ଭୁବନେଶ୍ୱର : ରାଜ୍ୟର କିର୍ତ୍ତୀରାଜି ଓ ଐତିହ୍ୟସ୍ଥଳୀର ରକ୍ଷଣା ବେକ୍ଷଣ ପାଇଁ ଗତ ୫ବର୍ଷରେ ପାଖାପାଖି ୩୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ପର୍ଯ୍ୟଟକମାନଙ୍କ ଠାରୁ ଟିକଟ ବାବଦରେ ୧୨୩ କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟ ହୋଇଛି । ତେବେ କରୋନା ପରଠାରୁ ରାଜ୍ୟର ଐତିହ୍ୟସ୍ଥଳଗୁଡିକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି ।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୮୦ଟି ଐତିହ୍ୟସ୍ଥଳ ଥିବାବେଳେ ଏହାର ରକ୍ଷଣାବେକ୍ଷର ପାଇଁ ୨୦୧୭-୧୮ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ୨୯କୋଟି ୯୬ଲକ୍ଷ ଟଙ୍କା ବ୍ୟୟ ହୋଇଛି । ତେବେ ସବୁଠାରୁ ଅଧିକ ୮.୨୩ କୋଟି ଟଙ୍କା ୨୦୨୧-୨୨ ବର୍ଷରେ ବ୍ୟୟ ହୋଇଥିବା ଜଣାଯାଇଛି ।
ସେହିଭଳି ରାଜ୍ୟରେ ଥିବା ୫ଟି ଐତିହ୍ୟସ୍ଥଳ ଯେଉଁଠାରେ ପର୍ଯ୍ୟଟକମାନେ ଟିକଟ କାଟି ପରିଦର୍ଶନ କରନ୍ତି ସେହିସବୁ ଐତିହ୍ୟସ୍ଥଳରୁ ଏହି ୫ବର୍ଷ ମଧ୍ୟରେ ୧୨୩.୭୪ କୋଟି ଟଙ୍କା ଆଦାୟ ହୋଇଛି । ୨୦୧୭-୧୮ ବର୍ଷରେ ଟିକଟ ବାବଦରେ ୧୦.୪୪ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୧୮-୧୯ ବର୍ଷରେ ସର୍ବାଧିକ ୯୮.୦୬ କୋଟି ଟଙ୍କା ଆୟ ହୋଇଥିଲା । ତେବେ ୨୦୨୦-୨୧ ବର୍ଷରେ ଏ ବାବଦରୁ ମାତ୍ର ୨.୩୦ କୋଟି ଟଙ୍କା ମିଳିଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୩.୦୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ।
ଓଡିଶାର ଯେଉଁ ୫ଟି ଐତିହ୍ୟସ୍ଥଳକୁ ପର୍ଯ୍ୟଟକମାନେ ଦେୟ ପଇଠ କରି ପରିଦର୍ଶନ କରନ୍ତି ସେଗୁଡିକ ହେଲା କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଖଣ୍ଡଗିରି ଓ ଉଦୟଗିରି, ରାଜାରାଣୀ ମନ୍ଦିର ଏବଂ ଯାଜପୁରର ରତ୍ନଗିରି ଓ ଲଳିତଗିରି । ଏହିସବୁ ଐତିହ୍ୟସ୍ଥଳୀକୁ ୨୦୧୭-୧୮ ବର୍ଷରେ ୪୦ଲକ୍ଷରୁ ଅଧିକ ଦେଶୀୟ ପର୍ଯ୍ୟଟକ ଆସିଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୪ହଜାରରୁ ଅଧିକ ଥିଲେ । ସେହିଭଳି ୨୦୧୮-୧୯ ବର୍ଷରେ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଯଥାକ୍ରମେ ୨୬.୪୮ଲକ୍ଷ ଏବଂ ୭୯୪୫ ଥିଲା । ୨୦୧୯-୨୦ ବର୍ଷରେ ଏହି ସଂଖ୍ୟା ଯଥାକ୍ରମେ ୨୪ଲକ୍ଷ ଏବଂ ୯୪୬୧ଲକ୍ଷ ରହିଥିଲା ।
ତେବେ ୨୦୨୦-୨୧ ବର୍ଷରେ କରୋନା ଯୋଗୁଁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଗୁରୁତର ଭାବେ ହ୍ରାସ ପାଇଥିଲା । ସେହିବର୍ଷ ୫ଟି ପ୍ରସିଦ୍ଧ ଐତିହ୍ୟସ୍ଥଳୀକୁ ମାତ୍ର ୨୩୦ ଜଣ ପର୍ଯ୍ୟଟକ ଆସିଥିବାବେଳେ ୨୦୨୧-୨୨ ବର୍ଷରେ ଏହିସଂଖ୍ୟା ୭୭୭କୁ ବୃଦ୍ଧି ପାଇଥିଲା । ତେବେ ୨୦୨୦-୨୧ ବର୍ଷରେ ରାଜାରାଣୀ ମନ୍ଦିରକୁ ମାତ୍ର ୩ଜଣ ବିଦେଶୀ ପର୍ଯ୍ୟଟକ ଆସିôତବାବେଳେ ଲଳିତଗିରିକୁ ୮ଜଣ ଆସିଥିବା ଜଣାଯାଇଛି । ତେବେ ଐତିହ୍ୟସ୍ଥଳକୁ ଯେତେ ସଂଖ୍ୟାରେ ଦେଶୀୟ ପର୍ଯ୍ୟଟକ ଆସିଛନ୍ତି ସେମାନଙ୍କ ମଧ୍ୟରୁ ସର୍ବାଧିକ କୋଣାର୍କ ସ୍ଥିତ ସୂର୍ଯ୍ୟମନ୍ଦିରକୁ ଆସିଥିବା ଜଣାଯାଇଛି । (ତଥ୍ୟ)