ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ବୟୋଜ୍ୟେଷ୍ଠ ରାଜନୀତିଜ୍ଞ, ସମାଜସେବୀ, ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସୁରେନ୍ଦ୍ର ନାଥ ନାୟକଙ୍କ ଦ୍ୱାରା ତାଙ୍କ ବାସଭବନରେ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି ।
ମୁଖ୍ୟ ସମ୍ପାଦକ ଦେଶବନ୍ଧୁ ସ୍ୱାଇଁ ଓ ସମ୍ପାଦିକା ଦେବଶ୍ରୀ ଧଳଙ୍କ ସମ୍ପାଦନାରେ ନିୟମିତ ପ୍ରକାଶିତ ତ୍ରୈୟମାସିକ ସମୀକ୍ଷା ସମୃଦ୍ଧି ‘ସୃଜନ ସ୍ୱପ୍ନ’ ଓ ଅନ୍ୟତମ କବି ଡକ୍ଟର ସୁଜାତା ପଟ୍ଟନାୟକଙ୍କ ପୁସ୍ତକ ‘କଇଁଟିଏ ମନଟିଏ’କୁ ଶ୍ରୀ ନାୟକ ଲୋକାର୍ପିତ କରି ପତ୍ରିକା ଓ ପୁସ୍ତକ ଉପରେ ନିଜର ଖୁସିବ୍ୟକ୍ତ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଗୀତିକବି ବିପିନ୍ ମହାନ୍ତି, ପ୍ରାଧ୍ୟାପକ ଡ. ପ୍ରେମାନନ୍ଦ ମହାପାତ୍ର, ସାହିତ୍ୟିକ ରାଜକିଶୋର ମହାପାତ୍ର ଓ ଭିକାରୀ ଧଳ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଡ. ସୁଜାତା ପଟ୍ଟନାୟକ ତାଙ୍କ କାବ୍ୟଚେତନା ସମ୍ପର୍କରେ କହିଥିବା ବେଳେ ଶ୍ରୀ ସ୍ୱାଇଁ ପତ୍ରିକା ସମ୍ପାଦନାର ଅନୁଭୂତିକୁ ପ୍ରକାଶ କରିଥିଲେ ।
ସମ୍ପୂର୍ଣ୍ଣ ଘରୋଇ ପରିବେଶରେ ଆୟୋଜିତ ଏହି ଉତ୍ସବରେ ଅନେକ ସାହିତ୍ୟିକ ଓ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ଗୀତିକବି ଶ୍ରୀ ମହାନ୍ତିଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମକୁ ୟୁଟ୍ୟୁବରେ ପ୍ରସ୍ତୁତ କରିଥିଲେ ସୃଜନସ୍ୱପ୍ନ ସହଯୋଗୀ ସମ୍ପାଦକ ଶାଶ୍ୱତ ଧଳ ଓ ମାଷ୍ଟର ଦେବାନନ୍ଦ । ପରିଶେଷରେ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।