ଭୁବନେଶ୍ୱର : ପରିବେଶର ସୁରକ୍ଷା ପାଇଁ ରାଜ୍ୟ ସରକାର ପୁରୁଣା ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ଐତିହ୍ୟ ଜୋନ୍କୁ ସ୍ୱଳ୍ପ ନିର୍ଗମନ ଜୋନ୍ ବା ଲୋ ଏମିସନ ଜୋନ୍ (ଏଲଇଜେଡ୍) ଭାବେ ବିକାଶ କରିବେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ତଥା ପରିବେଶ ନିର୍ଦ୍ଦେଶକ ଡକ୍ଟର କେ.ମୁରୁଗେସନ ଏହା କହିଛନ୍ତି ।
ଡକ୍ଟର ମୁରୁଗସେନ କହିଛନ୍ତି ଯେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଓଡିଶାରେ ରାଜ୍ୟ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତାରେ ଏଳଭି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଥିବା ପୁରୁଣା ଭୁବନେଶ୍ୱରର ଗଳିକନ୍ଦି ଅଞ୍ଚଳ ସହରର ବାୟୁ ପ୍ରଦୂଷଣର ଅନ୍ୟତମ କାରଣ ପାଲଟିଛି । ତେଣୁ ଏକାମ୍ର କ୍ଷେତ୍ର ଐତିହ୍ୟ ଜୋନ୍କୁ ଏଲଇଜେଡ୍ରେ ବିକଶିତ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।
ଏହି ଜୋନ୍କୁ ଏଲଇଜେଡ୍ ଭାବେ ଚିହ୍ନଟ କରାଯିବା ସହିତ ବିଶୁଦ୍ଧ ବାୟୁ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ଯାହା ବାୟୁ ପ୍ରଦୂଷଣକୁ ହ୍ରାସ କରିବ । ଏକାମ୍ର କ୍ଷେତ୍ର ଐତିହ୍ୟ ଜୋନ୍ର ପ୍ରସ୍ତାବିତ ଲୋ ଏମିସନ ଜୋନ୍ (ଏଲ୍ଇଜେଡ୍) ପାଇଁ ଏକ ପ୍ରଯୁଜ୍ୟ ଆଭିମୁଖ୍ୟ ବିଭିନ୍ନ ପ୍ରାସଙ୍ଗିକତାକୁ ଅର୍ନ୍ତଭୁକ୍ତ କରୁଛି ଯାହା ଫଳରେ ବାୟୁ ପ୍ରଦୂଷଣ ହ୍ରାସ ପାଇବ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
୨୦୨୧ ମସିହାରେ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକ ଆଭିମୁଖ୍ୟର ବିକାଶ ହୋଇଥିଲା ଯେଉଁଥିରେ ଏଲଇଜେଡ୍ ବିକାଶ ଜରିଆରେ ଭୁବନେଶ୍ୱର ସହରବାସୀଙ୍କ ସମେତ ଏଠାକୁ ଆସୁଥିବା ପରିଦର୍ଶକମାନଙ୍କୁ ବିଶୁଦ୍ଧ ବାୟୁ ଉପଲବ୍ଧ କରାଯାଇ ପାରିବ । ଐତିହାସିକ ଏବଂ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ସହିତ କର୍ମଚାରୀ ବୃଦ୍ଧି ସହିତ ସାଲିସ ନକରି ଏଭଳି ଯୋଜନା କାର୍ଯ୍ୟକାରୀ ଲାଗି ପ୍ରସ୍ତାବ ଥିଲା ।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଭିମୁଖ୍ୟ ଆଧାରରେ ଏକାମ୍ର କ୍ଷେତ୍ର ଐତିହ୍ୟ ଜୋନ୍ରେ ଏଲ୍ଇଜେଡ୍ ବିକାଶ ପାଇଁ ଆବଶ୍ୟକ ବୈଷୟିକ ପ୍ରସ୍ତାବକୁ ଆଇପିଏଲ୍ ଗ୍ଲୋବାଲ କନସଲଟାଣ୍ଟ ପକ୍ଷରୁ କରାଯାଇଥିବା ଅନୁଧ୍ୟାନ ଆଧାରରେ ଜିଆଇଜେଡ୍ ପ୍ରସ୍ତୁତ କରିଛି । ଏକାମ୍ର କ୍ଷେତ୍ର ଏଲ୍ଇଜେଡ୍ର ସୀମା ୪.୫ ବର୍ଗକିଲୋମିଟର । ଭୁବନେଶ୍ୱର-୨୦୩୦ ପାଇଁ ଥିବା ସିଟି ଡେଭଲପମେଣ୍ଟ ପ୍ଲାନ (ସିଡିପି) ଏକାମ୍ର କ୍ଷେତ୍ର ଐତିହ୍ୟ ଜୋନ୍କୁ ତିନି ଭାଗରେ ବିଭକ୍ତ କରିଛି । ଏହାର ବାହ୍ୟ ଓ କେନ୍ଦ୍ରୀୟ ସୀମା ୨ ବର୍ଗକିଲୋମିଟର କରି ଥିବାବେଳେ ଆନ୍ତଃ ସୀମା ୦.୫ ବର୍ଗ କିଲୋମିଟର ରହିଛି । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ଆନ୍ତଃ ଜୋନ୍ ପରିସରରେ ଆସୁଥିବା ଜଣାଯାଇଛି । (ତଥ୍ୟ)