ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ମହଣ ମହଣ ସୁନା ଅଳଙ୍କାର ଗଚ୍ଛିତ ଅଛି ବୋଲି ଗଣମାଧ୍ୟମରେ ବାରମ୍ବାର ଚର୍ଚ୍ଚା ହେଉଥିବାବେଳେ ୪୫ବର୍ଷ ତଳେ କିନ୍ତୁ ରତ୍ନ ଭଣ୍ଡାରରେ ଗଚ୍ଛିତ ସାମଗ୍ରୀ ଗୁଡିକର ଯେଉଁ ତାଲିକା ପ୍ରସ୍ତୁତ କରାଯାଇଥିଲା ସେଥିରେ କିନ୍ତୁ ୪ କୁଇଣ୍ଟାଲରୁ ସାମାନ୍ୟ ଅଧିକ ସାମଗ୍ରୀ ଥିବା ଦର୍ଶା ଯାଇଛି ।
ସରକାରୀ ତଥ୍ୟ ମୁତାବକ ୧୯୭୮ ମସିହା ମଇ ୧୩ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା । ତେବେ ଏହି ତାଲିକାରେ ବିଭିନ୍ନ କାରଣରୁ ୧୪ଟି ସୁନା ଓ ରୁପା ଜିନିଷ ଓଜନ ହୋଇ ପାରିନଥିବାରୁ ତାହାର ପରିମାଣ ମିଶା ଯାଇନଥିଲା ।
ଭିତର ଓ ବାହାର ରତ୍ନ ଭଣ୍ଡାରରେ ୧୨ହଜାର୮୩୧ ଭରି ୧ ଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଥିବା ସେତେବେଳେ ଆକଳନ କରାଯାଇଥିଲା । ଏହାଛଡ଼ା ୨୨ହଜାର ୧୫୩ ଭରି ଓଜନର ମୂଲ୍ୟବାନ ପଥର ସହିତ ରୁପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ରହିଥିବା ସେତେବେଳେ ପ୍ରସ୍ତୁତ ତାଲିକାରେ ଦର୍ଶାଯାଇଥିଲା ।
ହିସାବ ମୁତାବକ ଗୋଟିଏ ଭରି ହେଉଛି ୧୧.୬୬ଗ୍ରାମ୍ । ଏହି ଅନୁଯାୟୀ ସେତେବେଳେ ସୁମାରୀ କରାଯାଇଥିବା ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷର ଓଜନ ୧୪୯ କିଲୋ ୬୦୯ ଗ୍ରାମ୍ ଏବଂ ମୂଲ୍ୟବାନ ପଥର ସହିତ ରୁପା ବାସନ ଓ ପୂଜା ସାମଗ୍ରୀ ସମେତ ଅନ୍ୟାନ୍ୟ ଜିନିଷର ଓଜନ ୨୫୮କିଲୋ ୩୦୩ ଗ୍ରାମ୍ । ମୋଟାମୋଟି ଭାବେ ଏହି ସମସ୍ତ ସୁନା ଓ ରୁପା ସାମଗ୍ରୀର ମୂଲ୍ୟବାନ ପଥର ସହ ଓଜନ ପ୍ରାୟ ୪ କୁଇଣ୍ଟାଲ ୮ କିଲୋ । ଯେଉଁ ୧୪ଟି ସୁନା ଓ ରୁପା ଜିନିଷ ସେତେବେଳେ ଓଜନ କରାଯାଇନଥିଲା ତାହାକୁ ମିଶାଇଲେ ମୋଟି ସାମଗ୍ରୀର ପରିମାଣ ଅଧିକ ହେବ ।
ଶ୍ରୀମନ୍ଦିରରେ ନୀତିକାନ୍ତି ପାଇଁ ଦୈନନ୍ଦିନ ଯେଉଁ ସୁନା, ରୁପା ଆଦିର ସାମଗ୍ରୀ ବ୍ୟବହୃତ ହୁଏ ତାହା ସ୍ୱତନ୍ତ୍ର ଭଣ୍ଡାରରେ ରଖାଯାଇଥାଏ । ରଥଯାତ୍ରା ସୁନାବେଶ ଆଦି ପର୍ବପର୍ବାଣିରେ ବ୍ୟବହୃତ ହେଉଥିବା ସୁନା, ରୁପା ସାମଗ୍ରୀ ସାଧାରଣତଃ ବାହାର ରତ୍ନ ଭଣ୍ଡାରରେ ରହିଥାଏ । ଯେଉଁ ସାମଗ୍ରୀ ବ୍ୟବହୃତ ନହୋଇ ସଞ୍ଚିତ ଧନ ଭାବେ ରହିଥାଏ ତାହାକୁ ଭିତର ରତ୍ନ ଭଣ୍ଡାରରେ ରଖାଯାଇଥାଏ ।
ଶ୍ରୀମନ୍ଦିରର ବିଧିବ୍ୟବସ୍ଥା ଅନୁଯାୟୀ ମନ୍ଦିର ପରିଚାଳନା କମିଟି ଚାହିଁଲେ ନିୟମିତ ବ୍ୟବଧାନରେ ସରକାରଙ୍କ ଅନୁମୋଦନ ନେଇ ଭିତର ରତ୍ନ ଭଣ୍ଡାରରେ ମହଜୁଦ ଥିବା ସାମଗ୍ରୀ ଗୁଡିକର ହିସାବ ନିକାସ କରିପାରିବେ । ତେବେ ୪୫ବର୍ଷ ପରେ ଏଯାବତ୍ କାହିଁକି ଯେ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ, ସେଠାରେ ମହଜୁଦ ଥିବା ସାମଗ୍ରୀର ହିସାବ ନିକାସ କରାଯାଉନାହିଁ ସେ ସଂକ୍ରାନ୍ତରେ ପରିଚାଳନା କମିଟିର ସଦସ୍ୟମାନେ ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି ।
କିଛିବର୍ଷ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଚହଳ ସୃଷ୍ଟି କରିଥିବାବେଳେ ପରେ ପରେ ପୁରୀ କଲେକ୍ଟୋରେଟ୍ ରେକର୍ଡ ରୁମ୍ରୁ ଏହି ଚାବି ମିଳିଲା ବୋଲି କୁହାଗଲା । ଏହି ଚାବି ହଜା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଇଥିଲେ ଏବଂ କମିଶନ ତାଙ୍କ ରିପୋର୍ଟ ଦାଖଲ କରିଥିଲେ ବି ତାହା ଏଯାବତ୍ ସାର୍ବଜନୀନ ହୋଇନାହିଁ ।
୧୯୭୮ରୁ ଏପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଯେତେ ସୁନା ରୁପା ଆଦି ମିଳିଛି ସେଥିରୁ ଅଧିକାଂଶ ବ୍ୟାଙ୍କ ଲକରରେ ରହିଥିବା କୁହାଯାଉଛି । ତେବେ ଭିତର ରତ୍ନ ଭଣ୍ଡାରରେ ପୂର୍ବ ସୁମାରି ପରେ ଆଉ ଅଧିକ ସାମଗ୍ରୀ ଗଚ୍ଛିତ ରଖାଯାଇନାହିଁ । ଏଠାରେ ଉଲ୍ଲେଖନୀୟ ଯେ, ନୀଳମଣି ରାଉତରାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେତେବେଳର ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଗଜପତି ଓ ଅନ୍ୟମାନଙ୍କ ସହ ପରାମର୍ଶ କରି ରତ୍ନ ଭଣ୍ଡାର ଖୋଲାଇ ସାମଗ୍ରୀ ଗୁଡିକର ସୁମାରି କରାଇଥିଲେ ।
ସେତେବେଳର ରାଜ୍ୟପାଳ ଭଗବତ୍ ଦୟାଲ୍ ଶର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସଂସ୍କାର ପାଇଁ ଏକ କମିଟି ଗଢା ଯାଇଥିଲା ଏହି କମିଟି ଦେଇଥିବା ରିପୋର୍ଟ ଏବେ ଅମଲାତନ୍ତ୍ରର ଅଳିଆ ଗଦାରେ ପଡିଛି । ଶ୍ରୀମନ୍ଦିରର ସଂସ୍କାର ଲାଗି ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ବି. ପି. ଦାସଙ୍କ ଅଧ୍ୟକ୍ଷତାରେ ବସାଯାଇଥିବା କମିଶନ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ପୂର୍ବରୁ କମିଶନଙ୍କୁ ବନ୍ଦ କରିଦିଆଯାଇଥିଲେ ମଧ୍ୟ ଅନ୍ତରିଣ ରିପୋର୍ଟ କିନ୍ତୁ ମିଳିଥିଲା । ରତ୍ନ ଅଳଙ୍କାର ବ୍ୟବୀତ ଶ୍ରୀମନ୍ଦିରର ପ୍ରାୟ ୫୬ହଜାର ଏକର ଭୂ-ସମ୍ପତ୍ତି ସହ ବିଭିନ୍ନ ବ୍ୟାଙ୍କରେ ଅର୍ଥ ରାଶି ଜମା ରହିଛି । (ତଥ୍ୟ)