Home Industry ସିଙ୍ଗଲ୍ ୱିଣ୍ଡୋରେ ୧୧ଟି ପ୍ରକଳ୍ପକୁ ଅନୁମୋଦନ

ସିଙ୍ଗଲ୍ ୱିଣ୍ଡୋରେ ୧୧ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସରକାରଙ୍କ ୧୧୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କମିଟିରେ ପ୍ରାୟ ୩୨୬୬ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି, ଯାହା ଓଡ଼ିଶାବାସୀଙ୍କ ପାଇଁ ୯୧୪୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

ନିବେଶ ଉଦ୍ଦେଶ୍ୟକୁ ବାସ୍ତବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହି ପ୍ରୟାସରେ ନିୟମିତ ବ୍ୟବଧାନରେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି  ବୈଠକ ଆୟୋଜନ କରାଯାଇ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରୀ ପାଇଁ  ତ୍ୱରାନ୍ୱିତ କରାଯାଉଛି । ୨୦୨୩ ଆର୍ଥିକ ବର୍ଷରେ ଚାଲିଥିବା ପୁଞ୍ଜିନିବେଶକୁ ଆକୃଷ୍ଟ କରିବାରେ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଦ୍ୱିତୀୟ ସ୍ଥାନକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟ ଏହା ଦର୍ଶାଉଛି ।

ଧାତବ ଡାଉନଷ୍ଟ୍ରିମ ଏବଂ ଆନୁଷଙ୍ଗିକ କ୍ଷେତ୍ର, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନ ପୋଷାକ, ଆଇଟି ଏବଂ ଇଏସଡିଏମ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଥିବା ପ୍ରକଳ୍ପଗୁଡ଼ିକୁ ୧୧୯ତମ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିରେ  ଅନୁମୋଦନ ମିଳିଛି । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ ।

ରାଜ୍ୟରେ ପ୍ରାକୃତିକ ସମ୍ପଦର ସୁବିଧାଜନକ ଉପଲବ୍ଧି ନେଇ ଖଣି ଓ ଧାତୁ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଅଗ୍ରଣୀ ରହିଛି । ତେବେ ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସ ଯୋଗୁଁ ରାଜ୍ୟ ଏହାର ଶିଳ୍ପ ଇକୋସିଷ୍ଟମକୁ ବ୍ୟାପକ କରିବାରେ ସକ୍ଷମ ହୋଇଛି । ‘ନେସ୍ଟଲ ଇଣ୍ଡିଆ ଲିମିଟେଡ୍’ ଭଳି ଅନ୍ୟତମ ଅଗ୍ରଣୀ ବହୁରାଷ୍ଟ୍ରୀୟ କମ୍ପାନୀକୁ ଆମ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ  ଆକର୍ଷିତ କରିଛି । ୮୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ନେସ୍ଟଲ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ,  ଯାହା ୮୦୦ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରିବ ।

ବୟନଶିଳ୍ପ ଏବଂ ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ଭାରତର ଦ୍ୱିତୀୟ ବୃହତ୍ତମ ବେବି-ଓ୍ୱିୟର ନିର୍ମାତା ‘ମେସର୍ସ କଲରଟୋନ୍ ଗାର୍ମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍’(ଫାଷ୍ଟ ଷ୍ଟେପ୍ ବେବି-ଓ୍ୱିୟରର ସହାୟକ ସଂସ୍ଥା) ୨୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧.୨ ମେଗାୱାଟ୍ ରୁଫ୍ ଟପ୍ କ୍ୟାପ୍ଟିଭ୍ ସୋଲାର ପାୱାର ପ୍ଲାଣ୍ଟ ସହିତ ଏକ ସମନ୍ୱିତ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରୁଛି, ଯାହା ୪୮୨୦ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରିବ । 

ସେହିପରି ରସାୟନ କ୍ଷେତ୍ରର ପ୍ରମୁଖ ନାମ ‘ହିମାଦ୍ରି ସ୍ପେଶାଲିଟି କେମିକାଲ ଲିମିଟେଡ୍’ ମଧ୍ୟ ୯୮୦ କୋଟି ଟଙ୍କା ବିନିଯୋଗରେ ଓଡ଼ିଶାରେ ନିଜର ପ୍ରଥମ ରାସାୟନିକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଅନୁମୋଦନ ଲାଭକରିଛି ।

ପ୍ଲାଷ୍ଟିକ କ୍ଷେତ୍ରରେ କମ୍ପାନୀମାନଙ୍କ ପାଇଁ ଓଡ଼ିଶା ଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥଳରେ ପରିଣତ ହେଉଛି ଏବଂ ୧୧୯ତମ ଏସଏଲଏସଡବ୍ଲୁସିଏ ବୈଠକରେ  ଏହି କ୍ଷେତ୍ରରେ ତିନୋଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି  । ‘ଆଇଡିଭିବି ରିସାଇକ୍ଲିଂ ଅପରେସନ୍ସ୍ ପ୍ରାଇଭେଟ୍ ଲିମିଟେଡ୍’ ୩୧୮ କୋଟି ଟଙ୍କା ବିନିଯୋଗରେ ୬୩ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ରିସାଇକେଲ୍ ହୋଇଥିବା ପେଟ୍ ଫ୍ଲେକ୍ସ ଏବଂ ରେଜିନ୍ ଉତ୍ପାଦର ପୁନଃବ୍ୟବହାର ହେଉଥିବା ଏକ ନୂତନ ୟୁନିଟ୍ ସ୍ଥାପନ କରୁଛି, ଯାହା ୨୪୦ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରିବ ।  ‘ପୂର୍ବ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍’  ପ୍ଲାଷ୍ଟିକ୍ କ୍ୟାପ୍ , ପେଟ୍ ପ୍ରିଫର୍ମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦ ପାଇଁ ଏକ ନୂତନ ଉତ୍ପାଦନ ୟୁନିଟ୍ ସ୍ଥାପନ କରୁଛି, ଯାହାର ବାର୍ଷିକ କ୍ଷମତା ୧,୦୧୭.୭୦ ନିୟୁତ  ଏବଂ ଏହା ୧୫୨ କୋଟି ଟଙ୍କା ବିନିଯୋଗରେ ୧୩୩ ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରୁଛି । ଆର୍ଡିବି ରାସାୟନସ ଲିଃ. ୫୯ କୋଟି ଟଙ୍କା ବିନିଯୋଗରେ ୬ ହଜାର ମେଟ୍ରିକ୍ ଟନ୍ ବାର୍ଷିକ କ୍ଷମତା ବିଶିଷ୍ଟ ଫ୍ଲେକ୍ସିବଲ୍ ଇଣ୍ଟରମିଡିଏଟ୍ ବଲ୍କ କଣ୍ଟେନର୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦ ପାଇଁ ଏକ ନୂତନ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି, ଯାହାଦ୍ୱାରା ୩୯୦ କର୍ମ ନିଯୁକ୍ତି  ମିଳିବ ।

ଇସ୍ପାତ, ଷ୍ଟେନଲେସ୍ ଷ୍ଟିଲ୍, ଆଲୁମିନା ଓ ଆଲୁମିନିୟମ  ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ ଥିବା ବେଳେ ଧାତବ ଶିଳ୍ପ ଉପରେ ନିର୍ଭର କରୁଥିବା ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ମଧ୍ୟ ରାଜ୍ୟ  ଅଗ୍ରଣୀ ଭାବେ ଉଭା ହେଉଛି । ଆଜି ଏସଏଲଏସ୍ଡବ୍ଲ୍ୟୁସିଏ ବୈଠକରେ ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଆଉ ଦୁଇଟି ପ୍ରକଳ୍ପକୁ ଅନୁମୋଦନ ଦେବା ପରେ ଏହି ଦାବି ଆହୁରି ଦୃଢ଼ ହୋଇଛି । ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଏଫ୍ ଜିଏଲ୍ ରିଫ୍ରାକ୍ଟୋରିଜ୍ ଲିମିଟେଡ୍ ର ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯେଉଁଥିରେ ୨୬୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶରେ ଓଡ଼ିଶାର ୩୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦେଶର ଅନ୍ୟତମ ଅଗ୍ରଣୀ ରିଫ୍ରାକ୍ଟରୀ ନିର୍ମାତା ଆଇଏଫଜିଏଲ୍ ରିଫ୍ରାକ୍ଟୋରିଜ୍ ଲିମିଟେଡ୍ ରାଜ୍ୟରେ ଏହାର ଦ୍ୱିତୀୟ ୟୁନିଟ୍ ସ୍ଥାପନ କରୁଥିବା ବେଳେ ଅଗ୍ରଣୀ ଧାତବ କ୍ଷେତ୍ରର କମ୍ପାନୀ ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ରାଜ୍ୟରେ ଏହାର ତୃତୀୟ ୟୁନିଟ୍ ସ୍ଥାପନ କରୁଛି ।

ଆଇଟି ଏବଂ ଇଏସଡିଏମ କ୍ଷେତ୍ରରେ କମିଟି ‘ନିସୁମ କନସଲଟିଂ ପ୍ରାଇଭେଟ ଲିମିଟେଡ’ ଦ୍ୱାରା ଅଥରିଟି ୨୦୦ କୋଟି ଟଙ୍କା ନିବେଶରେ ୧ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ଗୋଟିଏ  ସଫ୍ଟୱେର ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ପାଇଁ କମ୍ପାନୀ ପ୍ରସ୍ତାବ ଦେଇଛି,  ଯାହା ଓଡିଶାରେ ୬୪୦ରୁ ଅଧିକ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ।

ଓଡ଼ିଶା ସରକାର ସବୁବେଳେ ଶିଳ୍ପପତିମାନଙ୍କୁ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ପ୍ରୋତ୍ସାହିତ କରି ଆସୁଛନ୍ତି । ଆମ ରାଜ୍ୟର ଶିଳ୍ପ ଅନୁକୂଳ ନୀତି  ନିବେଶକମାନଙ୍କ ପାଇଁ ଏକ ଅତ୍ୟନ୍ତ ଲାଭଦାୟକ ସ୍ଥାନରେ ପରିଣତ କରିଛି, ଯେଉଁମାନେ ପୂର୍ବ ଭାରତରେ ପାଦ ରଖିବା କିମ୍ବା ଏହି ଅଞ୍ଚଳରେ ନିଜର ପାଦ ବିସ୍ତାର କରିବାପାଇଁ ସୁଯୋଗକୁ ଅପେକ୍ଷା କରିଛନ୍ତି ।