ଭୁବନେଶ୍ୱର : ରାଉରକେଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ସମୟରେ ପ୍ରାୟ ୬୦ ବର୍ଷ ତଳେ ତାଳଚେର-ବିମଳାଗଡ଼ ରେଳପଥ ପାଇଁ ପ୍ରସ୍ତାବ ଆସିଥିଲା । ଦୀର୍ଘଦିନର ଦାବି ଓ ଆନ୍ଦୋଳନ ପରେ ୨୦୦୪-୦୫ ବର୍ଷରେ ରେଳ ବଜେଟ୍ରେ ପ୍ରଥମଥର ଲାଗି ଏହି ରେଳପଥ ଲାଗି ଅର୍ଥବରାଦ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ୧୮ଟି ରେଳ ବଜେଟ୍ ଉପସ୍ଥାପିତ ହୋଇଥିଲେ ମଧ୍ୟ ମାତ୍ର ୧୫୪ କିଲୋମିଟର ଦୈର୍ଘ୍ୟର ଏହି ରେଳପଥର ନିର୍ମାଣ କାର୍ଯ୍ୟ ଯେଭଳି କଚ୍ଛପ ଗତିରେ ଚାଲିଛି ତାହା ଅବ୍ୟାହତ ରହିଲେ ଆସନ୍ତା ୩୦ ବର୍ଷ ମଧ୍ୟରେ ଏହାର କାର୍ଯ୍ୟକ୍ଷମ ହେବ କି ନାହିଁ ସେଥିଘେନି ସନ୍ଦେହ ପ୍ରକାଶ ପାଇଛି ।
୨୦୦୪-୦୫ରୁ ୨୦୨୧-୨୨ ପର୍ଯ୍ୟନ୍ତ ବିଭିନ୍ନ ବର୍ଷର ବଜେଟ୍ରେ ତାଳଚେର-ବିମଳାଗଡ଼ ରେଳପଥ ଲାଗି ୧୧୩୯ କୋଟି ଟଙ୍କାର ବ୍ୟୟବରାଦ ହେଲାଣି । ୨୦୧୮-୧୯ ବର୍ଷରେ ଏଥିପାଇଁ ସର୍ବାଧିକ ୩୦୦ କୋଟି ଟଙ୍କାର ବ୍ୟୟବରାଦ ଥିବା ବେଳେ ଏ ବର୍ଷ ମାତ୍ର ୧୦ କୋଟି ଟଙ୍କା ଏଥିଲାଗି ରଖାଯାଇଛି ।
ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ମୁଖ୍ୟତଃ ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ହେବାକଥା । ଏଥିଲାଗି ପ୍ରାୟ ୨୧୦୦ ଏକର ଜମିର ଆବଶ୍ୟକତା ରହିଛି । ଏଥିମଧ୍ୟରୁ ୬୭୫ ଏକର ଜଙ୍ଗଲ ଜମି ଥିବା ବେଳେ ୪୨୭ ଏକର ସରକାରୀ ଜମି ଓ ପ୍ରାୟ ୨୪୫ ଏକର ବେସରକାରୀ ଜମି ଥିବା କୁହାଯାଉଛି । ଏଥିମଧ୍ୟରୁ କିଛି ଜମି ଅଧିକୃତ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ପ୍ରକଳ୍ପ ଲାଗି ଆବଶ୍ୟକ ପଡ଼ୁଥିବା ସମସ୍ତ ଜମିର ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି ।
କେନ୍ଦ୍ର ସରକାର ୨୦୦୪-୦୫ ବର୍ଷରୁ ଏହି ରେଳ ପ୍ରକଳ୍ପ ପାଇଁ କେତେବେଳେ ୫ କୋଟି ତ କେତେବେଳେ ୧୦/୧୫ କୋଟି ଟଙ୍କାକରି ବ୍ୟୟବରାଦ କରୁଥିଲେ । ୨୦୧୪-୧୫ରେ ଏହି ରେଳ ପ୍ରକଳ୍ପ ପାଇଁ ପ୍ରଥମଥର ପାଇଁ ୧୦୦ କୋଟି ଟଙ୍କା ବରାଦ ହୋଇଥିବା ବେଳେ ୨୦୧୬-୧୭ରେ ୧୫୦ କୋଟି, ୨୦୧୮-୧୯ରେ ୩୦୦ କୋଟି, ୨୦୧୯-୨୦ରେ ୧୫୦ କୋଟି ଓ ୨୦୨୦-୨୧ ବର୍ଷରେ ୧୪୦ କୋଟି ଟଙ୍କା ବ୍ୟୟବରାଦ କରିଥିଲେ ।
ଅନ୍ୟ ସମସ୍ତ ବର୍ଷରେ ୧୦ କୋଟିରୁ ୬୬ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟବରାଦ ହୋଇଥିଲା । ବର୍ଷକୁ ଯଦି ହାରାହାରି ୧୦ କିଲୋମିଟର କରି ତାଳଚେର-ବିମଳାଗଡ଼ ରେଳପଥ ନିର୍ମିତ ହୋଇଥାନ୍ତା ତେବେ କେବେଠାରୁ ଏହା କାର୍ଯ୍ୟକ୍ଷମ ହୋଇସାରନ୍ତାଣି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ପରସ୍ପର ଉପରେ କେବଳ ଦୋଷ ଲଦିବାରେ ବ୍ୟସ୍ତ ଥିବା ବେଳେ ଆପୋଷ ବୁଝାମଣା ମାଧ୍ୟମରେ ଏହି ପ୍ରକଳ୍ପର କାର୍ଯ୍ୟକୁ କିନ୍ତୁ ଆଗେଇ ନେଇପାରୁନାହାନ୍ତି ।
ତାଳଚେର-ବିମଳାଗଡ଼ ରେଳପଥ କାର୍ଯ୍ୟକାରୀ ହେଲେ ରାଉରକେଲା-ଭୁବନେଶ୍ୱର ମଧ୍ୟରେ ଦୂରତା ପ୍ରାୟ ୧୦୦ କିଲୋମିଟର କମିଯିବ । ରାଉରକେଲାର ଇସ୍ପାତ କାରଖାନା ବେଳେ ଜର୍ମାନୀର ଇଞ୍ଜିନିୟର୍ମାନେ ଏହି ରେଳପଥ କଥା ଉଠାଇଥିଲେ । ଇତିମଧ୍ୟରେ ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟୁନ ତିନିପିଢ଼ି ଏହି ରେଳ ପ୍ରକଳ୍ପ ପାଇଁ ଆନ୍ଦୋଳନ କରିଥିଲେ ମଧ୍ୟ କାମ କଚ୍ଛପ ଗତିରେ ଚାଲିଛି ।
ଏହି ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଉରକେଲା ଇସ୍ପାତ କାରଖାନା ଓ ଏହାର ସହାୟକ ଶିଳ୍ପଗୁଡ଼ିକ ପରିବହନ ବାବଦରେ ବାର୍ଷିକ ଅନ୍ୟୁନ ହଜାରେ କୋଟି ଟଙ୍କା ବଞ୍ଚାଇପାରିବେ । ସେହିପରି ଅନ୍ୟାନ୍ୟ ଶିଳ୍ପ ସଂସ୍ଥାର ପରିବହନ ଖର୍ଚ୍ଚ ମଧ୍ୟ ଢେର୍ କମିଯିବ ।
ଏମିତିକି ରାଉରକେଲାରୁ ଭୁବନେଶ୍ୱର ଯିବାଆସିବା ଲାଗି ଯାତ୍ରୀମାନେ ଯେତେ ଅର୍ଥ ବ୍ୟୟ କରୁଛନ୍ତି ତାହାର ପ୍ରାୟ ଏକଚତୁର୍ଥାଂଶ କମ୍ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କୁହାଯାଉଛି । ଏ ବର୍ଷ ରେଳ ବଜେଟ୍ରେ ଏହି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ପାଇଁ ମାତ୍ର ୧୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ଥିବାରୁ ପ୍ରକଳ୍ପ କାମ ଆହୁରି ଧିମାଇପାରେ ।