Home Culture ଧାରଣାରେ ବସିବେ ସୁଦର୍ଶନ

ଧାରଣାରେ ବସିବେ ସୁଦର୍ଶନ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ତିନି ଦ୍ୱାରା ଫିଟାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଅତି କମ୍‍ରେ ଗୋଟିଏ ଦ୍ୱାର ଖୋଲା ନଗଲେ ୨୪ ତାରିଖରୁ ପଶ୍ଚିମ ଦ୍ୱାର ସମ୍ମୁଖରେ ଧାରଣାରେ ବସିବେ ବୋଲି ଘୋଷଣା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଶ୍ରୀ ପଟ୍ଟନାୟକ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରର ତିନି ଦ୍ୱାର ବନ୍ଦକରି ରଖିଥିବାରୁ ଭକ୍ତ ବିଶେଷକରି ପୁରୀବାସୀ ବିଶେଷ ଭାବରେ ହଇରାଣ ହେଉଛନ୍ତି । ପ୍ରତିଦିନ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ସ୍ଥାନୀୟ ବୟସ୍କ ଭକ୍ତମାନେ ଶହ ଶହ ଲୋକଙ୍କ ସହିତ ଧାଡିରେ ଛିଡାହୋଇ ପାରୁ ନାହାନ୍ତି । ସେହିଭଳି ମହାପ୍ରସାଦ ନେବାପାଇଁ ମଧ୍ୟ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବାକୁ ପଡୁଛି ।

ଅତି କମ୍‍ରେ ଗୋଟିଏ ଦ୍ୱାର ତୁରନ୍ତ ଖୋଲା ନଗଲେ ସେ ସୋମବାର ଠାରୁ ପଶ୍ଚିମ ଦ୍ୱାରରେ ବସି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବେ । ଦ୍ୱାର ଫିଟା ନହେଲା ପର୍ଯ୍ୟନ୍ତ ପ୍ରତିବାଦ ସ୍ୱରୂପ ସେ ଶ୍ରୀମନ୍ଦିରକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

କରୋନା ମହାମାରୀ ସମୟରୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରର ତିନିଟି ଦ୍ୱାର ବନ୍ଦ କରିଦେଇଥିଲେ । ଇତି ମଧ୍ୟରେ କରୋନ ପ୍ରଭାବ ଦୂରେଇ ଯାଇଥିବାବେଳେ ପ୍ରଶାସନ କିନ୍ତୁ ଦ୍ୱାର ଖୋଲୁ ନାହିଁ । ଏ ନେଇ ଶ୍ରୀ ପଟ୍ଟନାୟକ ମଧ୍ୟ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ପତ୍ର ଲେଖିଥିଲେ ।

କେବଳ ଶ୍ରୀ ପଟ୍ଟନାୟକ ନୁହନ୍ତି, ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ବାରମ୍ବାର ତିନି ଦ୍ୱାରା ଖୋଲିବା ସପକ୍ଷରେ ମତଦେଇ ଆସୁଛନ୍ତି । ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି, ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ଶ୍ରୀମନ୍ଦିରର ବନ୍ଦ ଥିବା ଦ୍ୱାରକୁ ଭକ୍ତଙ୍କ ଲାଗି ଖୋଲିବାକୁ ମତ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ବନ୍ଦ ଥିବା ତିନି ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବାକୁ ମତ ଦେବାପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକାରୀ ଯୋଗୁଁ ଏହା ବନ୍ଦ ରହିଛି ଏବଂ ସମୟ ଆସିଲେ ଖୋଲାଯିବ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମତ ଦେଇଛନ୍ତି ।

ନିକଟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଭକ୍ତଙ୍କ ପାଇଁ ଦ୍ୱାର ଖୋଲିବା ସପକ୍ଷରେ ମତପ୍ରକାଶ ପାଇଥିବାବେଳେ ଏହା ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବାପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ସବ୍‍କମିଟି ଗଠନ କରିଛନ୍ତି । ଆସନ୍ତା ମାସ ପହିଲା ସୁଦ୍ଧା କମିଟି ତାହାର ରିପୋର୍ଟ ପ୍ରଦାନ କରିବ ।

ତେବେ ଇତି ମଧ୍ୟରେ ଭକ୍ତ ଠାରୁ ହାତଗୁଞ୍ଜା ନେଇ ବନ୍ଦ ଦ୍ୱାର ବାଟେ ସେମାନଙ୍କୁ ଛାଡିବା ଅଭିଯୋଗରେ ଜଣେ ସୁରକ୍ଷା କର୍ମୀ ନିଲମ୍ବିତ ହେବାପରେ ଦ୍ୱାର ଫିଟାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ଯଦି ଘୋଷଣା ଅନୁଯାୟୀ ସୋମବାର ଠାରୁ ଶ୍ରୀ ପଟ୍ଟନାୟକ ପଶ୍ଚିମ ଦ୍ୱାର ସମ୍ମୁଖରେ ଧାରଣାରେ ବସନ୍ତି ତେବେ ସ୍ଥିତି କି ପ୍ରକାର ହେବ ତାହାକୁ ନେଇ ଆକଳନ ଚାଲିଥିବାବେଳେ ପ୍ରଶାସନ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ।