Home Finance ଅତିରିକ୍ତ ବଜେଟ୍‍ ପାଇଁ ପ୍ରସ୍ତୁତି ଆରମ୍ଭ

ଅତିରିକ୍ତ ବଜେଟ୍‍ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‍ ବିଧାନସଭାର ଆଗାମୀ ମୌସୁମୀ କିମ୍ବା ଶୀତ ଅଧିବେଶନରେ ଆସିପାରେ । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛିା

ଗତବର୍ଷର ବଜେଟ୍‍କୁ ନଜରରେ ରଖି ଅର୍ଥ ବିଭାଗ ତିନି ମାସ ପୂର୍ବରୁ ଏହି ପ୍ରସ୍ତୁତି ଆରମ୍ଭ କରିଥାଏ । ବଜେଟ୍‍ ନିର୍ଦ୍ଦେଶକ ସତ୍ୟ ପ୍ରିୟ ରଥ ଅତିରିକ୍ତ ବଜେଟ୍‍ ଲାଗି ଆସନ୍ତା ଜୁଲାଇ ୩୧ ସୁଦ୍ଧା ପ୍ରସ୍ତାବ ପଠାଇବାକୁ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ପତ୍ର ଲେଖିଛନ୍ତି । ଅର୍ଥ ବ୍ୟୟ ଏବଂ ଆବଶ୍ୟକତା ସଂକ୍ରାନ୍ତରେ ରିପୋର୍ଟ ପ୍ରସ୍ତୁତ କରି ତାହାକୁ ଯୋଜନା ଓ ସଂଯୋଜନ ଏବଂ ଅର୍ଥ ବିଭାଗ ନିକଟରେ ଦାଖଲ ପାଇଁ କୁହାଯାଇଛି ।

ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଅନୁଯାୟୀ ଦ୍ରୁତ ଗତିରେ ଦାରିଦ୍ର‌୍ୟ ହାସ, ଫସଲ ବିବିଧକରଣ ଏବଂ ଡିବିଟି ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି, ପାଇପ ଯୋଗେ ସମସ୍ତଙ୍କୁ ପାନୀୟଜଳ ଯୋଗାଣ, ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧ, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ, ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧିଲାଗି ଭିତ୍ତିଭୂମି ଯୋଗାଇବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି । ଏଥି ସହିତ ରାଜ୍ୟ ସରକାର ମିଶନ ମୋଡରେ ମହିଳା ସଶକ୍ତିକରଣ, ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ସ୍ତରରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଣ ପାଇଁ ପଦକ୍ଷେପ ନେଉଛନ୍ତି ଯାହା ଫଳରେ ରାଜ୍ୟ ଅର୍ନ୍ତଭୁକ୍ତି ଅଭିବୃଦ୍ଧି ହାସଲ କରିପାରିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

ସେ କହିଛନ୍ତି ଯେ ଆଇଏମଏଫ୍‍ର ସୂଚନା ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୩ ପ୍ରତିଶତ ଆକଳନ ହୋଇଛି । ତେବେ ରାଜ୍ୟର ଜିଏସଡିପି ୨୦୨୩-୨୪ରେ ୮ ପ୍ରତିଶତ ରହିବ ବୋଲି ବଜେଟ୍‍ରେ ଆକଳନ କରାଯାଇଛି । ଚଳିତ ବର୍ଷ ଜୁନ୍‍ ସୁଦ୍ଧା ରାଜସ୍ୱ ପ୍ରାପ୍ତି ଗତବର୍ଷର ଏହି ସମୟ ତୁଳନାରେ ୧୨.୭୯% ଅଭିବୃଦ୍ଧି ହାସଲ କରିଛି । ସେହିଭଳି ଜୁନ୍‍ ସୁଦ୍ଧା ଚଳିତ ବଜେଟ୍‍ର ୧୫% ଅର୍ଥ ବ୍ୟୟ ହୋଇଛି ଯାହାକି ଗତବର୍ଷ ଏହି ସମୟରେ ୧୨.୩% ରହିଥିଲା ।

ଶ୍ରୀ ରଥ ବିଭାଗଗୁଡିକୁ କହିଛନ୍ତି ଯେ ୨୦୨୩-୨୪ର ଅତିରିକ୍ତ ବଜେଟ୍‍ରେ ପ୍ରଶାସନିକ ବିଭାଗଗୁଡିକୁ କେବଳ ଗୋଟିଏ ୟୁନିଟ୍‍ରେ ବ୍ୟବସ୍ଥାକୁ ବୃଦ୍ଧି ପାଇ ଅନୁମତି ମିଳିବ । ନୂତନ ପୁଞ୍ଜି ପ୍ରକଳ୍ପ, ସରକାରଙ୍କ ଦ୍ୱାରା ନିୟମିତ ଭାବେ ହେଉଥିବା ଘୋଷଣା ଏବଂ ଜୀବିକା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବୁକ ସମ୍ପୂର୍ଣ୍ଣ ଅର୍ଥ ଯୋଗାଇ ଦିଆଯିବ । ଓଡିଶା କଣ୍ଟିଜେନ୍ସି ପାଣ୍ଠି (ଓସିଏଫ୍‍) ରୁ ନେଇଥିବା ଅଗ୍ରୀମକୁ ଭରଣା ଲାଗି ବିଭାଗଗୁଡିକୁ କୁହାଯାଇଛି ।

୨୦୨୩-୨୪ ବଜେଟ୍‍ରେ ବେତନ ଏବଂ ଡିଏ ପାଇଁ ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ଥା ହୋଇଛି । ତେବେ ନୂତନ ପଦବୀ ପୂରଣ କିମ୍ବା ଅନ୍ୟ କୌଣସି ପାଇଁ ଅର୍ଥ ଆବଶ୍ୟକ ପଡିଲେ ତାହା ଯୋଗାଇ ଦିଆଯିବ । ଏହି ଆବଶ୍ୟକତା ପୂରଣ ଲାଗି ସଞ୍ଚିତ ପାଣ୍ଠିରୁ ଅର୍ଥ ବ୍ୟବସ୍ଥା ଲାଗି ବିଭାଗଗୁଡିକୁ କୁହାଯାଇଛି । ସେ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ୟୁନିଟ୍‍ରେ ଜୁଲାଇ ୩୧ ସୁଦ୍ଧା ବଜେଟ୍‍ ବ୍ୟୟବରାଦର ୨୫%ରୁ କମ୍‍ ଖର୍ଚ୍ଚ ହୋଇଥିବ ସେହି ୟୁନିଟ୍‍ ପାଇଁ ଆସିଥିବା ପ୍ରସ୍ତାବକୁ ଅତରିକ୍ତ ବଜେଟ୍‍ ପାଇଁ ବିଚାରକୁ ନିଆଯିବ ନାହିଁ । ଅତିରିକ୍ତ ବଜେଟ୍‍ରେ ବାସ୍ତବରେ କେତେ ଅର୍ଥ ଆବଶ୍ୟକ ତାହାର ସଠିକ ଆକଳନ କରି ପ୍ରସ୍ତାବ ପଠାଇବାକୁ ବିଭାଗଗୁଡିକୁ କୁହାଯାଇଛି ଯାହା ଫଳରେ ଏହାର ସଠିକ ବ୍ୟୟ ହୋଇପାରିବ । (ତଥ୍ୟ)