ଭୁବନେଶ୍ୱର : ସଂସଦ ଭବନ ପରିସରରେ ଛତ୍ରପତି ଶିବାଜୀ, ମହାରାଣା ପ୍ରତାପ, କିଟ୍ଟୁରର ରାଣୀ ଚେନ୍ନାମା, ମହାତ୍ମା ବାସବେଶ୍ୱର ଆଦିଙ୍କ ଘୋଡା ଉପରେ ବସିଥିବା ସଶସ୍ତ୍ର ପ୍ରତିମୂର୍ତ୍ତିମାନ ରହିଥିବାବେଳେ ଏଯାବତ୍ ଓଡିଶାର କୌଣସି ବୀର କି ବୀରାଙ୍ଗନାଙ୍କ ଅନୁରୂପ ପ୍ରତିମୂର୍ତ୍ତି କିନ୍ତୁ ସେଠାରେ ବସାଯାଇ ପାରୁନାହିଁ ।
ପାଇକ ବିଦ୍ରୋହର ମହାନ ଯୋଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ଖଣ୍ଡା ଧରି ଘୋଡାରେ ବସିଥିବା ପ୍ରତିମୂର୍ତ୍ତି ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ସ୍ଥାପନକରିବା ପାଇଁ ଓଡିଶା ସରକାର ଦେଇଥିବା ପ୍ରସ୍ତାବ ପ୍ରାୟ ୨୦ବର୍ଷ ଧରି କାର୍ଯ୍ୟକାରୀ ହୋଇପାରୁନାହିଁ । ସଂସଦଭବନ ପରିସରରେ ସ୍ଥାନାଭାବ କାରଣ ଦର୍ଶାଇ ପ୍ରତିମୂର୍ତ୍ତି ସ୍ଥାପନ କମିଟି ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନଅଫୁଟ ଉଚ୍ଚତାର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାପାଇଁ ପ୍ରସ୍ତାବ ରଖିଥିଲେ । କିନ୍ତୁ ୨୦୦୮ ମସିହାରେ ରାଜ୍ୟ ସରକାର ବକ୍ସି ଜଗବନ୍ଧୁଙ୍କ ଖଣ୍ଡା ସହିତ ଘୋଡାରେ ବସିଥିବା ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସଂସଦ କର୍ତ୍ତୃପକ୍ଷ ପୁର୍ନବିଚାର କରିବାଲାଗି ଅନୁରୋଧ କରିଥିଲେ ।
ନୂଆଦିଲ୍ଲୀର ବହୁ ମାର୍ଗ, ପାର୍କ, ଭବନ ଆଦିର ନାମ ବହୁ ରାଷ୍ଟ୍ରୀୟ ନେତା ଓ ବିଭିନ୍ନ ରାଜ୍ୟର ସଂଗ୍ରାମୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ନାମରେ ନାମିତ କରାଯାଇଛି । କେନ୍ଦ୍ରୀୟ ରାଜଧାନୀର କେତେକ ସ୍ଥାନରେ ବି ଏମାନଙ୍କ ପ୍ରତିମୂର୍ତ୍ତି ରହିଛି । କିନ୍ତୁ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, କୃତୀବାସ ପାଟ୍ଟଶାଣୀ, ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାଏକ, ମା’ ରମାଦେୀ, ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ବାଜି ରାଉତଙ୍କ ଠାରୁ ଆରମ୍ଭକରି ଉତ୍କଳଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପର୍ଯ୍ୟନ୍ତ ଓଡିଶାର ଜଣାଶୁଣା ସଂଗ୍ରାମୀମାନଙ୍କ ଭିତରୁ କାହାର ବି ପ୍ରତିମୂର୍ତ୍ତି କେନ୍ଦ୍ର ସରକାର ସ୍ଥାପନ କରିନାହାନ୍ତି ।
ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଇଁ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଓଡିଶାରେ ଓ ଦିଲ୍ଲୀରେ ବହୁ ସଭା, ସମିତି ଏବଂ ସମାବେଶ ଆଦି ହୋଇଛି । ଏହି ଅବସରରେ ସଂଗ୍ରାମଭୂମି ଖୋରଧାର ବରୁଣେଇ ପାହାଡର ପାଦଦେଶରେ ୫୦ଏକର ଜମିରେ ପାଇକ ବିଦ୍ରୋହ ସ୍ମାରକୀ କେନ୍ଦ୍ର ସରକାର ନିର୍ମାଣ କରିବେ ବୋଲି ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହାଛଡା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ କେନ୍ଦ୍ର ସରକାର ଘୋଷଣା କରିବା ଏବଂ କେଜି ରୁ ପିଜି ପର୍ଯ୍ୟନ୍ତ ପାଠ୍ୟକ୍ରମରେ ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ଅଧ୍ୟାୟ ରଖିବାପାଇଁ ବି ପ୍ରସ୍ତାବ ରହିଥିଲା । କିନ୍ତୁ ଏଯାବତ୍ ଏହା କେବଳ ପ୍ରସ୍ତାବରେ ହିଁ ରହିଯାଇଛି ।
ସଂସ୍କୃତିପ୍ରେମୀମାନେ କହୁଛନ୍ତି ଯେ ସଂସଦ ଭବନ ପରିସରରେ ଅନ୍ୟ ରାଜ୍ୟରେ ଜନ୍ମିତ ବିଶିଷ୍ଟ ବ୍ୟକ୍ତିମାନଙ୍କର ଘୋଡା ଉପରେ ଅସ୍ତ୍ରଶସ୍ତ୍ର ସହ ସଜିତ ପ୍ରତମୂର୍ତ୍ତି ସ୍ଥାପିତ ହୋଇଥିବାବେଳେ ଏ କ୍ଷେତ୍ରରେ ଓଡିଶାମାଟରେ ଜନ୍ମ ହୋଇ ବ୍ରଟିଶ ସରକାର ବିରୁଦ୍ଧରେ ସଂଗ୍ରାମ କରିଥିବା ବରପୁତ୍ରମାନଙ୍କୁ କିନ୍ତୁ ଉପେକ୍ଷା କରାଯାଇଛି । ବିଶେଷକରି ଯେଭଳି ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ କାର୍ଯକାରୀ କରିବା ପରିବର୍ତ୍ତେ ପ୍ରସ୍ତାବକୁ ଫେରାଇ ଦିଆଗଲା ତାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଏ ସଂକ୍ରାନ୍ତରେ ଦଳମତ ନିର୍ବିଶେଷରେ ଓଡିଶାର ମନ୍ତ୍ରୀ ଓ ସାଂସଦମାନେ ସ୍ୱର ଉତ୍ତୋଳନ କରି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଏହା ଯେଭଳି ସଂସଦ ଭବନରେ ସ୍ଥାନିତ ହେବ ସେ ଦିଗରେ ସମସ୍ତେ ସମ୍ମିଳିତ ଉଦ୍ୟମ କରିବା ଆବଶ୍ୟକ । (ତଥ୍ୟ)