Home General ବିକାଶର ଭୂଖଣ୍ଡ ପାଲଟିଛି ଓଡିଶା

ବିକାଶର ଭୂଖଣ୍ଡ ପାଲଟିଛି ଓଡିଶା

ଭୋକର ଭୂଗୋଳରୁ ବିକାଶର ଭୂଖଣ୍ଡ ପାଲଟିଛି ଓଡିଶା । ସବୁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ସତ୍ୱେ ଓଡିଶା ୬ଥର କୃଷି କର୍ମଣ ପୁରସ୍କାର ପାଇଛି । ଓଡିଶାର ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକାର ଯୋଜନା କରିଛନ୍ତି । ‘କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ବ୍ୟାପକ ଚାଷୀ ଅସନ୍ତୋଷ’ ଶୀର୍ଷକ ମୁଲତବି ଆଲୋଚନାର ଉତ୍ତର ରଖି ଏହା କହିଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅରୁଣ କୁମାର ସାହୁ ।

କୃଷିମନ୍ତ୍ରୀ କହିଛନ୍ତି ଯେ ଚଳିତ ଖରିଫ ଋତୁରେ ୬୦.୩୭ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇଛି ଯାହାକି ଗତବର୍ଷ ତୁଳନାରେ ୪୦ହଜାର ହେକ୍ଟର ଅଧିକ । ଗତବର୍ଷ ତୁଳନାରେ ଅଧିକ ୧୫ହଜାର ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଓ ଅଧିକ ୪୮ହଜାର ହେକ୍ଟର ଜମିରେ ପନିପରିବା ଚାଷ ହୋଇଛି । ଚାଷୀଙ୍କୁ ରିହାତି ଦରରେ ଖରିଫ ୠତୁରେ ୩.୭୪ ଲକ୍ଷ କୁଇଣ୍ଟାଲ ଧାନ ଓ ଅଣଧାନ ବିହନ ରିହାତି ଦରରେ ଯୋଗାଯାଇଛି ଯାହାକି ଗତବର୍ଷ ତୁଳନାରେ ୫୦ହଜାର କୁଇଣ୍ଟାଲ ଅଧିକ ।

ସେହିଭଳି ଚଳିତ ଖରିଫ ୩.୨୫ ଲକ୍ଷ ଟନ୍‍ ୟୁରିଆ ସାର ସମେତ ମୋଟ୍‍ ୭.୪୯ ଲକ୍ଷ ଟନ୍‍ ସାର ଯୋଗାଇ ଦିଆଯାଇଛି । ଚଳିତ ଖରିଫ ଋତୁରେ ଚାଷୀଙ୍କୁ ୮୦୩୫ କୋଟି ଟଙ୍କାର ଫସଲ ଋଣ ଯୋଗାଇ ଦିଆଯାଇଛି ଯାହାକି ଗତ ଖରିଫ ଋତୁ ତୁଳନାରେ ୮୪୦କୋଟି ଟଙ୍କା ଅଧିକ ରହିଛି । ଏଥି ସହିତ ୧୫.୬୨ ଲକ୍ଷ କୃଷକଙ୍କୁ ଫସଲବୀମା ଯୋଜାନରେ ଅର୍ନ୍ତଭୁକ୍ତ କରାଯାଇଥିବା କୃଷିମନ୍ତ୍ରୀ ଡକ୍ଟର ସାହୁ କହିଛନ୍ତି ।

କୃଷିମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି କୃଷି ପାଇଁ ଆବଶ୍ୟକ ଉପାଦାନ ଓ କୃଷିଜାତ ଦ୍ରବ୍ୟର ପରିବହନକୁ କୋଭିଡ ଗାଇଡ୍‍ଲାଇନ୍‍ ଅନୁଯାୟୀ କଟକଣାମୁକ୍ତ କରାଯାଇଥିଲା । ସେହିଭଳି ଚାଷୀଙ୍କ ଲାଗି ମଧ୍ୟ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି । ତଦନୁଯାୟୀ ପ୍ରାମାଣିକ ବିହନ ରିହାତି ଦରରେ ଯୋଗାଇ ଦେବା ସହିତ ପାକଶାଳା ବଗିଚା ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ପନିପରିବା ବିହନ କିଟ୍‍, ମିଶ୍ରିତ ଫଳ ଚାରା ଯୋଗାଣ, ଛତୁଚାଷ, ଫୁଲ ଚାଷ ଏବଂ ପାନ ଚାଷ ନିମନ୍ତେ ୨୦୦ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି ।

କୃଷି କ୍ଷେତ୍ରରେ ସାମଗ୍ରିକ ଉନ୍ନତି ନିମନ୍ତେ ରାଜ୍ୟ ସରକାର କୃଷି ନୀତି – ୨୦୨୦ ‘ସମୃଦ୍ଧି’ ସହ ସ୍ୱତନ୍ତ୍ର ଭାବେ ଓଡିଶା ଜୈବିକ କୃଷି ନୀତି, କୃଷକ ଉତ୍ପାଦକ ସଂଗଠନନୀତି ଆଦି ପ୍ରଣୟନ କରିଛନ୍ତି । ଗତ ଅଗଷ୍ଟମାସର ରାଜ୍ୟରେ ୧୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟିହୋଇ ବିଭିନ୍ନ ଫସଲର କ୍ଷୟକ୍ଷତି ଗଟିଛି ।

ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ସହିତ ରବି ଚାଷକୁ ତ୍ୱରାନ୍ୱିତ କରିବାପାଇଁ ବିହିତ ପଦକ୍ଷେପ ନିଆଯାଇଛି । ଏହି ପ୍ୟାକେଜ ଅନୁଯାୟୀ ୩୩ପ୍ରତିଶତ ବା ତଦୁର୍ଧ ଫସଲ ହାନି ହୋଇଥିବା ଅଣଜଳସେଚିତ ଅଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପ୍ରତି ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ଚାଷୀଙ୍କୁ ୧୩,୫୦୦ ଟଙ୍କା, ବର୍ଷବ୍ୟାପି ଫସଲ ନିମନ୍ତେ ୧୮ହଜାର ଟଙ୍କା ଓ ପ୍ରତି ଚାଷୀଙ୍କୁ ସର୍ବାଧିକ ୨ହେକ୍ଟର ପର୍ଯ୍ୟନ୍ତ ସୁବିଧା ଦିଆଯିବାର ବ୍ୟବସ୍ଥା ରହିଛି ।

ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କହିଲେ ଯେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଛି । ମିଲରଙ୍କ ସହ ମିଶି ଧାନ କିଣାଯାଉଛି । କଟନୀ ଛଟନୀ ନାଁରେ ଚାଷୀ ଠକାମୀର ଶିକାର ହେଉଛନ୍ତି । ସେ କହିଥିଲେ ଯେ ଏଭଳି ବିଲ୍‍ ସଂସଦରେ ଆଣିବାପାଇଁ କେନ୍ଦ୍ର ସରକାରଙ୍କ ଅଧିକାର ନାହିଁ । ଏହା ଆଇନ୍‍ରେ ପରିଣତ ହେବା ଦ୍ୱାରା ଚାଷୀ କର୍ପୋରେଟ, ପୁଞ୍ଜିପତି, ଦଲାଲମାନଙ୍କ ଦ୍ୱାରା ଶୋଷଣର ଶିକାର ହେବେ ।

ଏମ୍‍ଏସ୍‍ପି ବ୍ୟବସ୍ଥା ଆଇନ୍‍ରେ ନଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ମନ୍ତ୍ରୀମାନେ କେବଳ ଏହା କହୁଛନ୍ତି । କଂଗ୍ରେସ ଦାବି କରୁଛି ଯେ ଆଇନ୍‍ରେ ଏମଏସ୍‍ପି ବ୍ୟବସ୍ଥା ରହୁ ଓ ଯେଉଁମାନେ ଏହାକୁ ମାନିବେ ନାହିଁ ସେମାନଙ୍କ ପାଇଁ ୭ବର୍ଷ ଜେଲ୍‍ ଦଣ୍ଡ ବ୍ୟବସ୍ଥା ଲାଗୁ ହେଉ । ରାଜ୍ୟ ସରକାର କୃଷି ଉପରେ ଦୁଇଟି ଅଧ୍ୟାଦେଶ ଆଣିଲେ, କିନ୍ତୁ ବିଲ୍‍କୁ ଗୃହରେ ଉପସ୍ଥାପିତ କଲେ ନାହିଁ । ବିଲ୍‍କୁ ବିରୋଧ କରିବାର ସ୍ୱର ବିଜେଡିର କ୍ଷୀଣ ଥିଲା । ଚାଷୀଙ୍କ ପ୍ରତି ବିଜେଡିର ଆନ୍ତରିକତା ନାହିଁ ବୋଲି ସେ କହିଥିଲେ ।

ଏହି ସମୟରେ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ବିଜେଡି ଓ କଂଗ୍ରେସ କଥାବାର୍ତ୍ତା ହୋଇ ଆଜି ମୁଲତବି ପ୍ରସ୍ତାବ ଆଣିଛନ୍ତି । ଏଥିପାଇଁ ବିଜେପି ଆଲୋଚନାରେ ସାମିଲ ନହୋଇ କକ୍ଷତ୍ୟାଗ କରୁଛି । ଏହାପରେ ବିଜେପି ସଦସ୍ୟାମନେ କକ୍ଷତ୍ୟାଗ କରିଥିଲେ । କଂଗ୍ରେସ ବିଧାୟକଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ ସବୁଥିରେ ବିଜେଡିକୁ ବିଜେପି ସମର୍ଥନ କରୁଛି । ରାଜ୍ୟସଭା ଆସନ ଦେବାଠାରୁ ବିଭିନ୍ନ ବିଲ୍‍ ରେ ବିଜେଡି ବିଜେପିକୁ ସମର୍ଥନ ଦେଉଛନ୍ତି ।

ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବରେ ଭାଗ ନେଇ ବିଜେଡି ସଦସ୍ୟ ପ୍ରତାପ ଦେବ କହିଥିଲେ ଯେ କେନ୍ଦ୍ରର କୃଷି ଆଇନ୍‍ ଏମଏସ୍‍ପି ଉଚ୍ଛେଦର ପ୍ରଥମ ପ୍ରକ୍ରିୟା । ନୂତନ ବ୍ୟବସ୍ଥାରେ ଛୋଟ ଛୋଟ ମଧ୍ୟସ୍ଥ ହଟିବେ ଓ ବଡ ମଧ୍ୟସ୍ଥି ଆସିବେ । ଆଗକୁ ଧିରେ ଧିରେ ଚାଷୀମାନେ କର୍ପୋରେଟ ଅଧିନକୁ ଆସିଯିବେ । ଚାଷୀଙ୍କ ସ୍ୱାର୍ଥ ସହ ବିଜେଡି ରହିଛି । ଚାଷୀଙ୍କ ପାଇଁ ଭଲ ବ୍ୟବସ୍ଥା କରିବାକୁ ସେ କୃଷିମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବିଜେଡି ସଦସ୍ୟ ରମେଶ ସାଏ, ପ୍ରଶାନ୍ତ ମୁଦୁଲି ଓ ଧ୍ରୁବ ସାହୁ ପ୍ରମୁଖ ଧ୍ୟାନଆକର୍ଷଣକାରୀ ପ୍ରସ୍ତାବ ଉପରେ ନିଜ ନିଜର ମତ ରଖିଥିଲେ ।