Home General ବର୍ଷକୁ ୫ହଜାର ମାପ ଓଜନ ଠକେଇ

ବର୍ଷକୁ ୫ହଜାର ମାପ ଓଜନ ଠକେଇ

ଭୁବନେଶ୍ୱର : ରାଜ୍ୟରେ ବର୍ଷକୁ ମାପ ଓ ଓଜନରେ ଠକୁଥିବା ହାରାହାରି ୫ହଜାର ବ୍ୟବସାୟୀ ଧରାପଡୁଛନ୍ତି । ଏମାନଙ୍କ ଠାରୁ ଗତ ୬ବର୍ଷ ମଧ୍ୟରେ ୭କୋଟିରୁ ଅଧିକ ଟଙ୍କାର ଜୋରିମାନା ଆକାରରେ ଆଦାୟ ହେଲାଣି ।

ମିଳିଥିବା ସୂଚନା ଅନୁଯାୟୀ ଗତ ଛଅ ବର୍ଷ ଅର୍ଥାତ ୨୦୧୭୦୧୮ ରୁ ୨୦୨୨-୨୩ ବର୍ଷ ମଧ୍ୟରେ ମୋଟ୍‍ ୨୯,୯୯୪ ଜଣ ବ୍ୟବସାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ଯେଉଁମାନେ କି ମାପ ଓ ଓଜନରେ ଲୋକଙ୍କୁ ଠକୁଥିଲେ । ଏହି ଠକ ବ୍ୟବସାୟୀଙ୍କ ମଧ୍ୟରୁ ସର୍ବାଧିକ ୬୭୫୨ଜଣ ୨୦୧୭-୧୮ ବର୍ଷରେ ଧରାପଡିଥିବାବେଳେ ୨୦୧୯-୨୦ ବର୍ଷରେ ୫୭୦୧ ଜଣ ଧରାପଡିଥିଲେ । ୨୦୧୮-୧୯ ରେ ଧରାପଡିଥିବା ଠକ ଓ ଅସାଧୁ ବ୍ୟବସାୟୀଙ୍କ ସଂଖ୍ୟା ୫୪୦୦ ଥିଲା । ୨୦୨୨-୨୩ ଆର୍ଥିକ ବର୍ଷରେ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ୩୧୨୮ଜଣ ଅସାଧୁ ବ୍ୟବସାୟୀଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଏହି ଅସାଧୁ ବ୍ୟବସାୟୀମାନଙ୍କ ଠାରୁ ପ୍ରତିବର୍ଷ କୋଟିଏରୁ ଅଧିକ ଟଙ୍କା ଆଦାୟ ହେଉଛି । ୨୦୧୭-୧୮ ରେ ଏ ବାବଦରେ ପାଖାପାଖି ଦେଢ କୋଟି ଟଙ୍କାର ଜୋରିମାନା ଆଦାୟ ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ପ୍ରାୟ ୧.୩୨ କୋଟି ଟଙ୍କାର ତଣ୍ଡ ଅସାଧୁ ବ୍ୟବସାୟୀମାନେ ଗଣିଥିଲେ । ତେବେ ୨୦୨୨-୨୩ ଆର୍ଥିକ ବର୍ଷର ଏଗାରମାସ ମଧ୍ୟରେ ଠକ ଓ ଅସାଧୁ ବ୍ୟବସାୟୀମାନଙ୍କ ଠାରୁ ୯୦.୫୦ ଲକ୍ଷ ଟଙ୍କା ଆଦାୟ ହୋଇଥିଲା ।

ଲୋକଙ୍କୁ ମାପ ଓ ଓଜନରେ ଠକି ଧରାପଡୁଥିବା ଠକ ଓ ଅସାଧୁ ବ୍ୟବାୟୀମାନଙ୍କ ମଧ୍ୟରେ ୨୦୧୭-୧୮ ରୁ ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ସବୁଠାରୁ ଆଗରେ ରହିଥିଲେ । ଏହି ବର୍ଷଗୁଡିକରେ ଗଞ୍ଜାମରେ ଯଥାକ୍ରମେ ୭୭୩, ୬୮୫ ଏବଂ ୭୨୦ଟି ମୋକଦ୍ଦମା ଏହି ଠକ ବ୍ୟବସାୟୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିଲା । ପରବର୍ତ୍ତୀ ତିନି ବର୍ଷରେ ମୟୁରଭଞ୍ଜ ଏହି ତାଲିକାର ଶୀର୍ଷରେ ଥିଲା । ୨୦୨୦-୨୧ ରୁ ୨୦୨୨-୨୩ବର୍ଷ ମଧ୍ୟରେ ଏହି ଜିଲ୍ଲାରେ ଯଥାକ୍ରମେ ୪୮୩, ୬୩୭ ଓ ୩୯୨ ଜଣ ଠକ ଓ ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ତେବେ ଗତ ଆର୍ଥିକ ବର୍ଷର ଏଗାରମାସ ମଧ୍ୟରେ ସୋନପୁର ଜିଲ୍ଲାରେ ମାପ ଓଜନ କ୍ଷେତ୍ରରେ ମାତ୍ର ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ କୌଣସି ଜୋରିମାନା ଅର୍ଥ ଆଦାୟ ହୋଇନଥିବା ଜଣାଯାଇଛି ।

ସେହିଭଳି ଗତ ତିନି ବର୍ଷ ଅର୍ଥାତ୍‍ ୨୦୧୯-୨୦ ରୁ ୨୦୨୧-୨୨ ମଧ୍ୟରେ ସୁନାଗହଣା ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ ଓଜନରେ ୨୫୬ଟି ଠକେଇ ମାମଲା ରୁଜୁ ହୋଇଛି । ଏ ବାବଦରେ ପ୍ରାୟ ୨୮ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଏହି ତିନିବର୍ଷ ସୁନାଦୋକାନୀଙ୍କ ଠକେଇ ଯୋଗୁଁ ୯୬୩ଟି ମାମଲା ରୁଜୁ ହୋଇଥିବା ଜଣାଯାଇଛି । (ତଥ୍ୟ)