ଭୁବନେଶ୍ୱର :ବଡ ବଡ ଟିକସ ଖିଲାପକାରୀଙ୍କ ଠାରୁ ହୋଲିଡିଂ ଟିକସ ଆଦାୟ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)କୁ ଏବେ କିନ୍ନର ଭରସା । ବିଏମ୍ସର ଉତ୍ତର ଜୋନ୍ରେ ଏଭଳି ଖିଲାପକାରୀଙ୍କ ଠାରୁ ଅର୍ଥ ଆଦାୟ ନିମନ୍ତେ ବିଏମ୍ସି କିନ୍ନର ସଂଘକୁ ଦାୟିତ୍ୱ ପ୍ରଦାନ କରିଛି ।
ଉତ୍ତର ଜୋନ୍ର ୩ନମ୍ବର ୱାର୍ଡରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଦୀର୍ଘଦିନ ହେଲା ରାଜଧାନୀର କିଛି ବ୍ୟକ୍ତି ହୋଲଡିଂ ଟିକସ ଦେଉନାହାନ୍ତି । ୨୫ହଜାର ଟଙ୍କାରୁ ଅଧିକ ଟିକସ ବାକିଆ ଗଡାଉଥିବା ୮୦୪ ଘର ମାଲିକଙ୍କ ଉପରେ ବିଏମ୍ସିର ୪୩କୋଟି ୫୦ଲକ୍ଷ ଟଙ୍କା ବାକି ପଡିଛି । ଏମାନଙ୍କୁ ମହାନଗର ନିଗମ ବଡ ଖିଲାପକାରୀ ଭାବେ ଚିହ୍ନଟ କରିଛି ।
ଏହି ବଡ ଖିଲାପକାରୀଙ୍କ ଠାରୁ ଟିକସ ଅର୍ଥ ଆଦାୟ ପାଇଁ କିନ୍ନର ସଂଘ ‘ସ୍ୱୀକୃତି’କୁ ଦାୟିତ୍ୱ ଦିଆଯାଇଥିବାବେଳେ ଆଜି ଠାରୁ ସେମାନେ କାମରେ ଲାଗି ପଡିଛନ୍ତି । ଏହିଭଳି ୮୦୪ ଖିଲାପକାରୀଙ୍କ ଘରେ କିନ୍ନର ସଂଘର କର୍ମକର୍ତ୍ତାମାନେ ପହଞ୍ଚିବେ ବୋଲି ବିଏମ୍ସି ସୂଚନା ଦେଇଛି ।
କେବଳ ହୋଲଡିଂ ଟିକସ ଆଦାୟ ନୁହେଁ ରାସ୍ତାଘାଟରୁ ପାର୍କିଂ ଟିକସ ଆଦାୟ ନେଇ ବିଏମ୍ସି ନାକେଦମ ହେବାପରେ ରାଜଧାନୀର ପ୍ରମୁଖ ଅଞ୍ଚଳରେ ପାର୍କିଂ ଦାୟିତ୍ୱ ମଧ୍ୟ କିନ୍ନରଙ୍କୁ ପ୍ରଦାନ କରାଯାଇଛି । ସେହିଭଳି ଘରକୁ ଘର ବୁଲି ବର୍ଜ୍ୟ ସଂଗ୍ରହ ଓ ପରିଚାଳନା, ନିର୍ମାଣ ବର୍ଜ୍ୟର ପରିଚାଳନା ଓ ପାଣି ବିଲ୍ ଆଦାୟ ଭଳି କାମରେ ମଧ୍ୟ ବିଏମ୍ସି କିନ୍ନର ସଂଘଙ୍କୁ ଦାୟିତ୍ୱ ପ୍ରଦାନ କରିଛି ।
ତେବେ ଦୀର୍ଘଦିନ ଧରି ହୋଲଡିଂ ଟିକସ ଦେଉନଥିବା ରାଜଧାନୀର ଏହି ବଡ ଖିଲାପକାରୀମାନଙ୍କ ଘରେ କିନ୍ନରମାନେ ହାଜର ହେବାପରେ ସେମାନେ କେତ ପରିମାଣରେ ଟିକସ ପଇଠ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।