୟାସ ବ୍ୟବହାର କରୁଛନ୍ତି । ୨୦୧୮-୧୯ ବର୍ଷରେ ଏହି ଯୋଜନାରେ ଦେଶରେ ୧୫.୯୯ କୋଟି ହିତାଧିକାରୀ ୧୪.୨ କିଲୋ ସିଲିଣ୍ଡର ରିଫିଲ କରିଥିବାବେଳେ ୨୦୨୨-୨୩ ରେ ଏହି ହିତାଧିକାରୀଙ୍କ ସଂଖ୍ୟା ୩୪.୪୮ କୋଟିରେ ପହଞ୍ଚିଛି ।
ବର୍ତ୍ତମାନ ସାଧାରଣ ହିତାଧିକାରୀଙ୍କୁ ଗୋଟିଏ ସିଲିଣ୍ଡର ଉପରେ ୧୩.୯୫ ଟଙ୍କାର ସବସିଡ୍ ପ୍ରଦାନ କରାଯାଉଥିବାବେଳେ ଉଜ୍ୱଳା ହିତାଧିକାରୀଙ୍କ ପାଇଁ ଏହା ୨୦୦ ଟଙ୍କା ରରହିଛି । ତେବେ ସେମାନଙ୍କୁ ୧୨ଟି ପର୍ଯ୍ୟନ୍ତ ସିଲିଣ୍ଡର ଉପରେ ଏହି ରିହାତି ପ୍ରଦାନ କରାଯିବ ।
ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ସମଗ୍ର ଦେଶରେ ଏବେ ୩୧.୫୦ କୋଟି ଘରୋଇ ଏଲପିଜି ଉପଭୋକ୍ତା ଥିବାବେଳେ ଏ ବାବଦରେ ଦିଆଯାଉଥିବା ସବସିଡ୍ ହ୍ରାସ ପାଇବାରେ ଲାଗିଛି । ୨୦୧୮-୧୯ ବର୍ଷରେ କେନ୍ଦ୍ର ସରକାର ଏଲପିଜି ହିତାଧିକାରୀମାନଙ୍କୁ ୩୭,୨୦୯ କୋଟି ଟଙ୍କାର ସବସିଡ୍ ପ୍ରଦାନ କରିଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୨୪,୧୭୨ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ୨୦୨୨-୨୩ ବର୍ଷରେ ଏହା ପ୍ରାୟ ୭ହଜାର କୋଟି ଟଙ୍କା ତଳେ ରହିଛି । (ତଥ୍ୟ)