Home General ଚିନ୍ତା ବଢାଇଲାଣି ହାଇ ସିକ୍ୟୁରିଟି ନମ୍ବର

ଚିନ୍ତା ବଢାଇଲାଣି ହାଇ ସିକ୍ୟୁରିଟି ନମ୍ବର

ଭୁବନେଶ୍ୱର : ଗାଡି ମୋଟରଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାପାଇଁ ରାଜ୍ୟ ପରିବହନ ବିଭାଗ ତନାଘନା କରିବାପରେ ଗାଡିଚାଳକମାନେ ଶହ ଶହ ଟଙ୍କା ଖର୍ଚ୍ଚକରି ନିଜ ନିଜ ଗାଡିରେ ଏହାକୁ ଲଗାଇଥିଲେ । ହେଲେ ଏହି ହାଇ ସିକ୍ୟୁରିଟି ନମ୍ବରରୁ ଲୋକେ ସେଭଳି ସୁଫଳ ପାଉନଥିବା ଦେଖିବାକୁ ମିଳୁଛି ।

ନିକଟରେ ରାଜଧାନୀରେ ଥିବା ଗୋଟିଏ ଗାଡିର ଜୋରିମାନା ଚାଲାଣ ଗଜପତିରେ କଟିବାପରେ ହାଇ ସିକ୍ୟୁରିଟି ନମ୍ବରକୁ ନେଇ ପ୍ରଶ୍ନ ଉଠିଲାଣି । ସମସ୍ତ ନମ୍ବରପ୍ଲେଟରେ ଏକ ନିର୍ଦ୍ଦିଷ୍ଟ କ୍ରମିକ ନମ୍ବର ଓ ହୋଲୋଗ୍ରାମ ଥିବାବେଳେ ଏଭଳି ଗୁରୁତର ତ୍ରୁଟି କିଭଳି ହେଲା ଓ ପରିବହନ ବିଭାଗ ତାହାକୁ ଠାବ କରିପାରିଲା ନାହିଁ ତାହାକୁ ନେଇ ଚାଳକମାନେ ସନ୍ଦେହରେ । କାଳେ ଆଉ କାହାର କେତେବେଳେ ଏଭଳି ଜୋରିମାନା ମେସେଜ ଆସିବ ତାହାକୁ ନେଇ ଚିନ୍ତାରେ ଅଛନ୍ତି ।

ସେହିଭଳି ରାଜଧାନୀର ଆଉ ଜଣେ ଚାରିଚକିଆ ଯାନ ମାଲିକଙ୍କ ନିକଟକୁ ତୁରନ୍ତ ନିଜ ଗାଡିରେ ଏହି ହାଇ ସିକ୍ୟୁରିଟି ନମ୍ବରପ୍ଲେଟ ଲଗାଇବାକୁ ମେସେଜ ଆସିଛି । ଯଦି ନମ୍ବର ନଲଗାଇବ ତେବେ ୫ହଜାର ଟଙ୍କା ଜୋରିମାନା ଲାଗିବାର ଭୟ ଦେଖାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସମ୍ପୃକ୍ତ ଯାନ ମାଲିକ ବହୁଦିନ ପୂର୍ବରୁ ନିଜ ଗାଡିରେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ ଲଗାଇ ସାରିଛନ୍ତି । ଏଭଳି ମେସେଜ ପାଇବାପରେ ସମ୍ପୃକ୍ତ ବ୍ୟକ୍ତି ଏବେ ଏ ସଂକ୍ରାନ୍ତରେ ପରିବହନ ବିଭାଗର ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀଙ୍କୁ ଟୁଇଟ୍‍ କରି ଜଣାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏବେ ପ୍ରାୟ ଲକ୍ଷାଧିକ ଗାଡିରେ ହାଇସିକ୍ୟୁରିଟି ନମ୍ବରପ୍ଲେଟ ଲାଗିନାହିଁ । ଏହାଛଡା କେତେକ ଗାଡିରେ ବି ଅନ୍ୟ ଯାନର ନମ୍ବରପ୍ଲେଟ ଲଗାଇ ଚଳାଯାଉଛି । ଏଭଳି ଜାଲ୍‍ ନମ୍ବର ପାଇଁ ଅସଲ ଗାଡିମାଲିକମାନଙ୍କ ନିକଟକୁ ଜୋରିମାନା ମେସେଜ ଆସୁଛି । ଏହି ଜାଲ୍‍ ନମ୍ବରଗୁଡିକୁ ଧରିବାପାଇଁ ପରିବହନ ବିଭାଗ ନିକଟରେ ଆବଶ୍ୟକ ସଂଖ୍ୟକ ମାନବସମ୍ବଳ କିମ୍ବା ସାଧନ ନାହିଁ । ଇତି ମଧ୍ୟରେ ନକଲି ହାଇ ସିକ୍ୟୁରିଟି ନମ୍ବର ପ୍ରସ୍ତୁତକାରୀମାନେ ମଧ୍ୟ ସକ୍ରିୟ ହେଲେଣି ।

ଯେଉଁସବୁ ପୁରୁଣା ଯାନ ପରିବହନ ବିଭାଗ ନିକଟରେ ନିଜର ପୁନଃ ପଞ୍ଜିକରଣ କରି ନାହାନ୍ତି ସେମାନଙ୍କ ଉପରେ ଜୋରିମାନା ଅର୍ଥ ବଢିବାରେ ଲାଗିଛି । ଫଳରେ ବିପୁଳ ପରିମାଣର ଜୋରିମାନା ଦେଇ ପୁରୁଣା ଗାଡିକୁ ପଞ୍ଜିକରଣ କରିବା ବଦଳରେ କିଛି ଗାଡିମାଲିକ ଏବେ ନକଲି ହାଇସିକ୍ୟୁରିଟି ନମ୍ବର ଲଗାଇ ଚଳାଇବା ଆରମ୍ଭ କରିଛନ୍ତି । ଏମାନଙ୍କୁ କିଭଳି ଧରାଯିବ ତାହା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି ।

ମୋଟାମୋଟି ଭାବେ ଶହ ଶହ ଟଙ୍କା ବ୍ୟୟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ଲୋକେ ନିଜ ନିଜ ଗାଡିର ସୁରକ୍ଷାକୁ ନେଇ ଆଶ୍ୱସ୍ତ ହୋଇଥିବାବେଳେ ଏବେ ଯେଉଁଭଳି ଭାବେ ଅନ୍ୟ ଜିଲ୍ଲାରୁ ଜୋରିମାନା ମେସେଜ ଆସୁଛି ଓ ନମ୍ବରପ୍ଲେଟ ଲଗାଇଥିବା ଲଗାଇଥିବା ଲୋକଙ୍କ ନିକଟକୁ ଏହା ଲଗାଇନଥିବାର ମେସେଜ ଆସିବାପରେ ଏବେ ପୁଣିଥରେ ଗାଡିମାଲିକଙ୍କ ଚିନ୍ତା ବଢିବାରେ ଲାଗିଛି । (ତଥ୍ୟ)