Home General ଗଞ୍ଜାମରେ ସର୍ବାଧିକ ମାଗଣା ଚାଉଳ ହିତାଧିକାରୀ

ଗଞ୍ଜାମରେ ସର୍ବାଧିକ ମାଗଣା ଚାଉଳ ହିତାଧିକାରୀ

ଭୁବନେଶ୍ୱର : ରାଜ୍ୟରେ ପାଖପାଖି ୩କୋଟି ଲୋକ ମାଗଣା ଚାଉଳ ପାଉଥିବାବେଳେ ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ହିତାଧିକାରୀ ଗଞ୍ଜାମ ଜିଲ୍ଲାରେ ରହିଛନ୍ତି । ଏହି ଜିଲ୍ଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୪ଲକ୍ଷରୁ ଅଧିକ ଲୋକ ମାସକୁ ୫କିଲୋ କରି ମାଗଣା ଚାଉଳ ପାଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏବେ ପ୍ରତିମାସରେ ୨,୯୬,୭୮,୬୫୩ ଜଣ ହିତାଧିକାରୀ ମାସିକ ମୁଣ୍ଡପିଛା ୫କିଲୋ କରି ଚାଉଳ ମାଗଣାରେ ପାଉଛନ୍ତି । ଏମାନଙ୍କ ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅଧିନରେ ଥିବା ୮୦,୪୩,୦୧୩ ପରିବାରର ୨,୮୭,୦୨,୩୭୨ ଜଣ ହିତାଧିକାରୀ ଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୧୪,୬୫୭ ପରିବାରର ୯,୭୬,୨୮୧ ହିତାଧିକାରୀ ରହିଛନ୍ତି ।

ତେବେ ରାଜ୍ୟରେ ମାଗଣା ଚାଉଳ ପାଉଥିବା ସର୍ବାଧିକ ହିତାଧିକାରୀ ଗଞ୍ଜାମ ଜିଲ୍ଲାରେ ରହିଛନ୍ତି । ଏମାନଙ୍କ ସଂଖ୍ୟା ୨୪,୪୮,୭୯୪ ରହିଛି । ଏହା ପଛକୁ ଦ୍ୱିତୀୟ ସର୍ବାଧିକ ହିତାଧିକାରୀ ୧୮,୪୨,୪୯୪ ଜଣ ମୟୁରଭଞ୍ଜ ଜିଲ୍ଲାରେ ଅଛନ୍ତି । ସେହିଭଳି ବାଲେଶ୍ୱର ଜିଲ୍ଲାରେ ୧୬,୩୮,୯୦୭ଜଣ ରହିଥିବାବେଳେ କଟକ ଜିଲ୍ଲାରେ ୧୬,୨୭,୭୧୭, ଯାଜପୁର ଜିଲ୍ଲାରେ ୧୩,୮୩୨,୯୪୮, ସୁନ୍ଦରଗଡରେ ୧୩,୭୨,୧୧୩, କେନ୍ଦୁଝରରେ ୧୩,୩୧,୩୧୪ ଜଣ ରହିଛନ୍ତି । ୧୦ଲକ୍ଷରୁ ଅଧିକ ହିତାଧିକାରୀ ଥିବା ଅନ୍ୟ ଜିଲ୍ଲା ମଧ୍ୟରେ ପୁରୀ, କୋରାପୁଟ, ଖୋରଧା, କେନ୍ଦ୍ରାପଡା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ ଜିଲ୍ଲା ରହିଛି ।

ମାଗଣା ଚାଉଳ ନେଉଥିବା ସବଠାରୁ କମ୍‍ ହିତାଧିକାରୀ ରହିଛନ୍ତି ବୌଦ୍ଧ ଜିଲ୍ଲାରେ । ଏହି ଜିଲ୍ଲାରେ ମାତ୍ର ୩,୨୦୩୧୭ଜଣ ମାସକୁ ୫କିଲୋ କରି ମାଗଣା ଚାଉଳ ପାଉଛନ୍ତି । ଏହା ଉପରକୁ ଝାରସୁଗୁଡାରେ ୩,୭୪,୫୨୧ ଜଣ ରହିଥିବାବେଳେ ସୋନପୁରରେ ୪,୨୯,୩୫୪ ଜଣ ହିତାଧିକାରୀ ରହିଛନ୍ତି । ଏହିସବୁ ହିତାଧିକାରୀମାନେ ରାଜ୍ୟରେ ଥିବା ୧୨,୩୦୫ଟି କଣ୍ଟ୍ରୋଲ ଦୋକାନ ଜରିଆରେ ସେମାନଙ୍କ ଚାଉଳ ପାଉଛନ୍ତି ।

ରାଜ୍ୟରେ ଏତେ ସଂଖ୍ୟାରେ ହିତାଧିକାରୀ ମାଗଣା ଚାଉଳ ପାଉଥିବାବେଳେ ଆଉ ପ୍ରାୟ ଏକ ଲକ୍ଷ ହିତାଧିକାରୀ ମାଗଣା ଚାଉଳ ପାଇବା ପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରେ ଅଧିକ ହିତାଧିକାରୀ ଯୋଡିବାକୁ ଅନୁମତି ଦେଉ ନଥିବାରୁ ରାଜ୍ୟ ସରକାର ବାଧ୍ୟହୋଇ ଏମାନଙ୍କୁ ଯୋଗ୍ୟତା ଆଧାରରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରୁଛନ୍ତି । ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରେ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ଅନୁରୋଧ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ସେଥିପ୍ରତି କର୍ଣ୍ଣପାତ କରୁନଥିବା ଜଣାଯାଇଛି । (ତଥ୍ୟ)