ଭୁବନେଶ୍ୱର : ଓଡ଼ିଶାର ଆଇନ ଅଦାଲତ ଗୁଡ଼ିକରେ ୧୦ରୁ ୩୦ ଓ ତଦୁର୍ଦ୍ଧ୍ୱ ବର୍ଷ ଧରି ଗଡୁଥିବା ପୁରୁଣା ମାମଲା ସଂଖ୍ୟା ପ୍ରାୟ ୨ଲକ୍ଷ ୩୦ ହଜାର । ଏଥିମଧ୍ୟରୁ କେବଳ ପୁରୁଣା ଅପରାଧିକ ମାମଲା ହେଉଛି ପ୍ରାୟ ୧ଲକ୍ଷ ୯୮ହଜାର । ଓଡ଼ିଶାରେ ପ୍ରାୟ ୨୦ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ଥିବା କଥା କୁହାଯାଉଥିବାବେଳେ ଜାତୀୟ ନ୍ୟାୟିକ ଡାଟା ଗ୍ରୀଡ୍ର ତଥ୍ୟ ମୁତାବକ ଏହି ସଂଖ୍ୟା ୧୫,୩୧,୦୭୬ ଯାହା ମଧ୍ୟରୁ କେବଳ ଅପରାଧିକ ମାମଲା ହେଉଛି ୧୨,୪୮, ୨୧୦ ଓ ଦେୱାନୀ ମାମଲା ସଂଖ୍ୟା ୨,୮୨, ୮୬୬ ।
ଅପରାଧିକ ମାମଲା ଗୁଡିକର ତ୍ୱରିତ ଫଇସଲା ହୋଇ ପାରୁନଥିବାରୁ ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ଓ ନଷ୍ଟ ହେବାର ସୁଯୋଗ ବୃଦ୍ଧି ପାଉଛି ଏବଂ ଏଥିରୁ ଫାଇଦା ନେଇ ସଂଖ୍ୟାଧିକ ମାମଲାରେ ଅଭିଯୁକ୍ତମାନେ ଖସି ଯାଉଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଘେନି ଏହା ଏକ ବଡ଼ ଆହ୍ୱାନ ବୋଲି କୁହାଯାଉଛି । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ଗତବର୍ଷ ଅଗଷ୍ଟ ମାସରେ ପ୍ରକାଶ କରିଥିବା ସର୍ବଶେଷ ରିପୋର୍ଟ ମୁତାବକ ଓଡ଼ିଶାରେ ଭାରତୀୟ ପିଙ୍ଗଳ କୋଡ୍ର ବିଭିନ୍ନ ଦଫାରେ ରୁଜୁ ମାମଲାରେ ଦଣ୍ଡ ବିଧାନହାର ମାତ୍ର ୫.୭ ପ୍ରତିଶତ ରହୁଥିବାବେଳେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧରେ ଏହି ହାର ମାତ୍ର ୮.୩ ପ୍ରତିଶତ । ଏଭଳି କିସମର ସାଘାଂତିକ ମାମଲାରେ ବାର୍ଷିକ ଫଇସଲା ହାର ୨ ପ୍ରତିଶତରୁ ଅଧିକ ହେଉ ନଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଜୁଡିସିଆଲ୍ ଡାଟା ଗ୍ରୀଡ୍ର ତଥ୍ୟ ମୁତାବକ ଆଜି ସୁଦ୍ଧା ରାଜ୍ୟରେ ବିଚାରାଧୀନ ଥିବା ଅପରାଧିକ ମାମଲା ଗୁଡିକ ମଧ୍ୟରୁ ୧, ୬୪ , ୧୦୭ଟି ୧୦ରୁ ୨୦ ବର୍ଷ ଧରି ଗଡୁଥିବାବେଳେ ୩୧, ୩୬୫ଟି ମାମଲା ୨୦ରୁ ୩୦ବର୍ଷ ଏବଂ ୩୯୨୯ଟି ମାମଲା ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଗଡୁଛି । ୨୦୧୧ ମସିହାରେ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ରାଜ୍ୟ ସରକାର ପ୍ରକାଶ କରିଥିବା ମାମଲା ନୀତି ଅନୁଯାୟୀ ୫ବର୍ଷରୁ ପୁରୁଣା ମାମଲା ସବୁ ସଫା ହୋଇଯିବା କଥା ।
କିନ୍ତୁ ୨ଲକ୍ଷ ୨୫ହଜାରରୁ ଅଧିକ ଅପରାଧିକ ମାମଲା ଓ ପ୍ରାୟ ୧ଲକ୍ଷ ଦେୱାନୀ ମାମଲା ଓଡ଼ିଶାରେ ୫ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଗଡୁଛି । ଅନେକ ଜମିଜମ।। ସଂକ୍ରାନ୍ତୀୟ ମାମଲା ପୁରୁଷ ପୁରୁଷ ଧରି ମଧ୍ୟ ପଡିରହୁଛି । ଫଳରେ କାହା ଘର ଜମି କିଏ ମାଡିବସି ଜମି ଓ ଘର ମାଲିକଙ୍କୁ ମାମଲାରେ ଛନ୍ଦି ବର୍ଷ ବର୍ଷ ଧରି ଫାଇଦା ନେଉଛନ୍ତି ତ ଆଉକିଏ ନିଜ ଘର ଓ ଜମିରୁ ବେଦଖଲ ହୋଇ ଚାତକ ଭଳି ଦଶନ୍ଧି ଦଶନ୍ଧି ଧରି ଅଦାଲତଙ୍କ ରାୟକୁ ଅପେକ୍ଷା କରି ରହିବାକୁ ବାଧ୍ୟ ହେଉଛନ୍ତି ।
କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ସାରା ଦେଶରେ ଏବେ ୫କୋଟିରୁ ଅଧିକ ମାମଲା ବିଚାରାଧୀନ ରହିଛି । ଏଥିମଧ୍ୟରୁ ବିଭିନ୍ନ ହାଇକୋର୍ଟରେ ୬୦ଲକ୍ଷ ୬୨ହଜାରରୁ ଅଧିକ ମାମଲା ରହିଥିବାବେଳେ ଜିଲ୍ଲା ଓ ଅଧସ୍ଥନ କୋର୍ଟରେ ୪କୋଟି ୪୧ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ସୁପ୍ରିମ୍କୋର୍ଟରେ ଗତ ଜୁଲାଇ ପହିଲା ସୁଦ୍ଧା ୬୯, ୭୬୬ଟି ମାମଲା ରହିଥିବା କୁହାଯାଉଛି ।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟରେ ଜୁଡିସିଆଲ୍ ଡାଟା ଗ୍ରୀଡ୍ ର ତଥ୍ୟ ମୁତାବକ ୧, ୪୫ , ୯୦୮ଟି ମାମଲା ରହିଛି ଯେଉଁଥିରୁ ଅପରାଧିକ ମାମଲା ସଂଖ୍ୟା ହେଉଛି ୩୮ହଜାର ୨୧୦ । ଓଡ଼ିଶା ହାଇକୋର୍ଟରେ ବି ୧୦ରୁ ୩୦ ଓ ତଦୁର୍ଦ୍ଧ୍ୱ ସମୟର ପ୍ରାୟ ୩୧ହଜାର ମାମଲା ରହିଥିବାବେଳେ ୫ରୁ ୧୦ବର୍ଷର ପୁରୁଣା ମାମଲା ସଂଖ୍ୟା ୩୪ହଜାରରୁ ଅଧିକ ।
ଓଡ଼ିଶା ହାଇକୋର୍ଟରେ ଏବେ ରୁଜୁ ହେଉଥିବା ନୂଆ ମାମଲା ତୁଳନାରେ ଅଧିକ ମାମଲା ଫଇସଲା ହେଉଛି । ଓଡ଼ିଶା ହାଇକୋର୍ଟ ସ୍ଥାପନର ୭୫ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ଅବସରରେ ଅନ୍ତତଃପକ୍ଷେ ରାଜ୍ୟ ସରକାର ତାଙ୍କ ମାଗଣା ନୀତିର ଠିକଣା ଅନୁପାଳନ କରି ମାମଲା ଫଇସଲା ପ୍ରକ୍ରିୟାକୁ ବିଭିନ୍ନ ଅଦାଲତରେ ତ୍ୱରାନ୍ୱିତ କରିବା ପାଇଁ ଅଭିଜ୍ଞ ଆଇନଜୀବୀମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)