ଭୁବନେଶ୍ୱର : ରାଜ୍ୟରେ ଡାଲି ଉତ୍ପାଦନ ବୃଦ୍ଧି ଲାଗି କେନ୍ଦ୍ର ସରକାର ଗତ ଦୁଇବର୍ଷରେ ଓଡିଶାରେ ୬୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଡାଲି କ୍ଷେତ୍ରରେ ଓଡିଶା ଆତ୍ମନିର୍ଭର ହୋଇପାରୁ ନାହିଁ । ଅନ୍ୟ ରାଜ୍ୟରୁ ଡାଲି ନଆସିଲେ ଓଡିଶାର ଲୋକଙ୍କ ଭାତ ଥାଳି ଡାଲିଶୂନ୍ୟ ହୋଇଯାଉଛି ।
କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ନିରାପତ୍ତା ମିଶନର ଡାଲି ଯୋଜନାରେ ୨୦୨୧-୨୨ ଓ ୨୦୨୨୨-୨୩ ବର୍ଷରେ ଓଡିଶାକୁ ୬୦କୋଟି ୩୯ ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥ ରାଜ୍ୟରେ ଡାଲି ଉତ୍ପାଦନ ବୃଦ୍ଧି ଲାଗି ବ୍ୟୟ ହୋଇଛି । ସମସ୍ତ ୩୦ଟି ଜିଲ୍ଲାରେ ଏକ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଡାଲି ଚାଷ ହୋଇଥିବା ସରକାରୀ ଭାବେ କୁହାଯାଉଛି ।
ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡାଲି ଉତ୍ପାଦନ କ୍ଷେତ୍ରରେ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଓଡିଶାକୁ ପ୍ରତିଦିନ ଟ୍ରକ ଟ୍ରକ ଡାଲି ଅନ୍ୟ ରାଜ୍ୟରୁ ଆସୁଛି । ବର୍ତ୍ତମାନ ତିରୋଟ ସମୟରେ ଓଡିଶା ବଜାରରେ ହରଡଡାଲି କିଲୋ ୧୫୦ ଟଙ୍କା ଟପିଥିବାବେଳେ ମୁଗ, ମସୁର, କୋଳଥ ଆଦି ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ।
ତେବେ କେନ୍ଦ୍ର ସରକାର ଯେଉଁ ଅର୍ଥ ଯୋଗାଇ ଦେଇଥିଲେ ସେଥିରେ ହରଡ ଚାଷପାଇଁ ହୋଇଥିବା ସଘନ କୃଷି କାର୍ଯ୍ୟକ୍ରମରେ ଏହି ଦୁଇ ବର୍ଷରେ ୨୫.୫୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଅର୍ଥରେ ୨୦୨୧-୨୨ ବର୍ଷରେ ୬ଟି ଜିଲ୍ଲାର ୩୧୮୦ ହେକ୍ଟର ଜମିରେ ହରଡଚାଷ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ୧୯ଟି ଜିଲ୍ଲାର ୨୦ହଜାର ହେକ୍ଟରରୁ ଅଧିକ ଜମିରେ ଏହି ଡାଲି ଚାଷ ହୋଇଥିଲା । ସେହିବର୍ଷ ମଧ୍ୟ ରାଜ୍ୟ ଯୋଜନାରେ ୩୦ଟି ଜିଲ୍ଲାରେ ୭୦ହଜାର ହେକ୍ଟରରୁ ଅଧିକ ଜମିରେ ବିଭିନ୍ନ କିସମର ଡାଲି ଚାଷ ହୋଇଥିଲା ।
ଏତେ ସବୁ ସତ୍ୱେ ଓଡିଶା ବର୍ଷ ସାରା ଡାଲି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି । ସୂଚନା ଅନୁଯାୟୀ ଓଡିଶାରେ ବାର୍ଷିକ ପ୍ରାୟ ୧୧ଲକ୍ଷ ଟନ୍ ଡାଲି ଆବଶ୍ୟକ ଥିବାବେଳେ ଅନୁରୂପ ପରିମାଣର ଡାଲି ଉତ୍ପାଦନ ହେଉଛି । କିନ୍ତୁ ବର୍ଷ ସାରା ରାଜ୍ୟରେ ଡାଲି ଅଭାବ । ତେବେ ଏହାର ଅନ୍ୟତମ କାରଣ ରାଜ୍ୟରେ ଡାଲି ପ୍ରକ୍ରିୟାକରଣ ଶିଳ୍ପର ଅଭାବ । ଏଥିଯୋଗୁଁ ବିଭିନ୍ନ କିସମର ଡାଲି ଅମଳ ହେବାମାତ୍ରେ ରାଜ୍ୟ ବାହାରର ବ୍ୟବସାୟୀମାନେ ତାହାକୁ ଅଳ୍ପ ଦରରେ ଖରିଦକରି ନେଉଛନ୍ତି । ପରେ ପ୍ରକ୍ରିୟାକରଣ କରି ଓଡିଶାକୁ ପଠାଇ ଅଧିକ ଦରରେ ବିକ୍ରି କରୁଛନ୍ତି ।
ଓଡିଶାର କୃଷି ଜଳବାୟୁ ବିଭିନ୍ନ କିସମର ଡାଲି ଚାଷ ପାଇଁ ଅନୁକୂଳ ହୋଇଥିବା ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ ମଧ୍ୟ ଡାଲି କ୍ଷେତ୍ରରେ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇପାରୁ ନାହିଁ । ପ୍ରକ୍ରିୟାକରଣ ଓ ବଜାର ବ୍ୟବସ୍ଥାର ଅଭାବ ଯୋଗୁଁ ଚାଷୀମାନେ ହରଡ ଭଳି ଲାଭଦାୟକ ଡାଲିଚାଷ ପ୍ରତି ବିମୁଖ ହେଉଥିବା ଯୋଗୁଁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡିଶା ବଜାରରୁ ବିପୁଳ ପରିମାଣ ମୁନାଫା ଉଠାଉଛନ୍ତି । (ତଥ୍ୟ)