ପୁରୀ : ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିବାବେଳେ ବିଭିନ୍ନ ରାଜ୍ୟରୁ ଏଠାକୁ ଆସିଥିବା ଲୁଟେରାମାନେ ପୁଲିସ୍ ନଜରରୁ ବର୍ତ୍ତିପାରି ନାହାନ୍ତି । ସେମାନେ ଲୋକଙ୍କୁ ଲୁଟିବା ପୂର୍ବରୁ ପୁଲିସ୍ ୫୭ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ମାଡି ବସିଛି । ଫଳରେ ଚଳିତବର୍ଷ ରଥଯାତ୍ରାରେ ବହୁ ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି ।
ପୁଲିସ୍ ହାବୁଡରେ ପଡିଥିବା ଏହି ଚେନଛିଣ୍ଡା ଓ ପକେଟମାରଙ୍କ ମଧ୍ୟରୁ ୧୫ଜଣ ପଶ୍ଚିମବଙ୍ଗର ହୋଇଥିବାବେଳେ ୯ଜଣ ଆନ୍ଧ୍ରପ୍ରଦେଶର ଅଛନ୍ତି । ଏମାନଙ୍କ ମଧ୍ୟରେ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟର କିଛି ପକେଟମାର ରହିଥିବା ମଧ୍ୟ ଜଣାଯାଇଛି ।
ସେହିଭଳି ପୁଲିସ୍ର ତ୍ୱରିତ ପଦକ୍ଷେପ ଯୋଗୁଁ ଭିଡରେ ନିଜ ନିଜ ସମ୍ପର୍କୀୟଙ୍କ ଠାରୁ ଅଲଗା ହୋଇଯାଇଥିବା ୨୪ଜଣଙ୍କୁ ସେମାନଙ୍କ ପରିବାର ନିକଟରେ ପହଞ୍ଚାଯାଇ ପାରିଛି । ଏମାନଙ୍କୁ ପୁଲିସ୍ ସହାୟତା କେନ୍ଦ୍ରକୁ ଅଣାଯିବା ପରେ ସେମାନଙ୍କ ପରିବାର ଜିମା ଦିଆଯାଇଛି । ଏହି ସମୟରେ ପରିବାରୁ ଅଲଗା ହୋଇ ଭୟଭୀତ ହୋଇପଡିଥିବା ଶିଶୁ ଓ ବୟସ୍କମାନଙ୍କୁ ପିଇବାପାଣି ସମେତ ଖାଦ୍ୟପେୟ ମଧ୍ୟ ଦିଆଯାଇଥିଲା ।
ରଥଯାତ୍ରା ଦେଖିବାକୁ ଆସିଥିବା ବହୁ ସଂଖ୍ୟକ ଲୋକେ ପୁରୀ ସମୁଦ୍ରକୂଳକୁ ଯିବା ସହିତ ସେଠରେ ସମୁଦ୍ର ସ୍ନାନ କରୁଛନ୍ତି । ତେବେ ସମୁଦ୍ରକୂଳରେ ଯେଭଳି କୌଣସି ପ୍ରକାର ଅଘଟଣ ନଘଟେ ସେଥିପାଇଁ ଏହାକୁ ବିଭିନ୍ନ ଭାଗରେ ବିଭକ୍ତ କରି ବ୍ୟାପକ ପୁଲିସ୍ ମୁତୟନ କରାଯିବା ଫଳରେ ଚଳିତବର୍ଷ ରଥଯାତ୍ରା ସମୟରେ ସମୁଦ୍ରକୂଳରେ କୌଣସି ପ୍ରକାର ଅଘଟଣ ଘଟିନାହିଁ ।
ସେହିଭଳି ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ରାଜପଥ ସମେତ ବିଭିନ୍ନ ସ୍ଥାନରେ ପାନୀୟଜଳର ବ୍ୟବସ୍ଥା ହୋଇଥିଲା । ସୁରକ୍ଷା ବ୍ୟତିତ ଭକ୍ତମାନେ ଯେଭଳି ସୁରୁଖୁରୁରେ ତିନି ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ପୁଲିସ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ପୁରୀକୁ ଆସୁଥିବା ଭକ୍ତମାନେ ଯେଭଳି ରାଜପଥ ପାଶ୍ୱର୍ରେ ଥିବା ଢାବା ଓ ପେଟ୍ରୋଲପମ୍ପଗୁଡିକରେ ସୁବିଧାରେ ପିଇବାପାଣି ଓ ଶୌଚାଳୟ ସୁବିଧା ପାଇପାରିବେ ସେଥିପାଇଁ ପୁଲିସ୍ ପକ୍ଷରୁ ହୋଟେଲ ଓ ପେଟ୍ରୋଲପମ୍ପମାଲିକଙ୍କ ସହିତ ସମନ୍ୱୟ ରକ୍ଷା କରାଯାଇ ୧୩ଟି ସ୍ଥାନରେ ଏହି ସୁବିଧା ଉପଲବ୍ଧ କରାଯାଇଛି । ମହିଳାଭକ୍ତମାନେ ଏହା ଦ୍ୱାରା ବେଶ୍ ଉପକୃତ ହୋଇଥିବା କହିଛନ୍ତି ।
ତେବେ ଚଳିତବର୍ଷ ପ୍ରଥମ ଥର ପାଇଁ ଯୁବ ସ୍ୱେଚ୍ଛାସେବୀମାନଙ୍କୁ ନେଇ ପୁଲିସ୍ ପକ୍ଷରୁ “ଯୁବ ଶକ୍ତି” ଯୋଜନା ଆରମ୍ଭ ହୋଇଛି । ବରିଷ୍ଠ ନାଗରିକମାନେ କିଭଳି ସୁରୁଖୁରୁରେ ଦର୍ଶନ କରିବେ ସେଥିପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । ପୁଲିସ୍ ସହାୟତାରେ ଯୁବ ସ୍ୱେଚ୍ଛାସେବୀମାନେ ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ଘରୁ ଆସି ଠାକୁର ଦର୍ଶନ କରାଇବା ସହିତ ପୁଣି ନେଇ ଘରେ ଛାଡି ଦେଇ ଆସୁଛନ୍ତି । ପୁଲିସ୍ର ଏଭଳି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଉଛି ।
ଚଳିତବର୍ଷ ରଥଯାତ୍ରାରେ ପୁରୀକୁ ବହୁ ସଂଖ୍ୟାରେ ଯାନବାହାନ ଆସିଛି । ଫଳରେ ଟ୍ରାଫିକ ପରିଚାଳନା ପୁଲିସ୍ ପାଇଁ ବଡ ଆହ୍ୱାନ ହୋଇଛି । ଚଳିତବର୍ଷ ପୁରୀକୁ ୮୦୦ରୁ ଅଧିକ ବସ୍, ୧୮ହଜାରରୁ ଅଧିକ ଦୁଇଚକିଆ ଓ ୫୦୦୦ କାରକୁ ୨୪ଟି ପାର୍କିଂ ସ୍ଥଳରେ ରଖାଯାଇଥିବାବେଳେ ଟ୍ରାଫିକ ପରିଚାଳନା ପାଇଁ ୨୫୦୦ ପୁଲିସ୍ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ମୁତୟନ କରାଯାଇଛି । ସେହିଭଳି ବରିଷ୍ଠ ନାଗରିକଙ୍କ ପାଇଁ ପୁଲିସ୍ ସହାୟତାରେ ୮ଟି ସ୍ଥାନରୁ ବ୍ୟାଟେରି ଚାଳିତ ଯାନ ଚଳାଯାଉଥିବା ଜଣାଯାଇଛି ।