ଭୁବନେଶ୍ୱର : ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ପୁରୀ-କୋଣାର୍କ ବେଳାମାର୍ଗ କଡରେ ପ୍ରାୟ ୮୦୦୦ ଏକର ଜମି ଦିଆଯାଇଥିବାବେଳେ ଏହି ଆବଣ୍ଟନକୁ ସୁପ୍ରିମ୍କୋର୍ଟ ରଦ୍ଦ କରିଦେଇଥିବା ପରିପ୍ରେକ୍ଷୀରେ ପୁଣି ଏହି ଜମିଜମା ପୂର୍ବବତ୍ ଚାଷୀ, ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଫେରିବ । ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରକ୍ରିୟା ଚାଲିଛି ।
ଏଠାରେ ଉଲ୍ଲେଖନୀୟ ଯେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପକ୍ଷରୁ ବେଳାମାର୍ଗରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଓଡିଶା ସରକାରଙ୍କ ସହ ରାଜିନାମା ହୋଇଥିଲା ଏବଂ ତଦନୁଯାୟୀ ରାଜ୍ୟ ସରକାର ଆବଶ୍ୟକୀୟ ଜମି ଯୋଗାଇ ଦେବାପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ।
ଏହି ପ୍ରକ୍ରିୟାରେ ସାଧାରଣ ଚାଷୀଙ୍କ ଠାରୁ ଆରମ୍ଭ କରି ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ଓ ପର୍ଯ୍ୟାପ୍ତ ପରିମାଣର ସରକାରୀ ଜମିକୁ ଦିଆଯାଇଥିଲା ଏବଂ ଏଥିଲାଗି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଓ ଜମି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା । ଏ ପ୍ରସଙ୍ଗରେ ଆପତ୍ତି ଉଠାଇ ଓଡିଶା ଲୋକପାଳଙ୍କ ନିକଟରେ ମାମଲା ରୁଜୁ ହୋଇଥିଲା । ଲୋକପାଳ ଘଟଣାର ତଦନ୍ତକରି ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ ବି ତାହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ।
ଜମି ପ୍ରଦାନ ଘଟଣାକୁ ବିରୋଧକରି ସେତେବେଳେ ଓଡିଶା ହାଇକୋର୍ଟରେ ଅନ୍ୟୁନ ୯ଟି ମାମଲା ରୁଜୁ ହୋଇଥିଲା । ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ ସମେତ ପର୍ଶୁରାମ ପ୍ରଧାନ, ଉମାବଲ୍ଲଭ ରଥ, ରାଜୀବ ପୂଜାରୀ, ଅରୁଣ ଚନ୍ଦ୍ର ପ୍ରଧାନ, ସୁଦର୍ଶନ ଗୋଚ୍ଛାୟତ, ଜୟରାମ ସ୍ୱାଇଁ, ଚିନ୍ମୟ କୁମାର ମିଶ୍ର, ଭିତରଚ୍ଛୁ ମଧୁସୂଦନ ମହାପାତ୍ର ପ୍ରମୁଖ ଓଡିଶା ହାଇକୋର୍ଟରେ ପୃଥକ ପୃଥକ ମାମଲା ରୁଜୁ କରି ସେଥିରେ ଓଡିଶା ସରକାର, ବେଦାନ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଶ୍ରୀମନ୍ଦିର ପ୍ରଶାସନ, ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଆଦିଙ୍କୁ ପକ୍ଷଭୁକ୍ତ କରିଥିଲେ ।
୨୦୦୭ ରୁ ୨୦୦୯ ମଧ୍ୟରେ ରୁଜୁ ହୋଇଥିବା ଏହି ମାମଲାଗୁଡିକର ଫଏସଲା ୨୦୧୦ ନଭେମ୍ବର ୧୬ତାରିଖରେ ହୋଇଥିଲା । ଓଡିଶା ହାଇକୋର୍ଟ ତାଙ୍କ ସୁଦୀର୍ଘ ରାୟରେ ଜମି ଅଧିଗ୍ରହଣକୁ ବେଆଇନ୍ ଦର୍ଶାଇବା ସହିତ ଜମି ଯେଉଁମାନଙ୍କ ନାମରେ ଥିଲା ସେହିମାନଙ୍କ ନାମରେ ରେକର୍ଡ ସଂଶୋଧନ କରାଇବା ପାଇଁ ଆଦେଶ ଦେଇଥିଲେ । ଯେଉଁ ସରକାରୀ ଜମି ଏହି ବିଶ୍ୱବିଦ୍ୟାଳୟ ପାଇଁ ଦିଆଯାଇଥିଲା ତାହା ବି ସରକାରୀ ଖାତାକୁ ଫେରିବାକୁ କୁହାଯାଇଥିଲା । ଏମିତିକି ଶ୍ରୀମନ୍ଦିରର ଅମୃତ ମଣୋହୀ ଜମି ମଧ୍ୟ ଶ୍ରୀମନ୍ଦିର ଖାତାକୁ ଏହି ରାୟ ଅନୁଯାୟୀ ଫେରିବାକଥା । ତେବେ ଜମିର ମାଲିକଙ୍କ ନିକଟକୁ ଜମି ଫେରାଇବା ପରେ ପରେ ଜମି ଅଧିଗ୍ରହଣ ବାବଦରେ ଯେଉଁ ଅର୍ଥ ଦିଆଯାଇଛି ତାହା ବି ଜମି ମାଲିକମାନେ ଫେରସ୍ତ ଦେବେ ବୋଲି ଓଡିଶା ହାଇକୋର୍ଟ ସ୍ପଷ୍ଟ କରିଦେଇଥିଲେ ।
ଓଡିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପକ୍ଷରୁ ସୁପ୍ରିମ୍କୋର୍ଟରେ ୨୦୧୧ ମସିହାରେ ମାମଲା ରୁଜୁ କରାଯାଇଥିଲା । ଏହାଛଡା ଆଉ କେତେଗୁଡିଏ ମାମଲା ବି ସୁପ୍ରିମକୋର୍ଟରେ ଉଠିଥିଲା । ସମସ୍ତ ମାମଲାର ମିଳିତ ଶୁଣାଣି କରି ସୁପ୍ରିମ୍କୋର୍ଟର ଅନ୍ୟତମ ବିଚାରପତି ଏମ.ଆର.ଶାହା ଓ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଗୁଡିକୁ ଖାରଜ କରିଦେଇ ଗତ ଏପ୍ରିଲ ୧୨ତାରିଖରେ ଯେଉଁ ରାୟ ଦେଇଥିଲେ ସେଥିରେ ହାଇକୋର୍ଟଙ୍କ ରାୟକୁ କାଏମ ରଖାଯିବା ସହ ବିଧି ବ୍ୟବସ୍ଥାର ଠିକଣା ଅନୁପାଳନ ନହୋଇଥିବାରୁ କେତେକ ପ୍ରତିକୂଳ ଟିପ୍ପଣୀ ମଧ୍ୟ ଦେଇଛନ୍ତି । ଏଥି ସହିତ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ମାମଲା ଖର୍ଚ୍ଚ ବାବଦରେ ୫ଲକ୍ଷ ଟଙ୍କା ଦେବାପାଇଁ ଆଦେଶ ହୋଇଛି । ଏହି ଅର୍ଥ ଓଡିଶା ଆଇନ୍ସେବା ପ୍ରାଧିକରଣକୁ ଦିଆଯିବ ବୋଲି ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି । ଏବେ ଏହି ରାୟର ପ୍ରତିପାଳନ ପାଇଁ ବିଭିନ୍ନ ସ୍ତରରେ ସରକାର ବ୍ୟାପକ ତର୍ଜମା ଚଳାଇଛନ୍ତି । (ତଥ୍ୟ)