Home General ଗାଡି ଚାଳନା ତାଲିମରେ ନିଯୁକ୍ତିର ସୁଯୋଗ

ଗାଡି ଚାଳନା ତାଲିମରେ ନିଯୁକ୍ତିର ସୁଯୋଗ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଭାରିଯାନ ତାଲିମ ପ୍ରତିଷ୍ଠାନ ଏବେ ଯୁବପୀଢି ଲାଗି ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରିଛି । ଏହି ପ୍ରତିଷ୍ଠାନରୁ ଦକ୍ଷ ଗାଡିଚାଳକମାନଙ୍କୁ ନେବାପାଇଁ ପ୍ରାୟ ୨୬ଟି କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଛତିଆ ଓ ବଣାଇ ଠାରେ ଥିବା ଦୁଇଟି ଭାରିଯାନ ତାଲିମ ପ୍ରତିଷ୍ଠାନରେ ଗାଡିଚାଳନା ତାଲିମ ଦିଆଯାଉଥିବାବେଳେ ଆଉ ତିନିଟି ତାଲିମ ପ୍ରତିଷ୍ଠାନରେ ଏହା ଆରମ୍ଭ ହେବ । ତେବେ ଏଠାରୁ ତାଲିମ ନେଇଥିବା ଗୋଟିଏ ବ୍ୟାଚ୍‍ ନିଯୁକ୍ତି ପାଇଥିବାବେଳେ ଆଉ ୨୬ କମ୍ପାନୀ ଏଠାକୁ ଦକ୍ଷ ଗାଡିଚାଳକଙ୍କୁ ନେବାପାଇଁ ସରକାରଙ୍କ ନିକଟରେ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି ।

ଗାଡିଚାଳକମାନଙ୍କୁ ନିଯୁକ୍ତି ଦେବାପାଇଁ ଆଗ୍ରହ ପ୍ରକାଶ କରିଥିବା କମ୍ପାନୀ ମଧ୍ୟରେ ବଡ ବଡ ପରିବହନ ସଂସ୍ଥା ଓ ଖଣି ସଂସ୍ଥା ଆଦି ରହିଛନ୍ତି । ସେମାନେ ବାହାରୁ ଗାଡିଚାଳକ ନେବା ପରିବର୍ତ୍ତେ ସରକାରୀ ସଂସ୍ଥାରୁ ତାଲିମପ୍ରାପ୍ତ ଦକ୍ଷ ଚାଳକଙ୍କୁ ନିଯୁକ୍ତି ଦେବାପାଇଁ ଆଗ୍ରହୀ । ଏଠାରେ ନିଯୁକ୍ତି ପାଉଥିବା ଯୁବକମାନେ ମାସକୁ ୧୭ ରୁ ୨୫ହଜାର ଟଙ୍କାର ଦରମା ସହିତ ଜିପିଏଫ୍‍, ଇପିଏଫ୍‍, ପରିବହନ, ଖାଇବା ଓ ରହିବା ଖର୍ଚ୍ଚ ଆଦି ପାଉଛନ୍ତି ।

ଏହି ଦୁଇଟି ତାଲିମ କେନ୍ଦ୍ରରେ ଡ୍ରାଇଭରମାନଙ୍କୁ ଗାଡି ଚାଳନା ସହିତ ଅନ୍ୟାନ୍ୟ ତାଲିମ ଦିଆଯାଉଛି । ସେଥି ମଧ୍ୟରେ ଗାଡି ଚାଳନା ସମୟରେ କିଭଳି ଇନ୍ଧନ ସଞ୍ଚୟ କରାଯାଇ ପାରିବ, ହଠାତ୍‍ ରାସ୍ତାରେ ଗାଡି ଖରାପ ହେଲେ ତାହାକୁ ଚାଳକମାନେ କିଭଳି ନିଜେ ମରାମତି କରିପାରିବେ, ଆସନ୍ନ ଦୁର୍ଘଟଣାକୁ ଏଡାଇ ପାରିବା ଆଦି ରହିଛି । ଏଥି ସହିତ ତାଲିମ ପ୍ରତିଷ୍ଠାନକୁ ଗୁଟ୍‍ଖା ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବାବେଳେ ଗାଡିଚାଳକମାନଙ୍କୁ ଯୋଗ ଓ ବ୍ୟାୟାମ ଆଦି ତାଲିମ ଦିଆଯାଉଛି । ଯାହା ଫଳରେ ସେମାନଙ୍କ ଏକାଗ୍ରତା ବୃଦ୍ଧି ପାଇବ ବୋଲି କୁହାଯାଉଛି ।

ପରିବହନ ବିଭାଗ ଏକ ପଦକ୍ଷେପ ରାଜ୍ୟରେ ଆତ୍ମନିଯୁକ୍ତି କ୍ଷେତ୍ରରେ ନୂଆ ଧାରା ଆଣିଥିବାବେଳେ ପ୍ରସ୍ତାବିତ ଆଉ ତିନିଟି ଭାରିଯାନ ତାଲିମ ପ୍ରତିଷ୍ଠାନ କିନ୍ତୁ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏଗୁଡିକ ମଧ୍ୟରେ କେନ୍ଦୁଝର, ବ୍ରହ୍ମପୁର ଓ ଭୁବନେଶ୍ୱର ଠାରେ ଗୋଟିଏ କରି ପ୍ରତିଷ୍ଠାନ ରହିଛି । ରାଜ୍ୟର ସମସ୍ତ ୫ଟି ତାଲିମ ପ୍ରତିଷ୍ଠାନ କାର୍ଯ୍ୟକାରୀ ହେଲେ ମାସକୁ ଅତି କମ୍‍ରେ ହଜାରେ ତାଲିମପ୍ରାପ୍ତ ଗାଡି ଚାଳକ ବାହାରି ପାରିବେ । ତେବେ ଇଡ୍‍କୋ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାଙ୍କ ଉଦାସୀନତା ଯୋଗୁଁ ସରକାରଙ୍କ ଅର୍ଥ ପ୍ରଦାନ ସତ୍ୱେ ତାଲିମ ପ୍ରତିଷ୍ଠାନଗୁଡିକ କାର୍ଯ୍ୟକାରୀ ହୋଇପାରୁନଥିବା ସୂଚନା ମିଳିଛି ।

ଉଲ୍ଲେଖନୀୟ ଯେ ଭାରିଯାନ ତାଲିମ ପ୍ରତିଷ୍ଠାନ ଦ୍ୱାରା କେବଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବନାହିଁ ରାଜ୍ୟରେ ଦୁର୍ଘଟଣାକୁ ବହୁ ସଂଖ୍ୟାରେ ରୋକାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ସେମାନଙ୍କ ମତରେ ରାଜ୍ୟରେ ଘଟୁଥିବା ସଡକ ଦୁର୍ଘଟଣାର ବଡ ଭାଗ ଭାରିଯାନ ଦ୍ୱାରା ହିଁ ହୋଇଥାଏ । ଅଣତାଲିମପ୍ରାପ୍ତ ଗାଡିଚାଳକମାନେ ଏଭଳି ଦୁର୍ଘଟଣା ପାଇଁ ମୁଖ୍ୟତଃ ଦାୟୀ । ତାଲିମ ଅଭାବରୁ ସେମାନେ ଆସନ୍ନ ଦୁର୍ଘଟଣାକୁ ରୋକିପାରନ୍ତି ନାହିଁ । ତେଣୁ ତାଲିମ ପ୍ରତିଷ୍ଠାନଗୁଡିକରୁ ଯେତେ ଅଧିକ ସଂଖ୍ୟାରେ ଗାଡିଚାଳକ ବାହାରିବେ ତାହା ରାଜ୍ୟରେ ଦୁର୍ଘଟଣା ଜନିତ ଧନ ଜୀବନ ହାନି ରୋକିବାରେ ସେତେ ସହାୟକ ହୋଇପାରିବ । (ତଥ୍ୟ)