ଭୁବନେଶ୍ୱର : ଅନ୍ୟ ରାଜ୍ୟର କୁଶଳୀ ଶ୍ରମିକମାନେ ଧିରେ ଧିରେ ଓଡିଶାର ନିର୍ମାଣ କ୍ଷେତ୍ରକୁ କବ୍ଜା କରିବାରେ ଲାଗିଛନ୍ତି । ବିଶେଷକରି ବିହାର, ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରମିକମାନେ ଓଡିଶାର ଶିଳ୍ପ, ଖଣିଖାଦାନ, ନିର୍ମାଣ କ୍ଷେତ୍ର ଠାରୁ ଆରମ୍ଭ କରି କୃଷି କ୍ଷେତ୍ର ପର୍ଯ୍ୟନ୍ତ ସବୁଆଡେ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି ।
ସରକାରୀ ହିସାବ ଅନୁଯାୟୀ ଏବେ ଅନ୍ୟ ରାଜ୍ୟର ପ୍ରାୟ ୩୦ହଜାର ଶ୍ରମିକ ଓଡିଶାରେ ଆସି କାର୍ଯ୍ୟ କରୁଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ପ୍ରାୟ ୭ହଜାର ଝାରସୁଗୁଡା ଜିଲ୍ଲାରେ ନିୟୋଜିତ ଅଛନ୍ତି । ଝାରସୁଗୁଡା ଗୋଟିଏ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବାବେଳେ ଏଠାରେ ଝାଡଖଣ୍ଡ, ବିହାରରୁ ଆସିଥିବା କୁଶଳୀ ଶ୍ରମିକଙ୍କ ସମେତ ଗାଡିଚାଳକଙ୍କର ଅଧିକ ସଂଖ୍ୟା ରହିଛି ।
ତେବେ ସରକାରୀ ହିସାବରେ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକଙ୍କ ସଂଖ୍ୟା ପାଖାପାଖି ୩୦ହଜାର ବୋଲି ଦର୍ଶାଯାଉଥିବାବେଳେ ବାସ୍ତବରେ କିନ୍ତୁ ଏମାନଙ୍କ ସଂଖ୍ୟା ବହୁଗୁଣିତ । ଖୋଦ ରାଜଧାନୀରେ ହଜାର ହଜାର ସଂଖ୍ୟକ ନିର୍ମାଣ ଶ୍ରମିକ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାରରୁ ଆସି କାର୍ଯ୍ୟ କରୁଛନ୍ତି । ଇଟା ଯୋଡେଇ ଠାରୁ ଆରମ୍ଭକରି ଟାଇଲ ବିଛାଇବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହି ଅଣଓଡିଆ ଶ୍ରମିକମାନଙ୍କର ଖୋଜା ପଡୁଛି । ଏପରିକି ରାଜଧାନୀ ଓ ଏହାର ଆଖପାଖରେ ଛିଡା ହୋଇଥିବା ଶହ ଶହ ଆପାର୍ଟମେଣ୍ଟ ପଛରେ ଅନ୍ୟ ରାଜ୍ୟର ଏହି ଶ୍ରମିକମାନଙ୍କର ବିଶେଷ ଅବଦାନ ରହିଛି ।
ସରକାରୀ ଭାବେ ଦର୍ଶାଯାଉଛି ଅନ୍ୟ ରାଜ୍ୟରୁ ଆସୁଥିବା ଶ୍ରମିକମାନେ ଝାରସୁଗୁଡା ସମେତ ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, କଳାହାଣ୍ଡି ଓ ରାୟଗଡା ଆଦିରେ ବହୁ ସଂଖ୍ୟାରେ କାର୍ଯ୍ୟ କରୁଛନ୍ତି । ତେବେ ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ଶିଳ୍ପ କ୍ଷେତ୍ରରେ ନିୟୋଜିତ ଥିବା କୁଶଳୀ ଶ୍ରମିକ । ଓଡିଶାର ବିଭିନ୍ନ କଳ କାରଖାନା ଓ ଖଣି ଖାଦାନରେ କାମ ନେଇଥିବା ଅଣଓଡିଆ ଠିକାଦାରମାନେ ନିଜ ନିଜ ରାଜ୍ୟରୁ ଶ୍ରମିକମାନଙ୍କୁ ଆଣି ଏଠାରେ କାମରେ ଲଗାଉଥିବା ଦେଖିବାକୁ ମିଳୁଛି ।
କେବଳ ଶିଳ୍ପ କିମ୍ବା ଖଣି ଖାଦାନ ନୁହେଁ, ରାଜ୍ୟର କୃଷି କ୍ଷେତ୍ରରେ ମଧ୍ୟ ବାହାର ରାଜ୍ୟର ଶ୍ରମିକମାନେ ଆସି କାର୍ଯ୍ୟ କରୁଛନ୍ତି । ବିଶେଷକରି ବାଲେଶ୍ୱର ଠାରୁ ପୁରୀ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ଚାଷକାର୍ଯ୍ୟ ଏବେ ପଶ୍ଚିମବଙ୍ଗର ଶ୍ରମିକମାନଙ୍କ ଉପରେ ନିର୍ଭର କରୁଛି । ଚାଷବାସ ସମୟରେ ସେହି ରାଜ୍ୟରୁ ଶହ ଶହ ଶ୍ରମିକ ଆସି ଧାନ ରୋଇବା ଠାରୁ ଆରମ୍ଭକରି ଅମଳ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ କରୁଛନ୍ତି । ଏହି ଶ୍ରମିକମାନେ ନିୟମିତ ଭାବେ ଠିକଣା ସମୟରେ କାମ କରୁଥିବାରୁ ସ୍ଥାନୀୟ ଶ୍ରମିକଙ୍କ ତୁଳନାରେ ଜମି ମାଲିକମାନେ ଏମାନଙ୍କ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି ।
ବର୍ତ୍ତମାନ ଆମ ରାଜ୍ୟରେ କୁଶଳୀ ଶ୍ରମିକ ସୃଷ୍ଟି ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇଥିଲେ ମଧ୍ୟ ଅନ୍ୟ ରାଜ୍ୟର ଶ୍ରମିକମାନେ ଯେଭଳି ଭାବେ ରାଜ୍ୟର ନିର୍ମାଣ କ୍ଷେତ୍ରକୁ କବ୍ଜା କରି ରଖିଛନ୍ତି ସେଠାରେ ଓଡିଆ ଶ୍ରମିକମାନେ କାମ ପାଇବା ଏକ ପ୍ରକାର ମୁସ୍କିଲ ହୋଇ ପଡୁଛି । ତେଣୁ ରାଜ୍ୟର ବିଭିନ୍ନ ନିର୍ମାଣ ଓ କୃଷି କାର୍ଯ୍ୟରେ ଓଡିଶାର ଯୁବକ ଯୁବତୀଙ୍କ କୁଶଳୀ କରି ମୁତୟନ କରାଯାଇ ପାରିଲେ ରାଜ୍ୟରେ ଦାଦନ ଭଳି ସମସ୍ୟା ଉପୁଜନ୍ତା ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)