ଭୁବନେଶ୍ୱର : ଓଡିଶା ସମେତ ଦେଶରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରର ଜିଓ ମ୍ୟାପିଂ କରାଯିବ । ଏହାଦ୍ୱାରା ଅଙ୍ଗନବାଡିରେ ଥିବା ପିଲାଙ୍କ ଠାରୁ ଆରମ୍ଭକରି ଏହାର ଜମିବାଡି ଓ ଅନ୍ୟାନ୍ୟ ସଂକ୍ରାନ୍ତରେ ବିସ୍ତୃତ ସୂଚନା ମିଳିପାରିବ ।
ଅଙ୍ଗନବାଡି କେନ୍ଦ୍ରଗୁଡିକର ଜିଓ ମ୍ୟାପିଂ ନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ୧୩.୯୬ ଲକ୍ଷ ଅଙ୍ଗନବାଡି କେନ୍ଦ୍ର ପୋଷଣ ଟ୍ରାକରରେ ପଞ୍ଜିକୃତ ହୋଇଛି । ଏହି ଟ୍ରାକର ଆପ୍ଲିକେଶନ ଜରିଆରେ ଅଙ୍ଗନବାଡିରେ ମିଳୁଥିବା କେତେକ ସେବା ଓ ସୁବିଧାକୁ ମନିଟରିଂ କରାଯାଇ ପାରୁଛି ।
ତେବେ ଶିଳ୍ପ ପ୍ରୋତ୍ସାହନ ଓ ଆନ୍ତଃ ବାଣିଜ୍ୟ (ଡିପିଆଇଆଇଟି) ମନ୍ତ୍ରଣାଳୟ ଦ୍ୱାରା ପରିଚାଳନା କରାଯାଉଥିବା ପିଏମ୍ ଗତିଶକ୍ତି କାର୍ଯ୍ୟକ୍ରମ ଜରିଆରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକର ଜିଓ ମ୍ୟାପିଂ କାର୍ଯ୍ୟ ଆରମ୍ଭ ହୋଇଛି । ଏହାକୁ ପ୍ରୋଷଣ ଟ୍ରାକର ଜରିଆରେ କରାଯାଉଛି । ଭାଷ୍କରାଚାର୍ଯ୍ୟ ନେସନାଲ ଇନଷ୍ଟିଟ୍ୟୁଟ ଅଫ୍ ସ୍ପେଶ୍ ଆପ୍ଲିକେଶନ ଆଣ୍ଡ ଜିଓ-ଇନଫର୍ମାଟିକ୍ସ ଯାହା କି କେନ୍ଦ୍ର ଇଲେକଟ୍ରୋନିକ ଓ ଆଟି ମନ୍ତ୍ରଣାଳୟ ଅଧିନରେ ରହିଛି ତାହା ସହାୟତାରେ ଗତି ଶକ୍ତି ପୋର୍ଟାଲରେ ଅଙ୍ଗନବାଡିର ଜିଓ ମ୍ୟାପିଂ ସୂଚନା ରଖାଯିବ । ତେବେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷରୁ ଅଧିକ ଅଙ୍ଗନବାଡି କେନ୍ଦ୍ରର ଜିଓ-ମ୍ୟାପିଂ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଜିଓ-ମ୍ୟାପିଂ ହେଉଛି ଏକ ଆଇନ୍ଗତ ବୈଷୟିକ ଦିଗ ଯାହା ଜରିଆରେ ଅଙ୍ଗନବାଡି କେନ୍ଦ୍ରଗୁଡିକ ପାଇଁ ନୀତି ଓ ଯୋଜନା ପ୍ରସ୍ତୁତ ସହଜ ହେବ । ଏଥି ସହିତ ଅଙ୍ଗନବାଡି ନିର୍ମାଣ ପାଇଁ ଉପଲବ୍ଧ ଜମିର ଚିହ୍ନଟ, ଅଙ୍ଗନବାଡି ଅଞ୍ଚଳର ଜନସଂଖ୍ୟା, ଜଳ ସୁବିଧା, ଡାକ୍ତରୀ ସୁବିଧା, ଶିକ୍ଷାନୁଷ୍ଠାନ, ୱାଇଫାଇ ସୁବିଧା ସହି ଗ୍ରାମପଞ୍ଚାୟତ ଚିହ୍ନଟ କରାଯାଇ ପାରିବ । ଏଥି ସହିତ ଅଙ୍ଗନବାଡିରେ ପୁଷ୍ଟିକର ଖାଦ୍ୟ ଯୋଗାଣ ସହିତ ଲିଙ୍ଗଗତ ସେବା ମିଳିପାରିବ ।
ତେବେ ଇତି ମଧ୍ୟରେ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଅଙ୍ଗନବାଡି ଶିଶୁଙ୍କ ଆଧାର ନମ୍ବରକୁ ପୋଷଣ ଟ୍ରାକର ସହିତ ସଂଯୁକ୍ତ କରାଯାଇଛି । ଓଡିଶାରେ ଏହି ହାର ୯୯ ପ୍ରତିଶତ ରହିଛି ଯାହାକି ଦେଶରେ ସର୍ବାଧିକ । ପଡୋଶୀ ଆନ୍ଧ୍ରପ୍ରଦେଶରେ ଏହା ୮୮ ପ୍ରତିଶତ ଥିବାବେଳେ ଛତିଶଗଡରେ ୯୦, ଝାଡଖଣ୍ଡରେ ୬୦ ଏବଂ ପଶ୍ଚିମବଙ୍ଗରେ ଏହା ୯୮ ପ୍ରତିଶତ ରହିଛି ।
ଇତି ମଧ୍ୟରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧିନରେ ଥିବା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ (ଆରସିଏଚ୍) କୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ପୋଷଣ ଟ୍ରାକର ସହ ଯୋଡିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି । ବର୍ତ୍ତମାନ ଆଧାର ଏବଂ ଆଭା ଆଇଡି ମାଧ୍ୟମରେ ଗାଁ ଗହଳିର ମହିଳାମାନଙ୍କ ସଂକ୍ରାନ୍ତରେ ବିସ୍ତୃତ ସୂନା ମିଳିପାରୁଛି । (ତଥ୍ୟ)