ଭୁବନେଶ୍ୱର : ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନ୍ୟୁରୋସର୍ଜନ । ଏହି ଆକାରର ବିଶାଳ ମାଂସପିଣ୍ଡୁଳା ସୃଷ୍ଟି ହେବା ବିଶ୍ୱର ପ୍ରଥମ ବୋଲି କୁହାଯାଉଛି ।
ଶିଶୁଟିର ପିଠିରେ ୪୩୦୦ ସ୍କୋୟାର ସେମି ଭଲ୍ୟୁମର ବିଶାଳ ମାଂସପିଣ୍ଡୁଳା ସୃଷ୍ଟି ହୋଇଥିଲା ଯାହାକୁ କି ଜାଏଂଟ ମେନିନ୍ଗୋମାଇଲୋସିଲ୍ କୁହାଯାଏ । ଶିଶୁଟିକୁ ଧରି ତା’ର ପିତାମାତା ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ନପାରି ସମ୍କୁ ଆସିଥିଲେ । ଶିଶୁଟିର ଅସ୍ତ୍ରୋପଚାର ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ କରାଯାଇଥିଲା । ୪୦୦୦ରୁ ଊର୍ଦ୍ଧ୍ୱ ଏପରି ଅସ୍ତ୍ରୋପଚାର କରିସାରିଥିବା ପ୍ରଫେସର (ଡାକ୍ତର) ମହାପାତ୍ର ଏପରି ବିଶାଳ ଆକାରର ମେନିନ୍ଗୋମାଇଲୋସିଲ ପୂର୍ବରୁ ଦେଖି ନଥିଲେ ବୋଲି କହିଥିଲେ ।
ଶିଶୁଟିର ଶରୀରରେ ଥିବା ମାଂସପିଣ୍ଡୁଳା ଜନ୍ମ ସମୟରେ ଖୁବ୍ ଛୋଟ ଥିଲା । ମାତ୍ର ଚିକିତ୍ସାରେ ବିଳମ୍ବ ଯୋଗୁଁ ଏହାର ଆକାର ବୃଦ୍ଧି ପାଇଥିଲା । ୨୦୧୫ ମସିହାରେ ନୂଆଦିଲ୍ଲୀ ଏମ୍ସରେ ୨୩୦୦ ସ୍କୋୟାର ସେମି ଭଲ୍ୟୁମର ଏଭଳି ଏକ ସମସ୍ୟା ଥିବା ଶିଶୁର ଅସ୍ତ୍ରୋପଚାର କରାଯାଇଥିଲା । ତେବେ ପୃଥିବୀରେ ଏତେ ବଡ଼ ଆକାରର ମାଂସପିଣ୍ଡୁଳା ପୂର୍ବରୁ ନଜିର ଥିବାର ଜଣା ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଥିବା ପ୍ରଫେସର (ଡାକ୍ତର) ମହାପାତ୍ର କହିଛନ୍ତି ।
ଏହି ରୋଗର ଡାକ୍ତରୀ ସମସ୍ୟା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ପ୍ରଫେସର (ଡାକ୍ତର) ମହାପାତ୍ର କହିଥିଲେ ଯେ ଗର୍ଭଧାରଣର ଏକ ମାସ ଭିତରେ ଗର୍ଭାଶୟରେ ଏକ ଇଂଚର ଏକ ନ୍ୟୁରାଲ୍ ଟ୍ୟୁବ୍ ସୃଷ୍ଟି ହୋଇଥାଏ ଯାହାକି ଆଗକୁ ସୁଷୁମ୍ନାକାଣ୍ଡରେ ପରିଣତ ହୋଇଥାଏ । ତେବେ କୌଣସି କାରଣରୁ ଯଦି ଏହା ଫାଟିଯାଏ ତେବେ ସେହି ସ୍ଥାନରେ ତରଳ ପଦାର୍ଥ ନିର୍ଗତ ହୋଇଥାଏ ।
ଏହି ପଦାର୍ଥଗୁଡ଼ିକ ସହିତ ଅନେକ ନ୍ୟୁରାଲ୍ ଟିସ୍ୟୁ ମଧ୍ୟ ଶରୀରର ପିଠି ପାଖରେ ଜମା ହୋଇ ଧୀରେ ଧୀରେ ଏହାର ଆକାର ବୃଦ୍ଧି ପାଇଥାଏ । ଏହା ଏକ ବିରଳ ସମସ୍ୟା ବୋଲି ସେ କହିଛନ୍ତି ।
ପ୍ରାୟ ୩ ସପ୍ତାହ ତଳେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏଥି ନିମନ୍ତେ ୩ ରୁ ୪ ଘଂଟା ସମୟ ଲାଗିଥିଲା । ଶିଶୁଟି ବର୍ତମାନ ବିପଦମୁକ୍ତ ଥିବା ବେଳେ ଏହି ସମସ୍ୟା ଯୋଗୁଁ ଶିଶୁର ଅଂଟା ତଳକୁ ପକ୍ଷାଘାତ ହୋଇଯାଇଥିବା ପ୍ରଫେସର ମହାପାତ୍ର କହିଥିଲେ ।
ସମ୍ ହସ୍ପିଟାଲ୍ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ କହିଥିଲେ ଯେ ଏଭଳି ଅସ୍ତ୍ରୋପଚାର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ନିୟମିତ ଭାବେ କରାଯାଉଛି । ସଂପୃକ୍ତ ଶିଶୁଟିର ଅସ୍ତ୍ରୋପଚାର ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଅଧିନରେ କରାଯାଇଥିବା ସେ କହିଛନ୍ତି ।
ସଂପୃକ୍ତ ବିଭାଗର ନ୍ୟୁରୋସର୍ଜନ୍ ପ୍ରଫେସର (ଡାକ୍ତର) ରାମଚନ୍ଦ୍ର ଦେଓ କହିଥିଲେ ଯେ ଏଭଳି ସମସ୍ୟାର ଚିକିତ୍ସା ନିମନ୍ତେ ଲୋକମାନଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି । ଏହି ଅସ୍ତ୍ରୋପଚାରରେ ଅନେକ ରକ୍ତହାନୀ ହେବାର ଆଶଙ୍କା ରହିଥିବାରୁ ଅନେକେ ଏଭଳି ସର୍ଜରୀ ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ଯାହାଦ୍ୱାରା ଏହି ସମସ୍ୟାର ଉପଯୁକ୍ତ ଚିକିତ୍ସା ହୋଇପାରୁ ନାହିଁ ।