ଭୁବନେଶ୍ୱର : ସ୍ମାର୍ଟ ସିଟି ମିଶନ ଅଧିନରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟି ପାଇଁ ୩୬୭୨.୬୩ କୋଟି ଟଙ୍କାର ୯୯ଟି ପ୍ରକଳ୍ପ ମଞ୍ଜୁର ହୋଇଛି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଲୋକସଭାରେ ଏହି ସୂଚନା ଦେଇଛନ୍ତି ।
ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କିଶୋର ଦର୍ଶାଇଛନ୍ତି ଯେ ଭାରତ ସରକାର ୨୦୧୫ ଜୁନ୍ ୨୫ ତାରିଖରେ ସ୍ମାର୍ଟ ସିଟି ମିଶନର ଶୁଭାରମ୍ଭ କରିଥିଲେ । ଜାନୁୟାରୀ ୨୦୧୬ ରୁ ଜୁନ୍ ୨୦୧୮ ମଧ୍ୟରେ ୪ ପର୍ଯ୍ୟାୟ ପ୍ରତିଯୋଗିତାରେ ୧୦୦ଟି ସହରକୁ ଚୟନ କରାଯାଇଥିଲା । ଏହି ଶହେଟି ସହର ମଧ୍ୟରେ ଭୁବନେଶ୍ୱର ଓ ରାଉରକେଲା ସ୍ଥାନ ପାଇଥିଲା । ସ୍ମାର୍ଟସିଟି ମିଶନକୁ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଓଡିଶାର ଦୁଇଟି ସହର ପାଇଁ ମୋଟ୍ ୩୬୭୨.୬୩ କୋଟି ଟଙ୍କାର ୯୯ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ଏଥି ମଧ୍ୟରୁ ୨୭୦୭.୩୦ କୋଟି ଟଙ୍କାର ୮୫ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ୯୬୫.୩୩ କୋଟି ଟଙ୍କାର ୧୪ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି । ଭୁବନେଶ୍ୱରରେ ୩୫ଟି ପ୍ରକଳ୍ପ ହାତକୁ ନିଆଯାଇଛି ଯାହାର ମୂଲ୍ୟ ହେଉଛି ୨୧୫୯.୭୭ କୋଟି ଟଙ୍କା । ଏଥିରୁ ୧୫୫୨.୦୬ କୋଟି ଟଙ୍କା ମୂଲ୍ୟର ୨୬ଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ୬୦୭.୭୧ କୋଟି ଟଙ୍କା ମୂଲ୍ୟର ୯ଟି ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି ।
ଅନୁରୂପ ଭାବେ ରାଉରକେଲା ସ୍ମାର୍ଟ ସିଟି ପାଇଁ ୧୫୧୨.୮୬ କୋଟି ଟଙ୍କାର ୬୪ଟି ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ଏଥିରୁ ୧୧୫୫.୨୪ କୋଟି ଟଙ୍କାର ୫୯ଟି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇଛି । ୩୫୭.୬୨ କୋଟି ଟଙ୍କାର ୫ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି ।
ରାଜ୍ୟର ଦୁଇ ସ୍ମାର୍ଟ ସିଟିରେ ମୋଟ୍ ୯୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ମିଶନ ଅଧିନରେ କାର୍ଯ୍ୟ କରୁଥିବା ସଂସ୍ଥାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୧୮୮୭.୯୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମଞ୍ଜୁର ହୋଇଥିବା ଅର୍ଥ ମଧ୍ୟରୁ ଦୁଇ ସହରରେ ୧୬୬୬.୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ତେବେ ଜାତୀୟ ସ୍ତରରେ ୧୦୦ ଟି ସ୍ମାର୍ଟସିଟି ପାଇଁ ଚଳିତ ମାସ ୭ତାରିଖ ସୁଦ୍ଧା ମଞ୍ଜୁର ହୋଇଥିବା ୭୯୭୮ ପ୍ରକଳ୍ପ ମଧ୍ୟରୁ ୭୪% ଅର୍ଥାତ୍ ୫୯୦୯ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ମନ୍ତ୍ରୀ କହିଛନ୍ତି ଯେ ଏହି ସମସ୍ତ ସ୍ମାର୍ଟସିଟି ପାଇଁ ମୋଟ୍ ୭୩,୪୫୪ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଏଥିରୁ ୬୬,୦୨୩ କୋଟି ଅର୍ଥାତ୍ ୯୦% ଅର୍ଥ ଖର୍ଚ୍ଚ ହୋଇଛି ।
ସହରାଞ୍ଚଳରେ ସ୍ମାର୍ଟ ସିଟି ମିଶନ କାର୍ଯ୍ୟକାରୀ ଲାଗି ଏସ୍ପିଭି ଗଠନ ହୋଇଛି । ରାଜ୍ୟ ସସ୍ତରରେ ରାଜ୍ୟ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ ଷ୍ଟିଅରିଂ କମିଟି ମିଶନ କାର୍ଯ୍ୟରେ ସମନ୍ୱୟ ରକ୍ଷା କରୁଛି । ଜାତୀୟ ସ୍ତରରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ କମିଟି ଦ୍ୱାରା ଏହାର ମନିଟରିଂ କରାଯାଉଥିବା ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିଶୋର କହିଛନ୍ତି । ଏସ୍ପିଭି ବୋର୍ଡରେ ଥିବା ମନ୍ତ୍ରଣାଳୟ ଦ୍ୱାରା ମନୋନିତ ନିର୍ଦ୍ଦେଶକ ନିମୟିତ ବ୍ୟବଧାନାରେ ବିଭିନ୍ନ ସହରାଞ୍ଚଳରେ କାର୍ଯ୍ୟର ସୀକ୍ଷା କରୁଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ନିୟମିତ ଭାବେ ରାଜ୍ୟ ଓ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ସହିତ ସମୀକ୍ଷା ବୈଠକ, କ୍ଷେତ୍ର ପରିଦର୍ଶନ, ଆଞ୍ଚଳିକ ସ୍ତରରେ କର୍ମଶାଳା ଆଦିର ଆୟୋଜନ କରାଯାଉଥିବା ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । (ତଥ୍ୟ)