Home General ଇସ୍ପାତ ଆମାଦାନୀ ବୃଦ୍ଧି ପାଉଛି

ଇସ୍ପାତ ଆମାଦାନୀ ବୃଦ୍ଧି ପାଉଛି

ଭୁବନେଶ୍ୱର : ଦେଶରେ ଅଶୋଧିତ ଇସ୍ପାତର ଉତ୍ପାଦନ ବୃଦ୍ଧି ପାଇଥିବାବେଳେ ଭାରତ କିନ୍ତୁ ବିଶ୍ୱର ବିଭିନ୍ନ ଦେଶରୁ ପରିଷ୍କୃତ ଇସ୍ପାତ ଆମଦାନୀ କରୁଛି । ଗତ ଆର୍ଥିକ ବର୍ଷର ୧୧ମାସରେ ଭାରତ ବିଭିନ୍ନ ଦେଶରୁ ପ୍ରାୟ ୫୬ଲକ୍ଷ ଟନ୍‍ ଏହି ଧରଣର ଇସ୍ପାତ ଆମଦାନୀ କରିଛି ।

ଦେଶର ଇସ୍ପାତ କାରବାର ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ୨୦୨୨-୨୩ ବର୍ଷର ଏଗାର ମାସରେ ବିଶ୍ୱର ବିଭିନ୍ନ ଦେଶରୁ ପ୍ରାୟ ୫୬ଲକ୍ଷ ଟନ୍‍ ଇସ୍ପାତ ଆମଦାନୀ ହୋଇଛି । ଏଥି ମଧ୍ୟରେ କୋରିଆରୁ ସର୍ବାଧିକ ୨୦.୩୬ଲକ୍ଷ ମେଟ୍ରିକ ଟନ୍‍ ଇସ୍ପାତ ଆମଦାନୀ ହୋଇଥିବାବେଳେ ଚୀନ୍‍ରୁ ୧୩.୩୯ ଲକ୍ଷ ଟନ୍‍, ଋଷରୁ ପ୍ରାୟ ୪ଲକ୍ଷ ଟନ୍‍, ଭିଏତନାମରୁ ୨.୮୬ଲକ୍ଷ ଟନ୍‍ ଇସ୍ପାତ ଭାରତକୁ ଆସିଛି । ଏହାବାଦ୍‍ ଇଣ୍ଡୋନେସିଆ, ଓମାନ, ତାଇୱାନ, ଥାଇଲାଣ୍ଡ ଓ ୟୁକ୍ରେନ ଭଳି ଦେଶ ମଧ୍ୟ ଭାରତକୁ ଇସ୍ପାତ ରପ୍ତାନି କରିଛନ୍ତି ।

ତେବେ ଏହି ସୂଚନା ଅନୁଯାୟୀ ଭାରତରେ ୨୦୨୦-୨୧ ବର୍ଷରେ ୧୦୩.୫୪ ନିୟୁତ ଅଶୋଧିତ ଇସ୍ପାତ ଉତ୍ପାଦନ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୧୨୦.୨୯ ନିୟୁତ ଟନ୍‍କୁ ବୃଦ୍ଧି ପାଇଥିଲା । ଏହି ପରିମାଣ ୨୦୨୨-୨୩ ବର୍ଷର ଏଗାର ମାସରେ ୧୧୩.୪୪ ନିୟୁତ ଟନ୍‍ରେ ପହଞ୍ଚିଥିଲା । ଏହି ସମୟ ମଧ୍ୟରେ ଦେଶରେ ଯଥାକ୍ରମେ ୯୪.୮୯ ନିୟୁତ ଟନ୍‍, ୧୦୫.୭୫ ନିୟୁତ ଟନ୍‍ ୧୦୭.୨ ନିୟୁତ ଟନ୍‍ ଇସ୍ପାତ ବ୍ୟବହାର ହୋଇଥିଲା ।

ସେହିଭଳି ପରିଷ୍କୃତ ଇସ୍ପାତ ରପ୍ତାନି ୨୦୨୦-୨୧ବର୍ଷରେ ୧୦.୭୮ ନିୟୁତ ଟନ୍‍ ଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୧୩.୪୯ ନିୟୁତ ଟନ୍‍କୁ ବୃଦ୍ଧି ପାଇଥିଲା । କିନ୍ତୁ ଗତ ଆର୍ଥିକ ବର୍ଷର ଏଗାରମାସ ମଧ୍ୟରେ ଏହି ଧରଣର ଇସ୍ପାତ ରପ୍ତାନି ପରିମାଣ ୫.୯୦ ନିୟୁତ ଟନ୍‍କୁ ହ୍ରାସ ପାଇଥିଲା । ଗୋଟିଏ ପଟେ ରପ୍ତାନି ପରିମାଣ ହ୍ରାସ ପାଉଥିବାବେଳେ ଅନ୍ୟପଟେ କିନ୍ତୁ ବିଶେରୁ ଇସ୍ପାତ ଆମଦାନୀ ପରିମାଣ ବଢିବାରେ ଲାଗିଛି । ୨୦୨୧-୨୨ ବର୍ଷରେ ଭାରତ ବିଦେଶରୁ ୪.୬୭ ନିୟୁତ ଟନ୍‍ ଇସ୍ପାତ ଆମଦାନୀ କରିଥିବାବେଳେ ୨୦୨୨-୨୩ ବର୍ଷର ୧୧ମାସରେ ଏହା ୫.୫୯ ନିୟୁତ ଟନ୍‍ରେ ପହଞ୍ଚିଛି ।

ଦେଶର ଉଚ୍ଚମାନର ଲୁହାପଥର ଖଣି ମହଜୁଦ ଥିବାବେଳେ କେନ୍ଦ୍ର ସରକାର ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ୨୦୩୦ ସୁଦ୍ଧା ଦେଶର ଇସ୍ପାତ ଉତ୍ପାଦନ ୩୦୦ ନିୟୁତ ଟନ୍‍କୁ ବଢାଇବା ଲାଗି ଲକ୍ଷ୍ୟ ରହିଛି । ଏହା ସଫଳ ହେଲେ ବିଦେଶରୁ ଆମଦାନୀ ହେଉଥିବା ଇସ୍ପାତ ପରିମାଣ ହ୍ରାସ ପାଇବ ଏବଂ ଦେଶରେ ଇସ୍ପାତ ଶିଳ୍ପ ସଂଖ୍ୟା ବୃଦ୍ଧିପାଇବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)