ଭୁବନେଶ୍ୱର : ଧାନ ଉତ୍ପାଦନ କ୍ଷେତ୍ରରେ ବାରମ୍ବାର ଜାତୀୟ ସ୍ତରରେ ପୁରସ୍କୃତ ହେଉଥିବା ଆମ ରାଜ୍ୟରେ ଧାନ ବିହନ ଉତ୍ପାଦନ ଓ ଯୋଗାଣ ହ୍ରାସ ପାଇବାରେ ଲାଗିଛି । ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ଧାନ ବିହନ ପାଇଁ ଓଡିଶାକୁ ପୂର୍ବଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ବୋଲି ଚାଷୀମାନେ ଆଶଙ୍କା କଲେଣି ।
ଓଡିଶାର ଧାନଚାଷୀମାନଙ୍କୁ ଉନ୍ନତମାନର ଧାନ ବିହନ ଯୋଗାଣ ଦାୟିତ୍ୱ ରହିଛି କୃଷି ବିଭାଗ ଅଧିନରେ ଥିବା ରାଜ୍ୟ ବିହନ ନିଗମ ହାତରେ । ନିଗମ ପଞ୍ଜିକୃତ ବିହନଚାଷୀମାନଙ୍କୁ ପିଣ୍ଡ ବିହନ ଯୋଗାଇବା ସହିତ ସେମାନଙ୍କ ଉତ୍ପାଦିତ ପ୍ରମାଣିକ ବିହନକୁ ସଂଗ୍ରହ କରି ଚାଷୀମାନଙ୍କୁ ଯୋଗାଇଥାଏ । ତେବେ ରାଜ୍ୟରେ ଏବେ ବିହନ ଯୋଗାଣ ହ୍ରାସ ପାଇବାରେ ଲାଗିଛି । ୨୦୨୦ ମସିହାରେ ବିହନ ନିଗମ ୫.୨୦ଲକ୍ଷ କୁଇଣ୍ଟାଲ ଉନ୍ନତମାନର ଧାନ ବିହନ ଯୋଗାଣ କରିଥିବାବେଳେ ୨୦୨୨ରେ ଏହା ୩.୩୦ଲକ୍ଷ କୁଇଣ୍ଟାଲକୁ ହ୍ରାସ ପାଇଥିଲା । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଏହା ୧.୭୦ଲକ୍ଷ କୁଇଣ୍ଟାଲ ହୋଇଛି । ଏ ବର୍ଷ ବିହନ ଯୋଗାଣ ୨ଲକ୍ଷ କୁଇଣ୍ଟାଲ ଟପିବା ମୁସ୍କିଲ ହୋଇଯିବ ବୋଲି ବିହନ ଚାଷୀମାନେ କହୁଛନ୍ତି ।
ରାଜ୍ୟରେ ବିହନ ଯୋଗାଣ ପରିମାଣ ହ୍ରାସ ପାଉଥିବାବେଳେ ବିହନଚାଷ ହେଉଥିବା ଜମିର ପରିମାଣ ମଧ୍ୟ ସେହି ଅନୁପାତରେ ହ୍ରାସ ପାଇବାରେ ଲାଗିଛି । ୨୦୨୦ ଖରିଫ ଋତୁରେ ରାଜ୍ୟରେ ୨୨ହଜାର ହେକ୍ଟର ଜମିରେ ଧାନ ବିହନ ଚାଷ ହୋଇଥିବାବେଳେ ୨୦୨୧ ରେ ଏହା ୨୦ହଜାର ହେକ୍ଟର ତକୁ ହ୍ରାସ ପାଇଥିଲା । ୨୦୨୨ ରେ ଏହା ୧୬ହଜାର ହେକ୍ଟରକୁ ହ୍ରାସ ପାଇଛି ।
ଗୋଟିଏ ପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଅମଳକ୍ଷମ ଓ ଜଳବାୟୁ ସହନଶୀଳ ଧାନ ବିହନ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବାବେଳେ ଅନ୍ୟ ପଟେ ରାଜ୍ୟରେ ଧାନ ବିହନ ଉତ୍ପାଦନ ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ଅବସ୍ଥା ଏଭଳି ହେଲାଣି ଯେ ରାଜ୍ୟର ଆଗଧାଡିର ଧାନ ବିହନ ଉତ୍ପାଦନକାରୀମାନେ ଏ କ୍ଷେତ୍ରରୁ ମୁହଁ ଫେରାଇବାରେ ଲାଗିଛନ୍ତି ।
ତେବେ ଧାନ ବିହନ ଯୋଗାଣ ହ୍ରାସ ପାଇଁ ସରକାର ଲାଗୁ କରିଥିବା ଡିବିଟି ଓ ଓଟିପି ବ୍ୟବସ୍ଥା ଅନ୍ୟତମ କାରଣ ବୋଲି ବିହନ ଚାଷୀମାନେ ଅଭିଯୋଗ କରୁଛନ୍ତି । ସେମାନଙ୍କ ମତରେ ପୂର୍ବରୁ ସିଧାସଳଖ ସବସିଡ ସମୟରେ ଅଧିକ ପରିମାଣରେ ବିହନ ବିକ୍ରି ହେଉଥିଲା । ହେଲେ ଯେବେଠାରୁ ଚାଷୀମାନଙ୍କ ଲାଗି ଡିବିଟି ଓ ଓଟିପି ବ୍ୟବସ୍ଥା ହେଲା ସେବେଠାରୁ ଚାଷୀମାନେ ସରକାର ଯୋଗାଉଥିବା ଉନ୍ନତମାନର ବିହନ ଠାରୁ ମୁହଁ ଫେରାଇଲେ । ବିଶେଷକରି ଗାଁ ଗହଳର ଚାଷୀମାନେ ବ୍ୟାଙ୍କ୍ ଆକାଉଣ୍ଟକୁ ଅର୍ଥ ଯିବା ଓ ମୋବାଇଲ୍ ଓଟିପି ଝାମେଲାରେ ପଶିବାକୁ ଚାହିଁଲେ ନାହିଁ ।
ଏହି ଧାରା ଜାରି ରହିଲେ ବିହନ ଚାଷୀମାନେ ଧାନ ବିହନ ଉତ୍ପାଦନରୁ ସମ୍ପୂର୍ଣ୍ଣ ମୁହଁ ଫେରାଇବେ ଏବଂ ରାଜ୍ୟ ସରକାର ପୂର୍ବଭଳି ଧାନ ବିହନ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବେ । ସେତେବେଳେ ଚଢା ଦରରେ ଖରିଦ କରୁଥିବା ଧାନ ବିହନ ଉପରେ ସରକାରଙ୍କୁ ବିପୁଳ ପରିମାଣର ସବସିଡ୍ ଦେବାକୁ ପଡିବ ବୋଲି ବିହନ ଚାଷୀମାନେ ମତପୋଷଣ କରୁଛନ୍ତି । (ତଥ୍ୟ)