Home News in Odia ପୁଣି ଉଠିଲା ନବ ହତ୍ୟା ପ୍ରସଙ୍ଗ

ପୁଣି ଉଠିଲା ନବ ହତ୍ୟା ପ୍ରସଙ୍ଗ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ପୁଣିଥରେ ରାଜନୀତି ଜୋର ଧରିଛି । ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଅଦାଲତରେ ହାଜର ହେବାପରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ କ୍ରାଇମବ୍ରାଞ୍ଚର ଚାର୍ଜସିଟ୍‍କୁ ନେଇ ବୟାନବାଜି ଆରମ୍ଭ ହୋଇଛି ।

ବିଜେପି ସାଂସଦ ସୁରେଶ ପୂଜାରୀ ଆଜି ଏହି ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉପରୁ ପରଦା ଉଠାଇବାରେ ପୁଲିସ୍‍ ବିଫଳ ହୋଇଥିବା କହିଛନ୍ତି । ସେ କହିଛନ୍ତି ଯେ ପୁଲିସ୍‍ ରହସ୍ୟ ଉନ୍ମୋଚନ ଅପେକ୍ଷା ଏହାକୁ ଘୋଡାଇବାକୁ ଅଧିକ ଚେଷ୍ଟା କରିଛି । ବର୍ତ୍ତମାନ ସୁଦ୍ଧା ଯେଉଁ ଗୁଳିରେ ନବ ଦାସଙ୍କ ହତ୍ୟା କରାଯାଇଥିଲା ତାହାକୁ ପୁଲିସ୍‍ ଠାବ କରିପାରି ନାହିଁ ।

ସେହିଭଳି ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି ଯେ ନବ ଦାସଙ୍କ ଭଳି ଜଣେ ବରିଷ୍ଠ କ୍ୟାବିନେଟ୍‍ ମନ୍ତ୍ରୀଙ୍କୁ ଜଣେ ଏଏସ୍‍ଆଇ ଏତେ ସହଜରେ ହତ୍ୟା କରିବ ତାହା ବିଶ୍ୱାସ କରିହେଉ ନାହିଁ । ଏହା ପଛରେ କିଛି ନା କିଛି ଷଡଯନ୍ତ୍ର ରହିଛି ଯାହାକୁ ପୁଲିସ୍‍ ତଦନ୍ତ ପରିସରକୁ ନେଇ ନାହିଁ ।

ତେବେ ଝାରସୁଗୁଡା ନଗର ବିଜେଡି ସଭାପତି ସନ୍ଦିପ ଅଗସ୍ତି କିନ୍ତୁ କ୍ରାଇମବ୍ରାଞ୍ଚ ସବୁ ଦିଗରୁ ତଦନ୍ତ କରି ରିପୋର୍ଟ ଦେଇଥିବା କହିଛନ୍ତି ।

ଉଲ୍ଲେଖନୀୟ ଯେ ଚଳିତବର୍ଷ ଜାନୁୟାରୀ ୨୯ତାରିଖରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାର ଗାନ୍ଧୀ ଛକ ଠାରେ ଏଏସ୍‍ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲଭରରୁ ଗୁଳି କରିଥିଲା । ଗୁଳିକାଣ୍ଡ ପରେ ନବଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭୁବନେଶ୍ୱରର ଆପୋଲ ହସ୍ପିଟାଲ ସ୍ଥାନାନ୍ତରିତ ହୋଇଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଶତ ଚେଷ୍ଟା ସତ୍ୱେ ନବ ଦାସଙ୍କୁ ବଞ୍ଚାଯାଇ ପାରିନଥିଲା ।

ଏହି ଘଟଣାରେ ପୁଲିସ୍‍ ଏଏସ୍‍ଆଇ ଗୋପାଳ ଦାସଙ୍କୁ ଗିରଫ କରିବା ସହିତ ତାହାର ବୟାନରେ ଥିବା ସତ୍ୟତା ପରୀକ୍ଷା ପାଇଁ ଗୁଜୁରାଟ ନେଇଥିଲା । ଏଥିସହିକ କଟକ ଏସ୍‍ସିବି ମେଡିକାଲ କଲେଜର ଗୋଟିଏ ଡାକ୍ତରୀ ଟିମ୍‍ ତାହାର ମାନସିକ ଅବସ୍ଥା ଯାଞ୍ଚ କରି ସେ ସୁସ୍ଥଥିବା କହିଥିଲେ ।

ଏହା ପରଠାରୁ ଗୋପାଳ କଟକ ସ୍ଥିତ ଚୌଦ୍ୱାର ଜେଲ୍‍ରେ ଥିବାବେଳେ କ୍ରାଇମବ୍ରାଞ୍ଚ ଇତି ମଧ୍ୟରେ ଏହି ମାମଲାରେ ପାଞ୍ଚଶହ ପୃଷ୍ଠାର ଚାର୍ଜସିଟ୍‍ ଦାଖଲ କରିଛି । ଏଥିରେ ମୁଖ୍ୟତଃ ଏହି ହତ୍ୟାକାଣ୍ଡ ଏକମାତ୍ର ଅଭିଯୁକ୍ତ ଭାବେ ଗୋପାଳକୁ ଦର୍ଶାଯାଇଛି ।