Home Environment ଗ୍ରିନ ମହାନଦୀ ମିଶନକୁ ୧୬୮ କୋଟି

ଗ୍ରିନ ମହାନଦୀ ମିଶନକୁ ୧୬୮ କୋଟି

ଭୁବନେଶ୍ୱର : ରାଜ୍ୟ ସରକାର ଗ୍ରିନ୍‍ ମହାନଦୀ ମିଶନ (ଜିଏମଏମ) ପାଇଁ ୧୬୮.୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପରିବେଶର ସୁରକ୍ଷା ସହିତ, ଜଳସ୍ତର ବୃଦ୍ଧି ଏବଂ ମହାନଦୀ ଅବବାହିକାରେ ରହୁଥିବା ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଲାଗି ରାଜ୍ୟ ସରକାର ଏହି ମିଶନ କାର୍ଯ୍ୟକାରୀ କରୁଛନ୍ତି ।

ଗ୍ରିନ୍‍ ମହାନଦୀ ମିଶନ ୨୦୧୮-୧୯ ମସିହାରେ କାର୍ଯ୍ୟକାରୀ ହୋଇଥିବାବେଳେ ମହାନଦୀ, ତେଲ୍‍ ଓ ଇବ୍‍ ନଦୀକୂଳରୁ ଏକ କିଲୋମିଟର ଦୂରତା ଅଞ୍ଚଳୟରେ ସବୁଜ ବଳୟ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ସାଧାରଣ ଲୋକେ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସହଭାଗିତାରେ ଜଙ୍ଗଲଜମି, ରାଜସ୍ୱ ଜମି ଓ ଘରୋଇ ଜମିରେ ବୃକ୍ଷ ରୋପଣ ପାଇଁ କାର୍ଯ୍ୟ ହାତକୁ ନିଆଯାଇଛି ।

୨୦୧୭-୧୮ରେ ମିଶନର କାର୍ଯ୍ୟଯୋଜନା ପ୍ରସ୍ତୁତି ମଧ୍ୟରେ ଗ୍ରାମଗୁଡିକୁ ଚିହ୍ନଟ, ବୃକ୍ଷରୋପଣ ସ୍ଥାନ ଏବଂ ମହାନଦୀ ସେବକମାନଙ୍କୁ ଚିହ୍ନଟ ଆରମ୍ଭ ହୋଇଥିଲା ଏବଂ ଏଥିରେ ୨୦ଟି ବନ୍ୟପ୍ରାଣୀ ଡିଭିଜନର ୧୬ଟି ଜିଲ୍ଲାର ୧୩୦୩ ଗ୍ରାମ ସାମିଲ ହୋଇଛି । ରାଜ୍ୟ ଯୋଜନା ଅଧିନରେ ଏହି ମିଶନ କାର୍ଯ୍ୟକାରୀ ହେଉଥିବାବେଳେ ଏହାର ଖର୍ଚ୍ଚ ବ୍ୟୟ ସଂକ୍ରାନ୍ତରେ ଅର୍ଥ କମିଟି ବୈଠକରେ ୨୦୧୮-୧୯ ରୁ ୨୦୨୨-୨୩ ବର୍ଷ ପାଇଁ ପାରିତ ହୋଇଥିବାବେଳେ ୨୦୨୫-୨୬ ପର୍ଯ୍ୟନ୍ତ ଏହାର ରକ୍ଷଣା ବେକ୍ଷଣ ହେବ ।

୨୦୧୮-୧୯ ବର୍ଷରେ ରାଜ୍ୟ ସରକାର ଏହି ଯୋଜନାରେ ୫୯.୪୮ କୋଟି ଟଙ୍କା ପ୍ରଦାନ କରିଥିଲେ । ସେହିବର୍ଷ ମିଶନ ଜରିଆରେ ୯୧୨ ହେକ୍ଟର ଜମିରେ ବୃକ୍ଷରୋପଣ ହୋଇଥିଲା । ଏଥିରେ ୧୦୧ ହେକ୍ଟର ଜମିରେ ବାଉଁଶ, ୫୦ ହେକ୍ଟର ଜମିରେ ଝାଉଁ ଗଛ ଲଗାଯାଇଛି । ସେହିଭଳି ୫୬୨ କିଲୋମିଟର ଅଞ୍ଚଳରେ ରାସ୍ତାର ଦୁଇପଟେ ୫.୭୪ ଲକ୍ଷ ଚାରା ରୋପଣ କରାଯାଇଛି । ଏଥି ସହିତ ମିଶନ ଅଧିନରେ ୨୦୧୮-୧୯ରେ ସ୍ଥାନୀୟ ଅଞ୍ଚଳରେ ୧୦.୮୦ ଲକ୍ଷ ଚାରା ବଣ୍ଟନ କରାଯାଇଛି ।

୨୦୨୦-୨୧ ବର୍ଷରେ ମିଶନକୁ ୩୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏଥିରେ ୧୯୦ ହେକ୍ଟର ବୃକ୍ଷରୋପଣ ହୋଇଥିଲା । ସେଥି ମଧ୍ୟରେ ୬୦ ହେକ୍ଟର ଜମିରେ ଝାଉଁ ଗଛ ରୋପଣ ହୋଇଥିବାବେଳେ ୨୩.୩୪ଲକ୍ଷ ଚାରା ବଣ୍ଟନ ହୋଇଥିଲା । ତେବେ ୨୦୨୧-୨୨ ବର୍ଷରେ ବେଳକ ରକ୍ଷଣା ବେକ୍ଷଣ କାର୍ଯ୍ୟ ହାତକୁ ନିଆଯାଇଥିଲା ।

୨୦୨୨-୨୩ ବର୍ଷରେ ୨୬.୮୨ କୋଟି ଟଙ୍କାର ମୂଲ୍ୟର ୫.୪୮ ଲକ୍ଷ ଚାରା ସାଧାରଣ ଲୋକଙ୍କୁ ବଣ୍ଟନ କରାଯାଇଥିଲା । ଏଥି ସହିତ ୩୦୦୦ ହେକ୍ଟର ପୁରୁଣା ଜଙ୍ଗଲକୁ ସବୁଜିମା ପାଇଁ ବୃକ୍ଷରୋପଣ କରାଯାଇଥିଲା । ତେବେ ୨୦୨୩-୨୪ ବର୍ଷରେ ୧୩୦୦ ହେକ୍ଟରରୁ ଅଧିକ ଜମିରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ ସହିତ ୫୦ଲକ୍ଷ ଚାରା ବଣ୍ଟନ ପାଇଁ ଲକ୍ଷ୍ୟ ରହିଛି । ମିଶନର କାର୍ଯ୍ୟର ତଦାରଖ ପାଇଁ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ କମିଟି ଗଠନ ହୋଇଥିବାବେଳେ ବିଭିନ୍ନ ବିଭାଗ ସହିତ ଏ ନେଇ ସମନ୍ୱୟ ରକ୍ଷା କରାଯାଉଛି । (ତଥ୍ୟ)