ଭୁବନେଶ୍ୱର : ଚଳିତବର୍ଷ ଶେଷ ପୂର୍ବରୁ ପଦ୍ମପୁର ସବ୍ଡିଭିଜନ୍ ଜିଲ୍ଲା ଘୋଷଣା ପାଇଁ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପରିପ୍ରେକ୍ଷୀରେ ପାଇକମାଳବାସୀ ଖୁବ୍ଶୀଘ୍ର ନୂଆ ଜିଲ୍ଲା ପାଇବେ ବୋଲି ଆଶା ରଖିଛନ୍ତି । ଏ ପରିପ୍ରେକ୍ଷୀରେ ପାଇକମାଳ ସହ ଆଉ କେତେକ ଅଞ୍ଚଳରେ ବି ନୂଆ ଜିଲ୍ଲା ସୃଷ୍ଟି ପାଇଁ ପୁଣି ଦାବି ଉଠୁଛି ।
ଏଠାରେ ଉଲ୍ଲେଖନୀୟ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସମ୍ପୃକ୍ତ ଅଞ୍ଚଳର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଦାବିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସେତେବେଳେ ଏହି ପ୍ରତିନିଧି ଦଳଙ୍କୁ ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠିତ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏକଥା ଜଣାପଡିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୂଆ ଜିଲ୍ଲା ଗଠନ ପାଇଁ ପୁଣି ସ୍ୱର ଉଠିଥିଲା ।
ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ଓଡ଼ିଶାରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରିବା କ୍ଷେତ୍ରରେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୭୦ ଦଶକରେ ଜିଲ୍ଲା ପୁର୍ନଗଠନ ଲାଗି ରାଜ୍ୟ ସରକାର ଜଷ୍ଟିସ୍ ଆର୍. କେ. ଦାସ କମିଟି ବସାଇଥିଲେ ଏବଂ ଏହି କମିଟି ଜିଲ୍ଲା ସଂଖ୍ୟା ୧୩ରୁ ୧୭କୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଥିବାବେଳେ ୯୦ ଦଶକରେ କିନ୍ତୁ ପ୍ରଶାସନିକ ବ୍ୟବସ୍ଥାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରିଥିଲେ ।
ସେ ସମୟରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଭଳି ବଡ଼ ଜିଲ୍ଲା ଗୁଡିକର ବିଭାଜନ କରାଯାଇନଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ତିନୋଟି ଜିଲ୍ଲାର ବଭାଜନ କରାଯାଇ ନୂତନ ଜିଲ୍ଲା ଗଢାଯିବାବେଳେ ପଦ୍ମପୁର ଭଳି ଆଉ କେତେକ ଅଞ୍ଚଳକୁ ଜିଲ୍ଲାର ମାନ୍ୟତା ଦେବାପାଇଁ ସରକାର ବିଚାର କରିବେ ବୋଲି ୯୦ ଦଶକରେ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା ।
ବିଜୁ ପଟ୍ଟନାୟକଙ୍କ ସମୟରେ ଖୋର୍ଦ୍ଧା ଜିଲ୍ଲା ଗଠିତ ହୋଇଥିଲେ ମଧ୍ୟ ଏହାର ମୁଖ୍ୟ କାର୍ଯ୍ୟାଳୟ ରାଜଧାନୀ ଭୁବନେଶ୍ୱରରେ ରହିଥିଲା । ପରବର୍ତ୍ତୀ ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟଦପ୍ତର ଖୋର୍ଦ୍ଧାକୁ ସ୍ଥାନାନ୍ତର କରାଯାଇଛି । ଏହା ପରଠାରୁ ପୁଣି ରାଜଧାନୀ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବାପାଇଁ ଦାବି ବଢି ଚାଲିଛି ।
ସେହିପରି ଗଞ୍ଜାମ ଜିଲ୍ଲାର ବିଭାଜନ ପରେ ଗଜପତି ଜିଲ୍ଲା ସୃଷ୍ଟି ହୋଇଥିବାବେଳେ ଘୁମୁସର ଜିଲ୍ଲା ଦାବି ପୁରଣ ହୋଇ ନଥିଲା । ସ୍ୱାଧୀନତା ଆନ୍ଦୋଳନ କାଳରେ ଘୁମୁସରବାସୀଙ୍କର ସଶସ୍ତ୍ର ଆନ୍ଦୋଳନ ସାରା ଭାରତରେ ଚମକ ସୃଷ୍ଟି କରିଥିଲା । ବିଶେଷ କରି ଘୁମୁସର କନ୍ଧମାନେ ପାଇକ ବିଦ୍ରୋହରେ ସକ୍ରିୟ ଅଂଶଗ୍ରହଣ ଏବଂ ଏହା ପୂର୍ବରୁ ଫରାସୀ ଓ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମର କାହାଣୀ ଇତିହାସରେ ରହିଛି । ଏବେ କବିସୂର୍ଯ୍ୟନଗର, ଆସିକା, ଭଞ୍ଜନଗର, କୋଦଳା, ପୋଲସରା ଆଦି ଅଞ୍ଚଳର ଲୋକେ ଇତିହାସର ଏହି ଗୌରବମୟ ଗାଥାକୁ ସମ୍ମାନ ଦେଇ ଘୁମୁସର ଜିଲ୍ଲା ଗଠନ ପାଇଁ ଅଡ଼ି ବସୁଛନ୍ତି ।
ସେହିଭଳି କେନ୍ଦୁଝର ଜିଲ୍ଲାକୁ ୩ ଭାଗରେ ବିଭକ୍ତ କରି ଆନନ୍ଦପୁର ଓ ଯୋଡ଼ାରେ ଆଉ ଦୁଇଟି ନୂଆ ଜିଲ୍ଲା ଗଠନ କରିବା ପାଇଁ ଦାବି ଉଠୁଛି । ସୁନ୍ଦରଗଡ଼ରେ ମଧ୍ୟ ରାଉରକେଲା ଜିଲ୍ଲା ଗଠନ ଦାବି ବେଶ୍ ପୁରୁଣା । ସେହିପରି ମୟୂରଭଞ୍ଜ ଜିଲ୍ଲାକୁ ୩ଭାଗରେ ବିଭକ୍ତ କରି ରାଇରଙ୍ଗପୁର ଓ କରଞ୍ଜିଆରେ ନୂଆ ଜିଲ୍ଲା ଗଠନ ପାଇଁ ବି ବାରମ୍ବାର ଦାବି ହୋଇଆସୁଛି । ଏହାଛଡ଼ା ରାଜ୍ୟର ଆଉ କେତେକ ଅଞ୍ଚଳରେ ଜିଲ୍ଲା ଗଠନ ପାଇଁ ଉଠୁଥିବା ଦାବିର ଭାଗ୍ୟ ଓ ଭବିଷ୍ୟତ ପଦ୍ମପୁର ଜିଲ୍ଲା ଗଠନ ଉପରେ ନିର୍ଭର କରୁଛି । କେବଳ ସେତିକି ନୁହେଁ ରାଜ୍ୟରେ ଥିବା ସବ୍ଡିଭିଜନ୍ ସଂଖ୍ୟା ୫୮ରୁ ୭୦କୁ ବଢାଇବା ପାଇଁ ବି ବିଭିନ୍ନ ଅଞ୍ଚଳରୁ ସ୍ୱର ଉଠୁଛି ।
୨୦୨୪ରେ ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ଥିବା ଦୃଷ୍ଟିରୁ ପଦ୍ମପୁର ସହ ଆଉ କେଉଁଠି ନୂଆ ଜିଲ୍ଲା ସୃଷ୍ଟି ହେବ ଏବଂ ଏହି ପୁର୍ନଗଠନ ପ୍ରକ୍ରିୟାରେ ସବ୍ଡିଭିଜନ୍ ସଂଖ୍ୟା ବଢିବ କି ନାହିଁ ସେଥିଘେନି ବିଭିନ୍ନ ମହଲରେ ଉତ୍ସୁକତା ପ୍ରକାଶ ପାଇବା ସ୍ୱାଭାବିକ । ତେବେ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନାହିଁ । (ତଥ୍ୟ)