Home General ଚୌଧୁରୀ କୁଟୀର ଜାତୀୟ ସ୍ମାରକୀ କେବେ ?

ଚୌଧୁରୀ କୁଟୀର ଜାତୀୟ ସ୍ମାରକୀ କେବେ ?

ଭୁବନେଶ୍ୱର : ଇତିହାସର ଅଲିଭା ସ୍ମାରକୀ ବୋଲି କୁହାଯାଉଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମର୍ପିତ ଜନସେବକ ନବକୃଷ୍ଣ ଚୌଧୁରୀଙ୍କ ଜୀର୍ଣ୍ଣଶିର୍ଣ୍ଣ ବାସଗୃହକୁ ସୁରକ୍ଷିତ ରଖିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଦିଆଯାଇଥିବା ପ୍ରତିଶ୍ରୁତି ସବୁ ପାଣିର ଗାର ଭଳି ମନେ ହେଉଛି ।

ଅନୁଗୋଳ ବାଜିରାଉତ ଛାତ୍ରାବାସ ପରିସରରେ ଥିବା ଏକ ଚାଳଘର ଥିଲା ନବକୃଷ୍ଣ ଚୌଧୁରୀଙ୍କ କର୍ମସ୍ଥଳ । ଏହି ମାଟି ଚଟାଣ ଘରେ ୧୯୮୪ ଜୁନ୍‍ ମାସରେ ତାଙ୍କର ଦେହାନ୍ତ ହୋଇଥିଲା । ସ୍ୱାଧୀନତା ଆନ୍ଦୋଳନ ଓ ସମାଜସେବା ପାଇଁ ଚୌଧୁରୀ ପରିବାରର ତ୍ୟାଗ ସାରା ଦେଶରେ ଚର୍ଚ୍ଚା ହୁଏ । ଗାନ୍ଧୀ, ବିନୋବା, ଜୟପ୍ରକାଶଙ୍କ ଭଳି ରାଷ୍ଟ୍ରନେତାମାନେ ଏହି ପରିବାରର ସେବା ଓ ସଂଗ୍ରାମକୁ ଭୂରି ଭୂରି ପ୍ରଶଂସା କରି ଯାଇଛନ୍ତି ।

କ୍ଷମତା ରାଜନୀତିରୁ ସ୍ୱେଚ୍ଛାକୃତ ଭାବେ ସନ୍ୟାସ ନେଇ ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିଧାନସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା କିମ୍ବା ମାନ୍ଦ୍ରାଜ୍‍ର ରାଜ୍ୟପାଳ ପଦବୀ ଗ୍ରହଣ କରିବା ଲାଗି ଅନୁରୋଧ କରିଥିଲେ ମଧ୍ୟ ତାହାକୁ ସେ ନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ ।

ନବକୃଷ୍ଣଙ୍କ ପତ୍ନୀ ମାଳତୀ ଚୌଧୁରୀ ପ୍ରଦେଶ କଂଗ୍ରେସ ସଭାପତି ସହିତ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ମଧ୍ୟ ଥିଲେ । ତାଙ୍କ ବଡ଼ଭାଇ ଗୋପବନ୍ଧୁ ଚୌଧୁରୀ, ଭାଉଜ ରମାଦେବୀ, ଝିଅ ଉତ୍ତରା, ଝିଆରି ଅନ୍ନପୂର୍ଣ୍ଣା ଓ ପୁତୁରା ମନମୋହନ ପ୍ରମୁଖ ବାରମ୍ବାର ସ୍ୱାଧୀନତା ଆନ୍ଦୋଳନ କାଳରେ କାରାବରଣ କରିବା ସହିତ ଜମିଦାରୀର ସୁଖସ୍ୱାଛନ୍ଦ୍ୟକୁ ବଳିଦେଇ ଦରିଦ୍ରତମ ଲୋକ ଭଳି ଜୀବନ ବିତାଉଥିଲେ ।

ଜାତୀୟ ସ୍ତରରେ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପରିବାର ସର୍ବୋଦୟ ଆନ୍ଦୋଳନର ନେତୃତ୍ୱ ନେବାସହ ଭୂଦାନ ଆନ୍ଦୋଳନ ଓ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ମଧ୍ୟ ଝାସ ଦେଇଥିଲେ । ଏମିତିକି ଜରୁରୀ ପରିସ୍ଥିତି ସମୟରେ ନବବାବୁଙ୍କ ସମେତ ମାଳତୀ ଦେବୀ, ମନମୋହନ ଚୌଧୁରୀ ପ୍ରମୁଖ କାରାବରଣ କରିଥିଲେ । ଦେଶୀୟ ରାଜ୍ୟ ମିଶ୍ରଣ ଓ ଗଡ଼ଜାତ ପ୍ରଜା ଆନ୍ଦୋଳନ କ୍ଷେତ୍ରରେ ନବକୃଷ୍ଣଙ୍କର ପ୍ରମୁଖ ଭୂମିକା ରହିଥିଲା । ଏମିତିକି ନାଗା ବିଦ୍ରୋହୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ ।

ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ଅନୁଗୋଳର ଯେଉଁ ଚାଳଛପର ମାଟିଘରେ ରହୁଥିଲେ ସେଠାକୁ ତାଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବାରମ୍ବାର ଆସୁଥିଲେ । ଏହି ମାଟିଘରଟି ଜାତୀୟ ସ୍ମାରକୀରେ ପରିଣତ କରିବା ପାଇଁ ବର୍ଷ ବର୍ଷ ଧରି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଥିବାବେଳେ ଏଯାବତ୍‍ କେନ୍ଦ୍ର କିମ୍ବା ରାଜ୍ୟ ସରକାର ତାହାର ଦାୟିତ୍ୱ ନେଇନାହାନ୍ତି ।

ଜୀର୍ଣ୍ଣଶିର୍ଣ୍ଣ ଅବସ୍ଥାରେ ଥିବା ଏହି ଚାଳଘରୁ ବର୍ଷା ହେଲେ ପାଣି ଗଳୁଥିବାରୁ ତାହା ଉପରେ କଳା ପଲିଥିନ କେଇଖଣ୍ଡ ଘୋଡାଇ ପ୍ରଶାସନ ହାତବାନ୍ଧି ବସିଥିଲା । ବିଧାନସଭାର ଗତ ବଜେଟ୍‍ ଅଧିବେଶନରେ ଏ ପ୍ରସଙ୍ଗ ଆଲୋଚିତ ହୋଇଥିଲା । ସେ ସମୟରେ ଅନୁଗୋଳର ଗୋପବନ୍ଧୁ ପାର୍କରେ ନବବାବୁ, ପବିତ୍ର ମୋହନ ପ୍ରଧାନ ଓ ମାଳତୀ ଦେବୀଙ୍କ ସମେତ ୧୧ଜଣ ସଂଗ୍ରାମୀଙ୍କ ବିକୃତ ଫାଇବର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଏ ଦୁଇଟି ପ୍ରସଙ୍ଗ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେବଳ ଓଡ଼ିଶାରେ କାହିଁକି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏ ସମ୍ପର୍କରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସଂସ୍କୃତି ବିଭାଗ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ ଅନୁଗୋଳ ଗସ୍ତ କରି ସରକାରୀ ଓ ବେସରକାରୀ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଥିଲେ । ଏମିତିକି ବାଜି ରାଉତ ଛାତ୍ରାବାସ ପରିସରରେ ଥିବା ଏହି ଗୃହର ସଂରକ୍ଷଣ ସହିତ ତାହାକୁ ସ୍ମାରକୀ ଭାବେ ଘୋଷଣା କରିବା ଲାଗି ଯେତେ ଅର୍ଥ ଦରକାର ତାହା ଖର୍ଚ୍ଚ କରାଯିବ ବୋଲି କୁହାଯିବା ପରେ ଆଉ ଦଳେ ବିଶେଷଜ୍ଞଙ୍କୁ ଅନୁଗୋଳ ପଠାଇ ଘର ମାଚପୁର କରାଯାଇଥିଲା ଏବଂ ବିକୃତ ପ୍ରତିମୂର୍ତ୍ତି ଗୁଡିକୁ ହଟାଇ ଦେଇ ନୂଆ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଘୋଷଣା କରାଯାଇଥିଳା ।

ଇତିମଧ୍ୟରେ କେବଳ ନବବାବୁଙ୍କ ପ୍ରତିମୂର୍ତ୍ତି ଭୁବନେଶ୍ୱରରେ ନିର୍ମାଣାଧୀନ ଥିବାବେଳେ ସ୍ମାରକୀ ଗୃହର ସଂରକ୍ଷଣ କଥା ଆଉ ଆଲୋଚିତ ହେଉନାହିଁ । ସରକାରଙ୍କୁ ଅପେକ୍ଷା କଲେ ମାଟି କାନ୍ଥର ଚାଳଘରଟି ଭୁଶୁଡି ପଡିବାର ଆଶଙ୍କା ଥିବାରୁ ଏକ ବେସରକାରୀ ଟ୍ରଷ୍ଟ ତାହାର ପ୍ରାରମ୍ଭିକ ମରାମତି ସହ ଘର ଛପର କରିଛି । ଏବେ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ସରକାରୀ ଓ ବେସରକାରୀ ସ୍ତରରେ ପାଳିତ ହେବାକୁ ଯାଉଥିବାବେଳେ ଏ ପ୍ରସଙ୍ଗ ଘେନି ଚର୍ଚ୍ଚା ଜୋର୍‍ ଧରିଛି । (ତଥ୍ୟ)